ଭିନ୍ନକ୍ଷମଙ୍କୁ ବିବାହ କଲେ ରାଜ୍ୟ ସରକାର ଦେବେ ଅଢ଼େଇ ଲକ୍ଷ ଟଙ୍କା

add-all

ଭୁବନେଶ୍ୱର: ସମାଜରେ ଭିନ୍ନକ୍ଷମ ବା ଦିବ୍ୟାଙ୍ଗମାନଙ୍କୁ ଏକ ସ୍ୱାଭାବିକ ଏବଂ ସମ୍ମାନଜନକ ଜୀବନ ଜିଇବାର ସୁଯୋଗ ଦେବା ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ସାଧାରଣ ବ୍ୟକ୍ତି ଓ ଦିବ୍ୟାଙ୍ଗଙ୍କ ମଧ୍ୟରେ ବିବାହକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ପୁରସ୍କାର ରାଶି ଘୋଷଣା କରାଯାଇଛି।

ଏହି ଯୋଜନା ଅଧୀନରେ କୌଣସି ଜଣେ ସାଧାରଣ ବ୍ୟକ୍ତି ଜଣେ ଭିନ୍ନକ୍ଷମଙ୍କୁ ବିବାହ କଲେ, ସେହି ନବଦମ୍ପତିଙ୍କୁ ସରକାରଙ୍କ ତରଫରୁ ୨ ଲକ୍ଷ ୫୦ ହଜାର ଟଙ୍କାର ଆର୍ଥିକ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। ଏହି ମେଗା ଯୋଜନାର ସଫଳ ରୂପାୟନ ଏବଂ ସ୍ୱଚ୍ଛତା ବଜାୟ ରଖିବା ପାଇଁ ସରକାର ଏକ ନୂତନ ଓ କଡ଼ା ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି।

ସରକାରଙ୍କ ପକ୍ଷରୁ ପ୍ରକାଶିତ ନୂତନ ନିୟମାବଳୀ ଅନୁଯାୟୀ, ଆବେଦନକାରୀମାନଙ୍କୁ ନିମ୍ନଲିଖିତ ସର୍ତ୍ତ ପୂରଣ କରିବାକୁ ପଡ଼ିବ:

  • ଅକ୍ଷମତାର ପ୍ରମାଣ: ବିବାହ କରୁଥିବା ଦମ୍ପତିଙ୍କ ମଧ୍ୟରୁ ଯେକୌଣସି ଜଣେ (ପତି କିମ୍ବା ପତ୍ନୀ) ଅତିକମରେ ୪୦ ପ୍ରତିଶତ କିମ୍ବା ତା’ଠାରୁ ଅଧିକ ଭିନ୍ନକ୍ଷମ ହୋଇଥିବା ଆବଶ୍ୟକ ଏବଂ ସେମାନଙ୍କ ପାଖରେ ବୈଧ UDID କାର୍ଡ ଥିବା ଜରୁରି।
  • ବୟସ ସୀମା: ବିବାହ ସମୟରେ ବରର ବୟସ ସର୍ବନିମ୍ନ ୨୧ ବର୍ଷ ଏବଂ କନ୍ୟାର ବୟସ ଅତିକମରେ ୧୮ ବର୍ଷ ହୋଇଥିବା ଆବଶ୍ୟକ। ଆବେଦନ ପାଇଁ ସର୍ବାଧିକ ବୟସ ସୀମା ୬୦ ବର୍ଷ ଧାର୍ଯ୍ୟ କରାଯାଇଛି।
  • ଓଡ଼ିଶାର ବାସିନ୍ଦା: ଉଭୟ ପତି ଓ ପତ୍ନୀ ଓଡ଼ିଶାର ସ୍ଥାୟୀ ବାସିନ୍ଦା ହୋଇଥିବା ଆବଶ୍ୟକ।
  • ଯୌତୁକ ମୁକ୍ତ ବିବାହ: ଏହି ଯୋଜନାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସର୍ତ୍ତ ହେଉଛି, ସମ୍ପୃକ୍ତ ବିବାହଟି ସମ୍ପୂର୍ଣ୍ଣ ରୂପେ ଯୌତୁକ ମୁକ୍ତ ହୋଇଥିବା ଉଚିତ। ଆବେଦନ ସମୟରେ ଏନେଇ ଏକ ସ୍ୱତନ୍ତ୍ର ଘୋଷଣାନାମା ଦେବାକୁ ପଡ଼ିବ।

