୧୦ ବର୍ଷର ବିବାଦରେ ପଡ଼ିବ ପୂର୍ଣ୍ଣଚେଦ: ହାଇକୋର୍ଟଙ୍କ ନିର୍ଦ୍ଦେଶରେ କୁସୁମପୁର-ନାକଟିସିମଡା ଜଙ୍ଗଲ ସୀମା ନିର୍ଦ୍ଧାରଣ

add-all

ଉମରକୋଟ/ରାଇଘର : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ କୁସୁମପୁର ଓ ନାକଟିସିମଡା ଗ୍ରାମ ମଧ୍ୟରେ ଲାଗି ରହିଥିବା ଦଶନ୍ଧିର ପୁରୁଣା ଜଙ୍ଗଲ ସୀମା ବିବାଦର ସମାଧାନ ପାଇଁ ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରାଯାଇଛି। ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗତ ରବିବାର ଦିନ ବନ ବିଭାଗ ଓ ରାଜସ୍ୱ ବିଭାଗର ଏକ ମିଳିତ ଟିମ୍ ବିବାଦୀୟ ଅଞ୍ଚଳରେ ପହଞ୍ଚି ଜଙ୍ଗଲ ସୀମାର ସଠିକ୍ ନିର୍ଦ୍ଧାରଣ କାର୍ଯ୍ୟ ସମ୍ପନ୍ନ କରିଛନ୍ତି।
ସୂଚନାଯୋଗ୍ୟ ଯେ, କୁସୁମପୁର ଓ ନାକଟିସିମଡା ଗ୍ରାମ ମଧ୍ୟରେ ଥିବା ଜଙ୍ଗଲ ଜମିକୁ ନେଇ ଗତ ୧୦ ବର୍ଷ ହେବ ମତଭେଦ ଲାଗି ରହିଥିଲା। ଉଭୟ ଗ୍ରାମର ବାସିନ୍ଦା ସୀମା ସମ୍ପର୍କରେ ଭିନ୍ନ ଭିନ୍ନ ଦାବି କରିବାରୁ ପରିସ୍ଥିତି ଜଟିଳ ହେବାରେ ଲାଗିଥିଲା। ସ୍ଥାନୀୟ ସ୍ତରରେ ବହୁ ବାର ବୈଠକ ହୋଇଥିଲେ ସୁଦ୍ଧା କୌଣସି ସ୍ଥାୟୀ ସମାଧାନ ବାହାରି ପାରିନଥିଲା। ଶେଷରେ ନ୍ୟାୟ ପାଇଁ ଏହି ମାମଲା ହାଇକୋର୍ଟରେ ପହଞ୍ଚିଥିଲା।
ମାମଲାର ଗୁରୁତ୍ୱକୁ ଅନୁଭବ କରି ହାଇକୋର୍ଟ ସୀମା ନିର୍ଦ୍ଧାରଣ ପାଇଁ ବନ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଆଦେଶକୁ କାର୍ଯ୍ୟକାରୀ କରିବା ପାଇଁ ନବରଙ୍ଗପୁର ଜିଲ୍ଲା ସହକାରୀ ବନ ସଂରକ୍ଷକ (ACF) ସୁବାଷ ଚନ୍ଦ୍ର ଖୁଣ୍ଟିଆଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ଦଳ ଗଠନ କରାଯାଇଥିଲା। ଏହି ଟିମ୍‌ରେ ରାଇଘର ଅତିରିକ୍ତ ତହସିଲଦାର ମୌସୁମୀ ସଜ୍ଜନ, ବନ ଅଧିକାରୀ ମହମ୍ମଦ ଅବଦୁଲ ସମ୍ଦ, ଭୁନେଶ ପୂଜାରୀ, ପ୍ରଦୀପ କୁମାର ଦାସ, ଲଖିରାମ ମାଝୀ ଓ ଭବାନୀ ଶଙ୍କର ବିଶୋଇଙ୍କ ସମେତ ଜିଲ୍ଲାର ୬ଟି ରେଞ୍ଜର କର୍ମଚାରୀ ସାମିଲ ହୋଇଥିଲେ।
ସୀମା ନିର୍ଦ୍ଧାରଣ ସମୟରେ ଅଧିକାରୀମାନେ ପୁରାତନ ସରକାରୀ ରେକର୍ଡ ଓ ଜଙ୍ଗଲ ମାନଚିତ୍ରର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିଥିଲେ। ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ କରିବା ପାଇଁ ଆଧୁନିକ ଜିପିଏସ୍ (GPS) ବ୍ୟବସ୍ଥାର ସହାୟତା ନିଆଯାଇଥିଲା। ଏହା ସହିତ ସ୍ଥାନୀୟ ବୃଦ୍ଧ ଓ ଅଭିଜ୍ଞ ବ୍ୟକ୍ତିଙ୍କଠାରୁ ପୁରୁଣା ସୀମା ଚିହ୍ନ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଇଥିଲା।
ବନ ବିଭାଗ ଅଧିକାରୀଙ୍କ ସୂଚନା ଅନୁଯାୟୀ, ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଓଡ଼ିଶାରେ ଏତେ ବଡ଼ ଧରଣର ଜଙ୍ଗଲ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ସମ୍ଭବତଃ ପ୍ରଥମ। ଏହି ସଫଳ ପଦକ୍ଷେପ ଆଗାମୀ ଦିନରେ ଅନ୍ୟ ସୀମା ବିବାଦ ସମାଧାନ ପାଇଁ ଏକ ‘ମଡେଲ’ ଭାବେ କାର୍ଯ୍ୟ କରିବ।
ସେକ୍ସନ ଫରେଷ୍ଟରଙ୍କ କହିବା ଅନୁଯାୟୀ, ସର୍ଭେରୁ ମିଳିଥିବା ସମସ୍ତ ତଥ୍ୟ ଓ ମାନଚିତ୍ରକୁ ନେଇ ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରାଯାଉଛି। ଏହି ରିପୋର୍ଟ ଖୁବଶୀଘ୍ର ହାଇକୋର୍ଟରେ ଦାଖଲ କରାଯିବ। କୋର୍ଟଙ୍କ ଚୂଡ଼ାନ୍ତ ମୋହର ବାଜିବା ପରେ ଉଭୟ ଗ୍ରାମ ମଧ୍ୟରେ ଥିବା ଦ୍ୱନ୍ଦ୍ୱ ଦୂର ହେବ।
ଦୀର୍ଘ ଦଶ ବର୍ଷ ପରେ ଏହି ସମସ୍ୟାର ସମାଧାନ ଦିଗରେ ବାଟ ଫିଟିଥିବାରୁ କୁସୁମପୁର ଓ ନାକଟିସିମଡା ଗ୍ରାମବାସୀଙ୍କ ମଧ୍ୟରେ ଖୁସିର ଲହର ଖେଳିଯାଇଛି। ଏହି ନିଷ୍ପତ୍ତି ଉଭୟ ଗ୍ରାମ ମଧ୍ୟରେ ପୁଣି ଥରେ ଶାନ୍ତି ଓ ଭାଇଚାରା ପ୍ରତିଷ୍ଠା କରିବ ବୋଲି ସ୍ଥାନୀୟ ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।

(ରିପୋର୍ଟ: ରସିକ ସରକାର, ଉମରକୋଟ)

ad-week
Leave A Reply

Your email address will not be published.