
ନୂଆଦିଲ୍ଲୀ : ନିଟ୍ ପରୀକ୍ଷାର୍ଥୀଙ୍କ ପାଇଁ ୪୫ ମିନିଟ ଅପେକ୍ଷା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି ନିଜ କାରକେଡ ଯୋଗୁଁ କାଳେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ପାଇଁ ସମସ୍ୟା ନହେବ, ଏଣୁ ଦିଲ୍ଲୀ ଏୟାରପୋର୍ଟରେ ପ୍ରାୟ ୪୫ ମିନିଟ ଅପେକ୍ଷା କରିଥିଲେ । ଆଜି କୋଲକାତାରେ ଆୟୋଜିତ ଆନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମ ସାରି ପ୍ରଧାନମନ୍ତ୍ରୀ ଦିନ ୧ଟା ୧୫ ମିନିଟ୍ ରେ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲେ ।
ଯେହେତୁ NEET ପରୀକ୍ଷା ଅପରାହ୍ନ ୨ଟାରେ ଆରମ୍ଭ ହେବାର ଥିଲା, ତେଣୁ ପରୀକ୍ଷାର୍ଥୀମାନେ ସେମାନଙ୍କ ପରୀକ୍ଷା କେନ୍ଦ୍ର ଆଡକୁ ଯାଉଥିଲେ । ଯଦି ପ୍ରଧାନମନ୍ତ୍ରୀଙ୍କ କାରକେଡ୍ ତୁରନ୍ତ ବିମାନବନ୍ଦରରୁ ବାହାରିଥାନ୍ତା, ତେବେ ସୁରକ୍ଷା ପ୍ରୋଟୋକଲ୍ ଅନୁଯାୟୀ ଦିଲ୍ଲୀର ପ୍ରମୁଖ ରାସ୍ତାଗୁଡ଼ିକରେ ଯାତାୟାତ ବନ୍ଦ କରିଦିଆଯାଇଥାନ୍ତା ।
ଯାହା ଦ୍ୱାରା ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାରେ ବିଳମ୍ବ ହୋଇଥାନ୍ତା। ଛାତ୍ରଛାତ୍ରୀଙ୍କ ସୁବିଧାକୁ ପ୍ରାଥମିକତା ଦେଇ ସେ ଅପରାହ୍ନ ୨ଟାରେ ପରୀକ୍ଷା ଆରମ୍ଭ ହେବା ପର୍ଯ୍ୟନ୍ତ ବିମାନବନ୍ଦର ଲାଉଞ୍ଜରେ ରହିବାକୁ ନିଷ୍ପତ୍ତି ନେଇଥିଲେ। ମୋଦିଙ୍କ ଏଭଳି ନିଷ୍ପତ୍ତି ତାଙ୍କ ନିଆରା ନେତୃତ୍ବ ଓ ସାଧାରଣ ଲୋକଙ୍କ ପ୍ରତି ଥିବା ଦାୟିତ୍ବକୁ ଦର୍ଶାଏ ।
