ଆର୍.ଆଇ. କୋଠା ନିର୍ମାଣ ନେଇ ଆଦିବାସୀ ନେତାଙ୍କ ସହ ଆଲୋଚନା: ଏଡିଏମ୍ଙ୍କ ନେତୃତ୍ୱରେ ଜିଲ୍ଲାପାଳ କାର୍ଯ୍ୟାଳୟରେ ବୈଠକ

ମାଲକାନଗିରି, ୫ ଜୁନ: ମାରିୱାଡା ଆର୍.ଆଇ. ସର୍କଲ ଅଧୀନରେ ପ୍ରସ୍ତାବିତ ନୂତନ ରାଜସ୍ୱ ନିରୀକ୍ଷକ (ଆର୍.ଆଇ.) କୋଠା ନିର୍ମାଣ ସମ୍ପର୍କରେ ଆଜି ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ (ଏଡିଏମ୍)ଙ୍କ ନେତୃତ୍ୱରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଛି।
ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ପତ୍ର ସଂଖ୍ୟା–୫୦୫୦/XXVI-26/2026, ତାରିଖ ୩୦ ମେ ୨୦୨୬ ଅନୁଯାୟୀ ଗୋରାଖୁଣ୍ଟା, ମାରିୱାଡା ଓ ତୁମସାପାଲ୍ଲୀ ଗ୍ରାମ ପଞ୍ଚାୟତର ଆଦିବାସୀ ନେତାମାନଙ୍କୁ ବୈଠକରେ ଯୋଗଦେବା ପାଇଁ ଆମନ୍ତ୍ରଣ କରାଯାଇଥିଲା। ଉକ୍ତ ପତ୍ରଟି ତହସିଲଦାର, ମାଲକାନଗିରିଙ୍କ ପତ୍ର ସଂଖ୍ୟା–୧୬୧୯, ତାରିଖ ୨୩ ମାର୍ଚ୍ଚ ୨୦୨୬ ର ସନ୍ଦର୍ଭରେ ଜାରି କରାଯାଇଥିଲା।
ବୈଠକରେ ନୂତନ ଆର୍.ଆଇ. କୋଠାର ସ୍ଥାନ ଚୟନ, ଜନସାଧାରଣଙ୍କ ସୁବିଧା, ପ୍ରଶାସନିକ କାର୍ଯ୍ୟର ସୁଦୃଢ଼ୀକରଣ ଓ ସ୍ଥାନୀୟ ଲୋକଙ୍କ ମତାମତ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଆଦିବାସୀ ନେତାମାନେ ନିଜ ମତାମତ ଓ ପ୍ରସ୍ତାବ ଉପସ୍ଥାପନ କରିଥିବା ବେଳେ ପ୍ରଶାସନ ପକ୍ଷରୁ ସେଗୁଡ଼ିକୁ ବିଚାରକୁ ନିଆଯିବ ବୋଲି ଆଶ୍ୱାସନ ଦିଆଯାଇଥିଲା।
ମାରିୱାଡା ଆର୍.ଆଇ. ସର୍କଲ ଅଧୀନରେ ଏକାଧିକ ଗ୍ରାମ ପଞ୍ଚାୟତ ରହିଥିବାରୁ ରାଜସ୍ୱ ସେବାକୁ ଲୋକଙ୍କ ନିକଟରେ ଅଧିକ ସହଜ ଓ ସୁଗମ କରିବା ଉଦ୍ଦେଶ୍ୟରେ ନୂତନ ଆର୍.ଆଇ. କୋଠା ନିର୍ମାଣ ପାଇଁ ପ୍ରଶାସନ ପଦକ୍ଷେପ ନେଇଥିବା ଜଣାପଡ଼ିଛି। ବୈଠକରେ ଆଲୋଚନା ଆଧାରରେ ପରବର୍ତ୍ତୀ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି l
