ଓଡ଼ିଶା-ଝାଡ଼ଖଣ୍ଡ ସଂଯୋଗୀକରଣ ବାଇପାସ୍ ରାସ୍ତା ମରଣଯନ୍ତା: ତିନୋଟି ପଞ୍ଚାୟତର ଗ୍ରାମବାସୀଙ୍କ ଦ୍ୱାରା ରାସ୍ତା ଅବରୋଧ, ବିଧାୟକଙ୍କ ପ୍ରତିଶ୍ରୁତି

add-all

କୁଆଁରମୁଣ୍ଡା (ନିସର୍ତ୍ତ ନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ସଲଙ୍ଗାବାହାଲ ଦେଇ ଯାଇଥିବା ପିଡବ୍ଲ୍ୟୁଡି (PWD-28) ରାସ୍ତାଟି ଏବେ ସମ୍ପୂର୍ଣ୍ଣ ଶୋଚନୀୟ ହୋଇପଡ଼ିଛି। ରାସ୍ତାର ଶୋଚନୀୟ ଅବସ୍ଥା ପ୍ରତିବାଦରେ ଆଜି ତିନୋଟି ପଞ୍ଚାୟତର ଶତାଧିକ ଗ୍ରାମବାସୀ ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, କୁତ୍ରା-ରାଞ୍ଚି ରୋଡ୍, ସଲଙ୍ଗାବାହାଲ ଏବଂ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡକୁ ସଂଯୋଗ କରୁଥିବା ଏହି ଏକମାତ୍ର ମୁଖ୍ୟ ବାଇପାସ୍ ରାସ୍ତାରେ ଏବେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି। ସାମ୍ପ୍ରତିକ ବର୍ଷା ଯୋଗୁଁ ଏହି ଖାଲଖମା ଗୁଡ଼ିକରେ ପାଣି ଜମି ରହି ପୂରା ରାସ୍ତା କାଦୁଅ ଓ ପଙ୍କରେ ଭର୍ତ୍ତି ହୋଇଯାଇଛି। ଫଳରେ ସାଧାରଣ ଲୋକଙ୍କ ଯାତାୟାତ ଏକପ୍ରକାର ଦୁର୍ବିସହ ହୋଇପଡ଼ିଛି। ପ୍ରତିଦିନ ଦୂରଦୂରାନ୍ତରୁ ଆସୁଥିବା ବାଇକ୍ ଆରୋହୀମାନେ ଏହି ଗର୍ତ୍ତଗୁଡ଼ିକରେ ପଡ଼ି ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଏହି ରାସ୍ତା ଦେଇ ଦୈନିକ ହଜାର ହଜାର ଭାରୀ ମାଲବାହୀ ଯାନ ଚଳାଚଳ କରୁଥିବାରୁ ଏହାର ଅବସ୍ଥା ଦିନକୁ ଦିନ ଅଧିକ ଗୁରୁତର ହେବାରେ ଲାଗିଛି।

ଅପରପକ୍ଷରେ, ଏହି ମାର୍ଗରେ ଥିବା ଶଙ୍ଖ ନଦୀ ଉପରେ ନିର୍ମିତ ‘ଜାଗୁ ସେତୁ’ର ଅବସ୍ଥା ମଧ୍ୟ ଅତ୍ୟନ୍ତ ବିପଜ୍ଜନକ ହୋଇପଡ଼ିଛି। କ୍ଷମତାଠାରୁ ଅଧିକ ବର୍ଷା ଏବଂ ପ୍ରଖର ଜଳସ୍ରୋତ ଯୋଗୁଁ ସେତୁଟି ଦୁର୍ବଳ ହେବା ସହ ଅନେକ ସ୍ଥାନରେ ଭାଙ୍ଗି ଯାଇଛି, ଯାହା ଏକ ବଡ଼ ଦୁର୍ଘଟଣାକୁ ଆମନ୍ତ୍ରଣ କରୁଛି।

ରାସ୍ତା ଅବରୋଧ ଓ ଜନଅସନ୍ତୋଷ ଖବର ପାଇ ବିରମିତ୍ରପୁର ବିଧାୟକ ଶ୍ରୀ ରୋହିତ ଜୋସେଫ ତୀର୍କୀ ଆଜି ସଲଙ୍ଗାବାହାଲଠାରେ ପହଞ୍ଚିଥିଲେ। ସେ ସେଠାରେ ଉପସ୍ଥିତ ପିଡବ୍ଲ୍ୟୁଡି (PWD)ର ଏସ.ଡି.ଓ.ଙ୍କ ସହିତ ସିଧାସଳଖ ଆଲୋଚନା କରିଥିଲେ। ଆସନ୍ତା ଏକ ସପ୍ତାହ ମଧ୍ୟରେ ଏହି ବିପଦସଙ୍କୁଳ ରାସ୍ତାର ମରାମତି କାର୍ଯ୍ୟ ଶେଷ କରାଯିବ ବୋଲି ବିଧାୟକ ଓ ବିଭାଗୀୟ ଅଧିକାରୀ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହ ବିଧାୟକ ଚେତାବନୀ ଦେଇ କହିଛନ୍ତି ଯେ, ଯଦି ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ ନହୁଏ, ତେବେ ଆଗାମୀ ଦିନରେ ବ୍ୟାପକ ସ୍ତରରେ ରାସ୍ତାରୋକ କରାଯିବା ସହ ୧୪୩ ନମ୍ବର ଜାତୀୟ ରାଜପଥକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବ।

ଏହି ଆନ୍ଦୋଳନ ଓ ରାସ୍ତା ଅବରୋଧ ସମୟରେ ଆଇନଶୃଙ୍ଖଳା ରକ୍ଷା ପାଇଁ ଘଟଣାସ୍ଥଳରେ ବିରମିତ୍ରପୁର ପୋଲିସ ଉପଖଣ୍ଡ ଅଧିକାରୀ (SDPO) ପୁଷ୍ପେନ୍ଦୁ ସାଗର, ବିରମିତ୍ରପୁର ଥାନା ଆଇଆଇସି (IIC) ରାମ ପ୍ରସାଦ ନାଗ, ରାଏବଗା ଥାନା ଆଇଆଇସି ଦିବ୍ୟ କୁମାର ଓରାମଙ୍କ ସମେତ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ମରାମତି ପ୍ରତିଶ୍ରୁତି ମିଳିବା ପରେ ଗ୍ରାମବାସୀମାନେ ଆନ୍ଦୋଳନରୁ ଓହରିଥିଲେ।

ad-week
Leave A Reply

Your email address will not be published.