
ବିଷମୁକ୍ତ ଫସଲ ଓ ଋଣ ମୁକ୍ତ ଚାଷୀ ଉପରେ ଗୁରୁତ୍ଵାରୋପ
ସୁନ୍ଦରଗଡ : ପ୍ରକୃତି ଆମ ଜୀବନର ଆଧାର। ଜଳ, ଜଙ୍ଗଲ, ଜମି, ଜୀବଜନ୍ତୁ ଏବଂ ବିହନର ସୁରକ୍ଷା ହିଁ ଆଗାମୀ ପିଢ଼ିର ସୁରକ୍ଷିତ ଭବିଷ୍ୟତର ଭିତ୍ତି। ଦେଶୀ ବିହନ ସୁରକ୍ଷିତ ରହିଲେ ଖାଦ୍ୟ ସୁରକ୍ଷା ନିଶ୍ଚିତ ହେବ ଏବଂ ସୁସ୍ଥ ପରିବେଶ ହିଁ ସୁସ୍ଥ ସମାଜ ଗଠନର ପଥ ପ୍ରଶସ୍ତ କରିବ। ବର୍ତ୍ତମାନର ଜଳବାୟୁ ପରିବର୍ତ୍ତନ, ରାସାୟନିକ କୃଷିର ବୃଦ୍ଧି ଏବଂ ବାଣିଜ୍ୟିକ ବିହନ ଉପରେ ଅତ୍ୟଧିକ ନିର୍ଭରଶୀଳତା ମଧ୍ୟରେ ଦେଶୀ ବିହନର ସଂରକ୍ଷଣ କେବଳ କୃଷି ନୁହେଁ, ବରଂ ସଂସ୍କୃତି, ପରମ୍ପରା, ଆତ୍ମନିର୍ଭରତା ଓ ଚିରସ୍ଥାୟୀ ବିକାଶର ଏକ ଅବିଚ୍ଛିନ୍ନ ଅଂଶ ବୋଲି ଚାଷୀମାନେ ମତ ପ୍ରକାଶ କରିଛନ୍ତି। ବିଶ୍ୱ ପରିବେଶ ଦିବସ ଅବସରରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସେବକ ପକ୍ଷରୁ ରୁରାଲ ରିସୋର୍ସ ସେଣ୍ଟରଠାରେ “ଦେଶୀ ବିହନ ସଂରକ୍ଷଣ ଓ ସମୁଦାୟ ବିହନ ବ୍ୟାଙ୍କ ପ୍ରତିଷ୍ଠା” ଉପରେ ଏକ ଜିଲ୍ଲା ସ୍ତରୀୟ ସମ୍ମିଳନୀ ଆୟୋଜିତ ହୋଇଥିଲା। ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ବ୍ଲକରୁ ୧୦୦ରୁ ଅଧିକ ଚାଷୀ ଏଥିରେ ଅଂଶଗ୍ରହଣ କରିଥିଲେ।

ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୁନ୍ଦରଗଡ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ସନ୍ତୋଷ ଅମାତ ଦେଶୀ ବିହନର ସଂରକ୍ଷଣ ଓ ସଂପ୍ରସାରଣକୁ ଏକ ଜନଆନ୍ଦୋଳନରେ ପରିଣତ କରିବା ସହ ଏହାକୁ ବ୍ୟବସାୟିକ ରୂପ ଦେବାକୁ ଆହ୍ୱାନ ଦେଇଥିଲେ। ସମ୍ମାନିତ ଅତିଥି ଅବସରପ୍ରାପ୍ତ ବନାଞ୍ଚଳ ଅଧିକାରୀ ଅଶ୍ୱିନୀ କୁମାର ପଟେଲ ଜୈବ ବିବିଧତା ସଂରକ୍ଷଣ ଏବଂ ପରିବେଶ ସନ୍ତୁଳନ ରକ୍ଷା ପାଇଁ ଗୋଷ୍ଠୀ ସହଭାଗିତାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। କୃଷି ବିଶେଷଜ୍ଞ ଭାବେ ଅବସରପ୍ରାପ୍ତ କୃଷି ଅଧିକାରୀ ଉଦିତ କୁମାର ନାଏକ ବିହନ ସଂରକ୍ଷଣ ଆଇନ ଏବଂ କୃଷକ ଅଧିକାର ଆଇନ ସମ୍ପର୍କରେ ବିସ୍ତୃତ ଆଲୋଚନା କରିବା ସହ ପ୍ରାକୃତିକ କୃଷିର ସଫଳତା ପାଇଁ ଦେଶୀ ବିହନ ସଂରକ୍ଷଣ ଅପରିହାର୍ଯ୍ୟ ବୋଲି କହିଥିଲେ। ଦେଶୀ ବିହନ ସଂରକ୍ଷକ ସୂରଥ ରାମ କିଶାନ ଓ ଗୀତାଞ୍ଜଳି ନାଏକ ନିଜ ଅନୁଭୂତି ବାଣ୍ଟି ଚାଷୀମାନଙ୍କୁ ପ୍ରେରିତ କରିଥିଲେ।
କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗଦେଇ ନ୍ୟାସନାଲ କୋଆଲିସନ ଫର ନ୍ୟାଚୁରାଲ ଫାର୍ମିଙ୍ଗର ରାଜ୍ୟ ସଂଯୋଜକ ଡ. ଇମ୍ରାନ ଅଲି ବିଷମୁକ୍ତ କୃଷିର ଗୁରୁତ୍ୱ ଉପରେ ମୂଲ୍ୟବାନ ମତାମତ ରଖିଥିଲେ। ସେ ରାସାୟନିକ ମୁକ୍ତ ଏବଂ ସ୍ଥାୟୀ କୃଷି ପଦ୍ଧତିକୁ ଆପଣାଇବା ପାଇଁ ଚାଷୀମାନଙ୍କୁ ଆହ୍ୱାନ କରିଥିଲେ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ସେବକର ସମ୍ପାଦକ ପ୍ରଦୀପ କୁମାର ବ୍ରହ୍ମ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ସେବକର ଅଧ୍ୟକ୍ଷ ଅମିୟକାନ୍ତ ନାଏକ ଦେଶୀ ବିହନ ସଂରକ୍ଷଣ ଅଭିଯାନରେ ଅଧିକରୁ ଅଧିକ ଚାଷୀଙ୍କ ସାମିଲ ହେବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ।
ସେବକର କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଦିଗାମ୍ବର ଉପାଧ୍ୟାୟ ବିଶ୍ୱ ପରିବେଶ ଦିବସର ତାତ୍ପର୍ଯ୍ୟ ଉପରେ ଆଲୋଚନା କରିବା ସହ “ଗ୍ରୀନ ମେମୋରୀ କ୍ୟାମ୍ପେନ”, “ବୃକ୍ଷ ରକ୍ଷା ବନ୍ଧନ”, “ବିହନ ବଲ ଅଭିଯାନ” ଏବଂ ପକ୍ଷୀମାନଙ୍କ ପାଇଁ ଜଳପାତ୍ର ସ୍ଥାପନ ଭଳି ଅଭିନବ ପଦକ୍ଷେପ ଉପରେ ଉପସ୍ଥାପନା ରଖିଥିଲେ।
ଏହି ଅବସରରେ ଜଙ୍ଗଲ ବିଭାଗର ସହଯୋଗରେ ସେବକ କମ୍ପ୍ୟୁଟର ସେଣ୍ଟର ପକ୍ଷରୁ ଆୟୋଜିତ ପ୍ରବନ୍ଧ ଲିଖନ, ପ୍ରଶ୍ନୋତ୍ତର ଓ ଝୋଟି ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।
ସେବକର ବରିଷ୍ଠ କର୍ମୀ ବେଦବ୍ୟାସ ଧୁରୁଆ ସଭା ସଞ୍ଚାଳନ କରିଥିବା ବେଳେ ଚକ୍ରଧର ପୃଷେଠ ଓ ବର୍ଷା ସାହୁ ବିଭିନ୍ନ ଅଧିବେଶନର ସଫଳ ପରିଚାଳନା କରିଥିଲେ। ଶେଷରେ ସ୍ନିଗ୍ଧାରାଣୀ ମହାକୁଳ ଧନ୍ୟବାଦ ଅର୍ପଣ କରିଥିଲେ।
ସମ୍ମିଳନୀରେ ଦେଶୀ ବିହନ ସଂରକ୍ଷଣ, ପ୍ରାକୃତିକ କୃଷି, ଖାଦ୍ୟ ସୁରକ୍ଷା ଏବଂ ଜଳବାୟୁ ସହନଶୀଳ କୃଷି ପ୍ରଣାଳୀ ଗଠନ ଉପରେ ଗଭୀର ଆଲୋଚନା ହୋଇଥିଲା।
