
ନୟାଗଡ: ଉପଭୋକ୍ତା ତଥା ଖାଉଟି କମ୍ପ୍ୟୁଟର କଣ୍ଟା ଉପରେ ବିଶ୍ୱାସ କରି ବିଭିନ୍ନ ଜିନିଷ କିଣୁଥିବା ବେଳେ ନୟାଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ କମ୍ପ୍ୟୁଟର କଣ୍ଟାରେ ସାଙ୍ଘାତିକ ଠକେଇ ହେଉଥିବା ଅଭିଯୋଗ ଆସିଛି । ଏକ କେଜି ଜିନିଷ କିଣିଲେ ପ୍ରାୟ ୧୫୦ ଗ୍ରାମରୁ ଅଧିକ ଠକେଇ ହେଉଛି । ଅଧିକ ଠକେଇ ସାଧାରଣତଃ ମାଛ ଓ ମାଂସ ହେଉଥିବା ବେଳେ ଜିଲ୍ଲା ବୈଧମାପ ବିଜ୍ଞାନ ବିଭାଗ କିନ୍ତୁ ନୀରବଦ୍ରଷ୍ଟା ।ଲୋକଦେଖାଣିଆ କେତେକ ସ୍ଥାନରେ ଚଢାଉ ହେଉଥିବା ବେଳେ ଏହାକୁ ଛୋଟ ବ୍ୟବସାୟୀ ଗୁରୁତ୍ଵ ଦେଉନଥିବା ଅଭିଯୋଗ ଆସିଛି । ନୟାଗଡ ଜିଲ୍ଲାର ସମସ୍ତ ବ୍ଲକ, ଏନଏସି ଓ ନୟାଗଡ ପୌର ପରିଷଦରେ ପ୍ରାୟ ଅଧିକାଂଶ ବ୍ୟବସାୟୀ କମ୍ପ୍ୟୁଟର କଣ୍ଟା ବ୍ୟବହାର କରୁଛନ୍ତି । ସେଥି ମଧ୍ୟରୁ ଅନେକ ବ୍ୟବସାୟୀ ଓଜନ ଓ ମାପରେ ଗ୍ରାହକ ମାନଙ୍କୁ ଠକୁ ଥିବା ବେଳେ ବୈଧମାପ ବିଜ୍ଞାନ ବିଭାଗ ବର୍ଷକୁ ୧୫୦ ରୁ ଉର୍ଦ୍ଧ୍ବ ମାମଲା ରୁଜୁ କରି ଚୁପ୍ ହୋଇ ବସିରହିଛି ।ଗ୍ରାହକ ମାନଙ୍କୁ କମ୍ପ୍ୟୁଟର କଣ୍ଟା ତଥା ଡିଜିଟାଲ କଣ୍ଟାର ମାୟାଜାଲରେ ଗ୍ରାହକ ମାନଙ୍କୁ ପ୍ରତ୍ୟେକ ଦିନ ଠକେଇ କରାଯାଉଛି ।ସାଧାରଣତଃ ଆମିଷ ବ୍ୟବସାୟୀ ମାନେ ଏହି କମ୍ପ୍ୟୁଟର କଣ୍ଟାରେ ଠକେଇ କରୁଥିବା ଅନେକ ଗ୍ରାହକ ଅଭିଯୋଗ କରୁଥିଲେ ମଧ୍ୟ ସେମାନଙ୍କୁ କେହି କର୍ଣ୍ଣପାତ କରୁ ନାହାନ୍ତି ।ଗ୍ରାହକ ମାନେ ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହିତ ପ୍ରଶାସନ ଏଥିପ୍ରତି ତୁରନ୍ତ ପଦକ୍ଷେପ ନେବାକୁ ଦାବି ହେଉଛି ।
