ବମ୍ବେ ଆଇଆଇଟି ଛାତ୍ରଙ୍କ ଆତ୍ମହତ୍ୟା ଘଟଣା; ଡିନ୍ ପଦରୁ ନିଲମ୍ବିତ ହେଲେ ପ୍ରଫେସର ସୂର୍ଯ୍ୟନାରାୟଣ

ମୁମ୍ବଇ: ଆଇଆଇଟି ବମ୍ବେର ବିଟେକ୍ ଛାତ୍ର ସାହିଲ ୱାକୋଡେଙ୍କ ଆତ୍ମହତ୍ୟା ମାମଲାରେ ଅନୁଷ୍ଠାନ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଓ ଦାବି ପରେ ଅନୁଷ୍ଠାନ ନିଜର ପୂର୍ବ ବକ୍ତବ୍ୟ ପାଇଁ କ୍ଷମା ପ୍ରାର୍ଥନା କରିବା ସହ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲାଙ୍କୁ ଡିନ୍ (ଛାତ୍ର ବ୍ୟାପାର) ପଦରୁ ନିଲମ୍ବିତ କରିଛି। ତେବେ ସେ ଏନର୍ଜି ସାଇନ୍ସ ଓ ଇଞ୍ଜିନୟରିଂ ବିଭାଗର ପ୍ରଫେସର ଓ ବିଭାଗୀୟ ମୁଖ୍ୟ ଭାବେ କାର୍ଯ୍ୟ ଜାରି ରଖିବେ। ତଦନ୍ତ ପରେ ତାଙ୍କ ବିରୋଧରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତଦନ୍ତ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ଏହି ନିଷ୍ପତ୍ତି ଲାଗୁ ରହିବ ବୋଲି ଅନୁଷ୍ଠାନର ନିର୍ଦେଶକ ପ୍ରଫେସର୍ ଶିରୀଶ କେଦାରେ ସୂଚନା ଦେଇଛନ୍ତି।

ଆଇଆଇଟି ବମ୍ବେ ପୂର୍ବରୁ ଦେଇଥିବା ବିବୃତିରେ ଦର୍ଶାଇଥିଲା ଯେ ପରୀକ୍ଷା ସମୟରେ ଛାତ୍ର ଜଣକ ମୋବାଇଲରେ ଏଆଇ ଚାଟ୍‌ଜିପିଟି ବ୍ୟବହାର କରି କପି କରୁଥିବା ବେଳେ ଧରାପଡ଼ିଥିଲେ। ଏହି ବକ୍ତବ୍ୟକୁ ନେଇ ଆନ୍ଦୋଳନକାରୀ ଛାତ୍ରମାନେ ଅସନ୍ତୋଷ ପ୍ରକାଶ କରିବା ସହ ଏହା ମୃତ ଛାତ୍ରଙ୍କୁ ବଦନାମ କରିବା ସଦୃଶ ବୋଲି କହିଥିଲେ। ଏହାପରେ ଆଇଆଇଟି ବମ୍ବେ ନିଜର ଭୁଲ୍ ସ୍ୱୀକାର କରି କ୍ଷମା ପ୍ରାର୍ଥନା କରିଛି ଏବଂ ପୂର୍ବ ବକ୍ତବ୍ୟକୁ ପ୍ରତ୍ୟାହାର କରିନେଇଛି। ମୃତ ଛାତ୍ରଙ୍କ ପରିବାର ଲୋକେ ପ୍ରଫେସରଙ୍କ ବିରୋଧରେ ଜାତିଗତ ଭେଦଭାବ ଓ ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ ଆଣିଛନ୍ତି। ପୁଲିସ ଏହି ମାମଲାରେ ଆତ୍ମହତ୍ୟା ପାଇଁ ଉସକାଇବା ଏବଂ ଅନୁସୂଚିତ ଜାତି ଓ ଜନଜାତି ଅତ୍ୟାଚାର ନିରୋଧ ଆଇନ ଅଧୀନରେ ମାମଲା ରୁଜୁ କରିଛି। ଏହି ସମ୍ବେଦନଶୀଳ ମାମଲାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ମୁମ୍ବଇ ପୁଲିସ ତଦନ୍ତ ଭାର କ୍ରାଇମ୍ ବ୍ରାଞ୍ଚକୁ ହସ୍ତାନ୍ତର କରିଛି। ଛାତ୍ରଙ୍କ ପକ୍ଷରୁ ଦିଆଯାଇଥିବା ୧୮ ଦଫା ଦାବିପତ୍ରକୁ ଆଇଆଇଟି ପ୍ରଶାସନ ଗ୍ରହଣ କରିବା ସହ କ୍ୟାମ୍ପସରେ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରୁଛି।

