ଗାନ୍ଧୀ ଇଞ୍ଜିନିୟରିଙ୍ଗ କଲେଜ ଛାତ୍ରୀଙ୍କ ମୃତ୍ୟୁ ମାମଲା : ଖଣି ମନ୍ତ୍ରୀଙ୍କ ପୁତୁରା ଗିରଫ, ଆତ୍ମହତ୍ୟା ନୁହେଁ ହତ୍ୟା ଅଭିଯୋଗ ଆଣିଲା ବିଜେଡି

add-all

ବ୍ରହ୍ମପୁର/ଗୋଳନ୍ଥରା : ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଘରୋଇ ଗାନ୍ଧୀ ଇଞ୍ଜିନିୟରିଙ୍ଗ କଲେଜ ହଷ୍ଟେଲରୁ ଗତକାଲି ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହେବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ମୃତ ଛାତ୍ରୀ ଜଣକ ସ୍ମୃତି ଭୋଳ ବୋଲି ଜଣାପଡ଼ିଥିବା ବେଳେ, ପରିବାର ପକ୍ଷରୁ ଏହାକୁ ଆତ୍ମହତ୍ୟା ନୁହେଁ ବରଂ ସୁକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରାଯାଇଛି। ଏହି ଘଟଣାକୁ ନେଇ ଜିଲ୍ଲା ବିଜେଡି ସରକାରଙ୍କ ଉପରେ ବର୍ଷିବା ସହ ନିରପେକ୍ଷ ତଦନ୍ତ ଦାବି କରିଛି। ଅପରପକ୍ଷରେ ଗୋଳନ୍ଥରା ଥାନା ପୋଲିସ ମୃତ ଛାତ୍ରୀଙ୍କ ପୁରୁଷ ବନ୍ଧୁ ତଥା ମନ୍ତ୍ରୀଙ୍କ ପୁତୁରାକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଆଜି ସ୍ଥାନୀୟ ହୋଟେଲ ମୋତି ସମ୍ମିଳନୀ କକ୍ଷରେ ଜିଲ୍ଲା ବିଜେଡି ପକ୍ଷରୁ ଏକ ଜରୁରୀ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା। ଏଥିରେ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ସାଂସଦ ଚନ୍ଦ୍ର ଶେଖର ସାହୁ ଯୋଗଦେଇ କହିଛନ୍ତି ଯେ, ଏହି ମୃତ୍ୟୁ ପାଇଁ ଗୋପାଳପୁର ବିଧାୟକ ତଥା ମନ୍ତ୍ରୀ ବିଭୁତି ଭୂଷଣ ଜେନାଙ୍କ ପୁତୁରା ବିଶ୍ୱଜିତ ଜେନା ସମ୍ପୂର୍ଣ୍ଣ ଭାବେ ଦାୟୀ। ସ୍ମୃତି ଏବଂ ବିଶ୍ୱଜିତଙ୍କ ମଧ୍ୟରେ ପୂର୍ବରୁ ସମ୍ପର୍କ ରହିଥିଲା। ମାତ୍ର ବିଶ୍ୱଜିତ ଗତ କିଛି ମାସ ଧରି ସ୍ମୃତିଙ୍କୁ ପ୍ରବଳ ମାନସିକ ଚାପ ଦେଇ ଆସୁଥିଲେ, ଯାହା ଫଳରେ ମାନସିକ ଭାରସାମ୍ୟ ହରାଇ ଯୁବତୀ ଜଣକ ଚରମ ପଦକ୍ଷେପ ନେବାକୁ ବାଧ୍ୟ ହୋଇଛନ୍ତି। ବିଜେଡି ପକ୍ଷରୁ ମୃତ ସ୍ମୃତିଙ୍କ ସମସ୍ତ କଲ୍ ରେକର୍ଡ ଓ ହୋଷ୍ଟେଲରେ ଲାଗିଥିବା ସିସିଟିଭି ଫୁଟେଜ୍‌କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରାଯାଇଛି।

ସେପଟେ ଘଟଣାକୁ ଗମ୍ଭୀରତାର ସହ ନେଇ ଗୋଳନ୍ଥରା ଥାନା ପୋଲିସ ମୃତ ଛାତ୍ରୀଙ୍କ ପୁରୁଷ ବନ୍ଧୁ ବିଶ୍ୱଜିତ ଜେନାଙ୍କୁ ଗିରଫ କରିଛି। ଗିରଫ ବିଶ୍ୱଜିତ ସେହି କଲେଜରେ ବିସିଏ (BCA) ଶେଷ ବର୍ଷର ଛାତ୍ର ବୋଲି ଜଣାପଡ଼ିଛି। ମୃତ ଛାତ୍ରୀଙ୍କ ମାମୁଁଙ୍କ ଅଭିଯୋଗକୁ ଆଧାର କରି ପୋଲିସ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୧୦୮ (ଆତ୍ମହତ୍ୟା ପାଇଁ ଉସୁକାଇବା) ଅନୁଯାୟୀ ଏକ ମାମଲା ରୁଜୁ କରିଛି। ବିଶ୍ୱଜିତକୁ ଗିରଫ କରାଯିବା ପରେ ଆଜି କୋର୍ଟ ଚାଲାଣ କରାଯାଇଛି ବୋଲି ବ୍ରହ୍ମପୁର ଏସ.ପି. ଡାକ୍ତର ସର୍ବଣା ବିବେକ ଏମ୍. ସୂଚନା ଦେଇଛନ୍ତି।

ପୋଲିସ ଘଟଣାସ୍ଥଳରୁ ସ୍ମୃତିଙ୍କ ଲାପଟପ୍, ମୋବାଇଲ୍ ଫୋନ୍ ଏବଂ ହୋଷ୍ଟେଲର ସିସିଟିଭି କ୍ୟାମେରା ଫୁଟେଜ୍ ଜବତ କରି ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଯାଞ୍ଚ କରୁଛି। ତଦନ୍ତକୁ ଅଧିକ ସ୍ୱଚ୍ଛ ଓ ତଥ୍ୟଭିତ୍ତିକ କରିବା ପାଇଁ ପୋଲିସ ବିଭିନ୍ନ ଦିଗକୁ ନେଇ ଅନୁସନ୍ଧାନ ଚଳାଇଥିବା ଏସ.ପି. ପ୍ରକାଶ କରିଛନ୍ତି। ଏହି ହତ୍ୟା ବନାମ ଆତ୍ମହତ୍ୟା ମାମଲାକୁ ନେଇ ସ୍ଥାନୀୟ ଅଞ୍ଚଳରେ ରାଜନୈତିକ ଉଷ୍ମତା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି।

ad-week
Leave A Reply

Your email address will not be published.