
ରାଜସୁନାଖଳା : ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାର ମଧ୍ୟ ଭାଗରେ ଅବସ୍ଥିତ ଏକ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ହେଉଛି
ରାଜସୁନାଖଳା। ଏହି ଅଞ୍ଚଳରେ ବିଭିନ୍ନ ହୋଟେଲ , ଫାଷ୍ଟଫୁଡ୍ , ଉଠା ଜଳଖିଆ ଦୋକାନ ଓ ମିଠା ଦୋକାନ ଆଦି ରହିଛି । ଯେଉଁ ଥିରେ ଅପମିଶ୍ରିତ ତଥା ନିମ୍ନମାନର ଖାଦ୍ୟ ପଦାର୍ଥ ବିକ୍ରି ହେଉ ଥିବା ନେଇ ବାରମ୍ବାର ଅଭିଯୋଗ ହେଉଛି । ସ୍ଥାନୀୟ ଅଞ୍ଚଳରେ ସନ୍ଧ୍ୟା ସମୟରେ ଛତୁ ଫୁଟିଲା ପରି ଶତାଧିକ ଷ୍ଟ୍ରିଟ୍ଫୁଡ୍ ଓ ଫାଷ୍ଟଫୁଡ୍ର ଅସ୍ଥାୟୀ ଦୋକାନ ଖୋଲି ଚାଲିଛି । କିଛି ସ୍ଥାନରେ ବାସି ଖାଦ୍ୟ ବିକ୍ରି ହେଉଥିବା ବେଳେ ବିଭିନ୍ନ ଫାଷ୍ଟଫୁଡ୍ ଦୋକାନରେ ବେଆଇନ ଭାବେ ମଦ ବିକ୍ରି ହେଉଛି । ଖାଦ୍ୟର ମାନ ତଦାରଖ ପାଇଁ ବିଭାଗ ପକ୍ଷରୁ କୌଣସି ନିୟମିତ ଯାଞ୍ଚ କରାଯାଉ ନାହିଁ । ଫଳରେ ଦୋକାନୀମାନେ ବେଖାତିର ଭାବରେ ପ୍ରଶାସନ ଆଖିରେ ଅନ୍ଧ ପୁଟୁଳି ବାନ୍ଧି ବିନା ଖାଦ୍ୟ ଲାଇସେନ୍ସ ରେ ବେପାର କରି ଚାଲିଛନ୍ତି। ଅପମିଶ୍ରିତ ଖାଦ୍ୟ ଖାଇବା ଦ୍ବାରା ଗ୍ରାମବାସୀମାନେ ବିଭିନ୍ନ ରୋଗର ଶିକାର ହେଉଛନ୍ତି।
ବାରମ୍ବାର ଅଭିଯୋଗ ସତ୍ତ୍ୱେ ମଧ୍ଯ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ କୌଣସି ଚଢ଼ାଉ କରାଯାଉନାହିଁ। ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ କ୍ଵଚିତ୍ ଚଢ଼ାଉ ହେଉଥିବା ବେଳେ ଗତ ଶନିବାର ଦିନ ମଧ୍ୟାହ୍ନ ସମୟରେ ଏକ ଲୋକ ଦେଖାଣିଆ ଚଢ଼ାଉ କରା ଯାଇଥିଲା। ଯେଉଁଥିରେ ମାତ୍ର ୨ଟି ମିଠା ଦୋକାନ ଓ ଗୋଟିଏ ହୋଟେଲ ପରିଦର୍ଶନ କରି ଲାଇସେନ୍ସ ଯାଞ୍ଚ କରିଥିଲେ। ଏଥିରେ କିଛି ଦୋକାନୀ ଭୟଭୀତ ହୋଇ ଦୋକାନ ବଜାର ବନ୍ଦ କରି ଦେଇ ଥିବାର ଦେଖିବାକୁ ମିଳିଥିଲା । ତେବେ ସାଧାରଣ ଚଢ଼ାଉରେ ଦୋକାନ ବଜାର ବନ୍ଦ ରହୁ ଥିବା ବେଳେ ସ୍ଵତନ୍ତ୍ର ଭାବରେ ଏବଂ ଅତର୍କିତ ଚଢ଼ାଉ କରାଗଲେ ନିଶ୍ଚିତ ଭାବରେ ଅପମିଶ୍ରିତ ଖାଦ୍ୟ ବିକ୍ରି କୁ ରୋକା ଯାଇ ପାରିବ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ବିଭାଗୀୟ କର୍ତ୍ତୃପକ୍ଷ ଓ ଜିଲ୍ଲାପାଳ ଜନ ସାଧାରଣ ଙ୍କ ସ୍ୱାସ୍ଥ୍ୟ ପ୍ରତି ଦୃଷ୍ଟି ଦେଇ ଅପମିଶ୍ରିତ ଖାଦ୍ୟ ବିକ୍ରି କରୁଥିବା ବ୍ୟବସାୟୀଙ୍କ ବିପକ୍ଷରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।