ଅନ୍ୟପଟେ ଆଇଆଇଟି ବମ୍ବେ ‘ଫ୍ୟାକଲ୍ଟି ଫୋରମ୍’ (ଶିକ୍ଷକ ସଂଘ) ପ୍ରଫେସର୍ ସୂର୍ଯ୍ୟନାରାୟଣଙ୍କ ସମର୍ଥନରେ ବାହାରିଛି। ପ୍ରଫେସର୍ ଡୁଲ୍ଲାଙ୍କୁ ଡିନ୍ ପଦରୁ ହଟାଯିବା ଏବଂ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ନେଇ ଶିକ୍ଷକ ସଂଘ କ୍ଷୋଭ ପ୍ରକାଶ କରିବା ସହିତ ତାଙ୍କ ସହ ଦୃଢ଼ଭାବେ ଛିଡ଼ା ହୋଇଛି। ଫ୍ୟାକଲ୍ଟି ଫୋରମ୍ କହିଛି ଯେ, ପରୀକ୍ଷା ସମୟରେ ଛାତ୍ର ଜଣକ ଅସଦଉପାୟ ଆପଣାଉଥିବା ବେଳେ ପ୍ରଫେସର୍ ଡୁଲ୍ଲା ତାଙ୍କୁ ଧରିଥିଲେ। ସଂସ୍ଥାନର ଶାସନ ଓ ପରୀକ୍ଷା ନିୟମାବଳୀ ଅନୁସାରେ ସେ କେବଳ ନିଜର କର୍ତ୍ତବ୍ୟ ସମ୍ପାଦନ କରିଥିଲେ ଏବଂ ଏହାକୁ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ। ଶିକ୍ଷକ ସଂଘ ସ୍ପଷ୍ଟ କରିଛି ଯେ ପ୍ରଫେସର୍ ଡୁଲ୍ଲାଙ୍କୁ ସଂସ୍ଥାନରୁ ନିଲମ୍ବିତ କରାଯାଇ ନାହିଁ। ନିରପେକ୍ଷ ଓ ସ୍ୱାଧୀନ ତଦନ୍ତ ପାଇଁ ତାଙ୍କୁ କେବଳ ଡିନ୍ ଦାୟିତ୍ୱରୁ ଅସ୍ଥାୟୀ ଭାବେ ଅବ୍ୟାହତି ଦିଆଯାଇଛି।

ସୂଚନାଯୋଗ୍ୟ ସାହିଲ ଏନର୍ଜି ସାଇନ୍ସ ଓ ଇଞ୍ଜିନିୟରିଂ ବିଭାଗର ବିଟେକ୍‌ ଛାତ୍ର ଥିଲେ। ଗତ ୧୮ ତାରିଖରେ ତାଙ୍କୁ ହଷ୍ଟେଲ କୋଠାରିରୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ରିପୋର୍ଟ ଅନୁଯାୟୀ ସାହିତ ତାଙ୍କ ମିଡ୍ ସେମିଷ୍ଟର ପରୀକ୍ଷା ଦେଇ ଆସିବାର କିଛି ଘଣ୍ଟା ପରେ ଆତ୍ମହତ୍ୟା କରିଥିଲେ। ପରୀକ୍ଷା ସମୟରେ ପ୍ରଫେସର ସୂର୍ଯ୍ୟନାରାୟଣ ତାଙ୍କ ନିରୀକ୍ଷକ ଥିଲେ। ପରୀକ୍ଷା ସମୟରେ ସାହିଲ କପି କରି ଧରାପଡିଥିଲେ। ଏଥିପାଇଁ ପ୍ରଫେସର ତାଙ୍କୁ କାର୍ଯ୍ୟାନୁଷ୍ଠାନର ଧମକ ଦେଇଥିବା ଅଭିଯୋଗ ହୋଇଛି।

ad-week
Leave A Reply

Your email address will not be published.