ଏହି ପ୍ରୋତ୍ସାହନ ରାଶି ସିଧାସଳଖ ଉଭୟଙ୍କର ଏକ ଜଏଣ୍ଟ ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବ। ମାତ୍ର ଠକେଇ ରୋକିବା ପାଇଁ ଏହି ଟଙ୍କା ୩ ବର୍ଷ ପର୍ଯ୍ୟନ୍ତ ‘ଲକ୍-ଇନ୍’ ପିରିୟଡ୍‌ରେ ରହିବ। ବିବାହର ପ୍ରଥମ ଛଅ ମାସ ପରେ ୧୦%, ପ୍ରଥମ ବର୍ଷ ପରେ ୧୦% ଏବଂ ସଫଳ ବିବାହର ୩ ବର୍ଷ ପୂର୍ଣ୍ଣ ହେବା ପରେ ବାକି ୮୦% ଟଙ୍କା ଉଠାଯାଇପାରିବ।

ସରକାରୀ ଯୋଜନାର ଅପବ୍ୟବହାର କିମ୍ବା ମିଛ ଆଧାରରେ ଟଙ୍କା ହଡ଼ପ ଉଦ୍ୟମକୁ ରୋକିବା ପାଇଁ ଏକ ଯାଞ୍ଚ ବ୍ୟବସ୍ଥା କରାଯାଇଛି। ବିବାହ ପଞ୍ଜିକରଣ ହେବାର ଗୋଟିଏ ବର୍ଷ ମଧ୍ୟରେ ଦମ୍ପତିଙ୍କୁ ଅନଲାଇନ୍‌ ପୋର୍ଟାଲ୍‌ (www.ssepd.gov.in) ମାଧ୍ୟମରେ ଆବେଦନ କରିବାକୁ ହେବ। ଆବେଦନ ପରେ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ଧାସଳଖ ହିତାଧିକାରୀଙ୍କ ଘରକୁ ଯାଇ ବିବାହ ଓ କାଗଜପତ୍ରର ସତ୍ୟତା ଯାଞ୍ଚ କରିବେ। ଯାଞ୍ଚ ସମୟରେ ଦମ୍ପତିଙ୍କୁ ଶାରୀରିକ ଭାବେ ଉପସ୍ଥିତ ରହିବାକୁ ପଡ଼ିବ।

ଯଦି କୌଣସି ବ୍ୟକ୍ତି ଜାଲିଆତି କରି କିମ୍ବା ଭୁଲ୍ ତଥ୍ୟ ଦେଇ ଏହି ଯୋଜନାର ଆର୍ଥିକ ଲାଭ ଉଠାନ୍ତି, ତେବେ ତାଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଭଳି କ୍ଷେତ୍ରରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଭିନ୍ନକ୍ଷମ ଅଧିକାର ଅଧିନିୟମ (RPwD Act, 2016)ର ଦଫା ୯୧ ଅନୁଯାୟୀ ୨ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ କିମ୍ବା ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା କରାଯାଇପାରେ। ଏଥିସହ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସମସ୍ତ ଅର୍ଥକୁ ୧୨% ସୁଧ ସହ ଜବତ କରାଯିବ।

ସେହିପରି ଯଦି ବିବାହର ୫ ବର୍ଷ ମଧ୍ୟରେ ଦମ୍ପତିଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୁଏ, ତେବେ ସାଧାରଣ ପତି/ପତ୍ନୀଙ୍କୁ ମିଳିଥିବା ଅର୍ଥର ୫୦ ପ୍ରତିଶତ ଭାଗ ସରକାରୀକୁ ଫେରସ୍ତ କରିବାକୁ ପଡ଼ିବ ବୋଲି ଗାଇଡ୍‌ଲାଇନ୍‌ରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି।

ad-week
Leave A Reply

Your email address will not be published.