କଡ଼ା ସୁରକ୍ଷାରେ ସରିଲା NEET UG 2026 ପୁନଃ-ପରୀକ୍ଷା

add-all

ନୂଆଦିଲ୍ଲୀ : କଡ଼ା ସୁରକ୍ଷା ମଧ୍ୟରେ ସାରା ଦେଶରେ ଶେଷ ହେଲା NEET UG 2026 ପୁନଃ-ପରୀକ୍ଷା ।  ପେପର ଲିକ୍ ବିବାଦ ପରେ ପୁନଃ ପରୀକ୍ଷା ଦେଲେ ୨୨ ଲକ୍ଷରୁ ଅଧିକ ମେଡିକାଲ ଆଶାୟୀ ।  ଗତ ମେ ୩ ତାରିଖରେ ହୋଇଥିବା ପରୀକ୍ଷାରେ ପେପର ଲିକ୍ ଅଭିଯୋଗ ଆସିବା ପରେ, ଆଜି ସାରା ଦେଶରେ NEET UG 2026 ପୁନଃ-ପରୀକ୍ଷା ସଫଳତାର ସହ ଶେଷ ହୋଇଛି ।

ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଏବଂ ଭାରତ ସରକାରଙ୍କ ପକ୍ଷରୁ ମେଡିକାଲ ଆଶାୟୀଙ୍କ ମଧ୍ୟରେ ବିଶ୍ୱାସ ଓ ସ୍ୱଚ୍ଛତା ଫେରାଇ ଆଣିବା ପାଇଁ କଡ଼ା ସୁରକ୍ଷା ମଧ୍ୟରେ ପରୀକ୍ଷା ହୋଇଛି । ଅପରାହ୍ନ ୨ଟାରୁ ୫ଟା୧୫ ଯାଏ ଅଫ୍ ଲାଇନ୍ ମୋଡ୍ ରେ କରାଯାଇଥିଲା ପରୀକ୍ଷା। ତେବେ ଏହି ସ୍ପେଶାଲ୍ ରି-ଏକ୍ସାମ୍ ର ୧୦ଟି ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ଦିଗ ରହିଛି । ପରୀକ୍ଷା ବାତିଲ ହେବାର ପ୍ରାୟ ୭ ସପ୍ତାହ ପରେ ଏହି ପୁନଃ-ପରୀକ୍ଷା କରାଯାଇଛି। ଏଥିପାଇଁ ଛାତ୍ରଛାତ୍ରୀଙ୍କୁ କୌଣସି ନୂଆ ପଞ୍ଜୀକରଣ କରିବାକୁ ପଡ଼ିନଥିଲା, ପୁରୁଣା ରୋଲ୍ ନମ୍ବର ଆଧାରରେ ହିଁ ସେମାନେ ପରୀକ୍ଷା ଦେଇଛନ୍ତି।

ଏଥର ପ୍ରାୟ ୨୨.୭୯ ଲକ୍ଷ ମେଡିକାଲ ଆଶାୟୀ ପରୀକ୍ଷାରେ ଅଂଶଗ୍ରହଣ କରିଛନ୍ତି, ଯାହା ଏହାକୁ ବିଶ୍ୱର ସବୁଠାରୁ ବଡ଼ ଏକଦିବସୀୟ ଅଫ୍ ଲାଇନ୍ ପରୀକ୍ଷା ଭାବେ ଗଣ୍ୟ କରୁଛି। ସାରା ଭାରତର ୫୫୧ଟି ସହର ଏବଂ ବିଦେଶର ୧୪ଟି ସହରକୁ ମିଶାଇ ମୋଟ ୫,୪୦୦ରୁ ଅଧିକ ପରୀକ୍ଷା କେନ୍ଦ୍ର ପ୍ରସ୍ତୁତ କରାଯାଇଥିଲା। ପେପର ଲିକ୍ ରୋକିବା ପାଇଁ ଏଥର ଅଦ୍ଭୁତପୂର୍ବ ସୁରକ୍ଷା ଦିଆଯାଇଥିଲା । ଆଧାର ଭିତ୍ତିକ ବାୟୋମେଟ୍ରିକ୍ ଯାଞ୍ଚ, ୧,୩୮,୫୬୦ରୁ ଅଧିକ ଏଆଇ ସିସିଟିଭି କ୍ୟାମେରା ଦ୍ୱାରା ଲାଇଭ୍ ମନିଟରିଂ କରାଯାଉଥିଲା।

