
କୋରାପୁଟ : “ଶିଶୁର ହାତରେ ବହି ରହିବ, ହାତୁଡ଼ି ନୁହେଁ” — ଏହି ମହତ୍ ସଂକଳ୍ପକୁ ନେଇ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଜିଲ୍ଲାସ୍ତରୀୟ ଶିଶୁ ଶ୍ରମ ବିରୋଧୀ କର୍ମଶାଳା ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସଦଭାବନା ସଭାଗୃହରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ସହଯୋଗରେ ଆୟୋଜିତ ଏହି କର୍ମଶାଳାରେ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ଅଧ୍ୟକ୍ଷତା କରିଥିଲେ। କୋରାପୁଟକୁ ଶିଶୁ ଶ୍ରମ ଶୂନ୍ୟ ଜିଲ୍ଲା ଭାବେ ଗଢ଼ି ତୋଳିବା ପାଇଁ ସମସ୍ତ ବିଭାଗ ମିଳିତ ଭାବେ କାର୍ଯ୍ୟ କରିବାକୁ ଏହି ଅବସରରେ ଶପଥ ନେବା ସହ ଏକ ସ୍ପଷ୍ଟ କାର୍ଯ୍ୟପନ୍ଥା ପ୍ରସ୍ତୁତ କରିଛନ୍ତି। କାର୍ଯ୍ୟକ୍ରମରେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ, ଓଡ଼ିଶାର ଅଧ୍ୟାପକ ବିରଜ ସ୍ୱାଇଁ ଯୋଗଦେଇ ୧୯୮୬ ମସିହାର ଶିଶୁ ଶ୍ରମ ନିଷେଧ ଆଇନ ଠାରୁ ଆରମ୍ଭ କରି ୨୦୦୯ ମସିହାର ଶିକ୍ଷା ଅଧିକାର ଆଇନ ପର୍ଯ୍ୟନ୍ତ ବିଭିନ୍ନ ଆଇନଗତ ଦିଗ ଉପରେ ଆଲୋକପାତ କରିଥିଲେ। ଶିଶୁର ସୁରକ୍ଷା ଓ ଶିକ୍ଷା କିପରି ତା’ର ଭବିଷ୍ୟତ ଗଠନରେ ସହାୟକ ହେବ, ସେ ସମ୍ପର୍କରେ ସେ ତଥ୍ୟଭିତ୍ତିକ ଉପସ୍ଥାପନା କରିଥିଲେ।

ଏହି ବୈଠକରେ ଜାତୀୟ ଶିଶୁ ଶ୍ରମ ପ୍ରକଳ୍ପର ସ୍ୱତନ୍ତ୍ର ତାଲିମ କେନ୍ଦ୍ରକୁ “ଉଦ୍ଧାର ପାଇଥିବା ପିଲାଙ୍କ ଦ୍ୱିତୀୟ ଘର” ଭାବେ ଅଭିହିତ କରାଯାଇଥିଲା। ଶ୍ରମ, ଶିକ୍ଷା ଏବଂ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର ସମନ୍ୱିତ ଉଦ୍ୟମ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଶିଶୁଙ୍କୁ ଉଦ୍ଧାର କରିବା ଠାରୁ ଆରମ୍ଭ କରି ସେମାନଙ୍କର ଉପଯୁକ୍ତ ଥଇଥାନ ପର୍ଯ୍ୟନ୍ତ ପ୍ରତିଟି ପର୍ଯ୍ୟାୟରେ ବିଭିନ୍ନ ବିଭାଗର ଦାୟିତ୍ୱ ସମ୍ପର୍କରେ ଏଠାରେ ବିସ୍ତୃତ ଆଲୋଚନା ହୋଇଥିଲା। କର୍ମଶାଳାରେ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାଏକ, ଉପଜିଲ୍ଲାପାଳ ପ୍ରେମଲାଲ ହିଆଲ, ଆୟୋଗର ସଦସ୍ୟା କସ୍ତୁରୀ ମିଶ୍ର, ମାନସ୍ମିତା ଖୁଣ୍ଟିଆ ଓ ସୁଜାତା ନାୟକ ଉପସ୍ଥିତ ରହି ଶିଶୁ ଅଧିକାରର ସୁରକ୍ଷା ପାଇଁ ନିଜର ପ୍ରତିବଦ୍ଧତା ଦୋହରାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ବିଭାଗୀୟ ଅଧିକାରୀ, ଶିଶୁ ସହାୟତା କେନ୍ଦ୍ରର ପ୍ରତିନିଧି, ସ୍ୱେଚ୍ଛାସେବୀ ସଂଗଠନ ଓ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇଥିଲେ। ପରିଶେଷରେ ଉପଜିଲ୍ଲାପାଳ ପ୍ରେମଲାଲ ହିଆଲ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
(ରିପୋର୍ଟ: ବସନ୍ତ ପେଗଡ଼, କୋରାପୁଟ)