ସେହିପରି କେନ୍ଦ୍ରଗୁଡ଼ିକରେ ୫୧,୦୦୦ରୁ ଅଧିକ ଜାମରର ବ୍ୟବହାର ହୋଇଥିଲା। ଜିପିଏସ୍ ଯୁକ୍ତ ସୁରକ୍ଷିତ ଗାଡ଼ି ଏବଂ କେତେକ ସମ୍ବେଦନଶୀଳ ଅଞ୍ଚଳରେ ଭାରତୀୟ ବାୟୁସେନାର ସହାୟତାରେ ପ୍ରଶ୍ନପତ୍ର ପହଞ୍ଚାଯାଇଥିଲା। ପରୀକ୍ଷାର ଫର୍ମାଟ୍ ରେ କୌଣସି ପରିବର୍ତ୍ତନ କରାଯାଇ ନଥିଲା। ମୋଟ ୭୨୦ ମାର୍କ ପାଇଁ ୧୮୦ଟି ପ୍ରଶ୍ନ ରହିଥିଲା ।  ସେମଧ୍ୟରେ ପଦାର୍ଥ ବିଜ୍ଞାନରୁ ୪୫, ରସାୟନ ବିଜ୍ଞାନରୁ ୪୫, ଜୀବ ବିଜ୍ଞାନରୁ ୯୦ ମାର୍କର ପ୍ରଶ୍ନ ଆସିଥିଲା । ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଏଥର ପ୍ରଶ୍ନପତ୍ର ବୁକଲେଟ୍ ରେ ରଫ୍ କାମ କରିବା ପାଇଁ ୪ ପୃଷ୍ଠାର ରଫ୍ ସିଟ୍ ଦିଆଯାଇଥିଲା, ଯାହା ଦ୍ୱାରା ସେମାନଙ୍କ ସମୟ ବଞ୍ଚିପାରିବ।

ପରୀକ୍ଷାର୍ଥୀଙ୍କ ପାଇଁ ସକାଳ ୧୧ଟା ରୁ ଦିନ ୧ଟା ୩୦ ପର୍ଯ୍ୟନ୍ତ ରିପୋର୍ଟିଂ ସମୟ ଥିଲା। କେନ୍ଦ୍ର ମଧ୍ୟରେ ପାୱାର ବ୍ୟାକଅପ୍, ପାଣି, ମେଡିକାଲ ସପୋର୍ଟ ଏବଂ କାନ୍ଥ ଘଣ୍ଟାର ବ୍ୟବସ୍ଥା କରାଯାଇଥିଲା। ଧାର୍ମିକ ପୋଷାକ ପିନ୍ଧୁଥିବା ଏବଂ ମଧୁମେହ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ଛାଡ଼ ରହିଥିଲା। ସୋସିଆଲ ମିଡିଆରେ ପୁଣିଥରେ ପେପର ଲିକ୍ ର ମିଥ୍ୟା ଗୁଜବ ସୃଷ୍ଟି କରୁଥିବା ଦୁର୍ବୃତ୍ତଙ୍କ ବିରୋଧରେ NTA ସାଇବର କ୍ରାଇମ୍ ବିଭାଗରେ ଅଭିଯୋଗ କରିଛି ଏବଂ କହିଛି ଯେ ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି। ପରୀକ୍ଷା ପୂର୍ବରୁ ସମସ୍ତ କେନ୍ଦ୍ରରେ ମକ୍ ଡ୍ରିଲ୍ ଏବଂ ପାଣିପାଗକୁ ଦୃଷ୍ଟିରେ ରଖି ଜରୁରୀକାଳୀନ ଯୋଜନା ପ୍ରସ୍ତୁତ କରାଯାଇଥିଲା।

ବାୟୋମେଟ୍ରିକ୍ ଫେଲ୍ ହେଲେ ମାନୁଆଲ୍ ଆଇଡେଣ୍ଟିଟି ଯାଞ୍ଚର ବିକଳ୍ପ ମଧ୍ୟ ରଖାଯାଇଥିଲା। ଏହି ପରୀକ୍ଷାର ଫଳାଫଳ ଆସନ୍ତା ଜୁଲାଇ ୨୦୨୬ ସୁଦ୍ଧା ପ୍ରକାଶ ପାଇବାର ସମ୍ଭାବନା ଅଛି। ବାରମ୍ବାର ହେଉଥିବା ପେପର ଲିକ୍ ବିବାଦକୁ ରୋକିବା ପାଇଁ ୨୦୨୭ ସୁଦ୍ଧା NEET ପରୀକ୍ଷାକୁ ସମ୍ପୂର୍ଣ୍ଣ କମ୍ପୁଟର ଭିତ୍ତିକ ବା CBT ମୋଡରେ କରିବାକୁ ଦାବି ଜୋର ଧରିଛି ।  ପରୀକ୍ଷାର୍ଥୀଙ୍କ କୌଣସି ବି ଦ୍ୱନ୍ଦ୍ୱ ପାଇଁ NTA ପକ୍ଷରୁ ହେଲ୍ପଲାଇନ ନମ୍ବର 011-40759000, 011-69227700 ଏବଂ ଇମେଲ୍ [email protected] ଜାରି କରାଯାଇଛି ।

ad-week
Leave A Reply

Your email address will not be published.