
ଉମରକୋଟ : ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳରେ ବି.ଇଡି ଆଡମିସନ ଏବଂ ସାର୍ଟିଫିକେଟ କରାଇ ଦେବା ନାମରେ ଠକେଇ ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଉମରକୋଟ ପୋଲିସ ଗିରଫ କରିଛି। ଗିରଫ ବ୍ୟକ୍ତି ହେଲେ ରମାକାନ୍ତ ବେହେରା, ପିତା– ହିରଣ୍ୟ ବେହେରା। ତାଙ୍କର ସ୍ଥାୟୀ ବାସସ୍ଥାନ ବରଗଡ଼ ଜିଲ୍ଲା, ବରଗଡ଼ ଥାନା ଅଞ୍ଚଳ, ହୋଇଥିବା ବେଳେ ବର୍ତ୍ତମାନ ସେ ନବରଙ୍ଗପୁର ଜିଲ୍ଲା, ଉମରକୋଟ ଥାନା ଅନ୍ତର୍ଗତ ଧୋଦ୍ରା ଗ୍ରାମରେ ବସବାସ କରୁଥିବା ଜଣାପଡ଼ିଛି।
ଅଭିଯୋଗ ଅନୁଯାୟୀ, ରମାକାନ୍ତ ବେହେରା ବି.ଇଡି ଆଡମିସନ ସହ ସାର୍ଟିଫିକେଟ କରାଇ ଦେବାର ପ୍ରତିଶ୍ରୁତି ଦେଇ ଉମରକୋଟ ଅଞ୍ଚଳର ବିଭିନ୍ନ ଛାତ୍ରଛାତ୍ରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଆଦାୟ କରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ପ୍ରଭାବିତ ଛାତ୍ରଛାତ୍ରୀମାନେ ଆଜି ଉମରକୋଟ ଥାନାରେ ଏକ ଲିଖିତ ଅଭିଯୋଗ ଦାଖଲ କରିଥିଲେ।
ଘଟଣାକୁ ଗୁରୁତ୍ୱର ସହ ନେଇ ଉମରକୋଟ ଥାନା ଭାରପ୍ରାପ୍ତ ଅଧିକାରୀ ତଦନ୍ତ ଆରମ୍ଭ କରିଥିଲେ। ତଦନ୍ତରେ ଅଭିଯୋଗର ସତ୍ୟତା ସାମ୍ନାକୁ ଆସିବା ପରେ ପୋଲିସ ଅଭିଯୁକ୍ତ ରମାକାନ୍ତ ବେହେରାଙ୍କୁ ଗିରଫ କରିଛି।
ଏହି ଘଟଣାକୁ ନେଇ ଉମରକୋଟ ଥାନା କେସ ନଂ– ୨୦୬/୨୦୨୬ ରେ ବି.ଏନ୍.ଏସ୍. (BNS) ଧାରା ୩୧୮(୪), ୩୩୬(୨), ୩୩୮/୩୩୬(୩), ୩୪୦(୨) ଏବଂ ୩(୩) ଅନୁଯାୟୀ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ ଜେଲ ହାଜତରେ ଫରୱାର୍ଡ କରି ଅଧିକରୁ ଅଧିକ ତଦନ୍ତ ଜାରି ରହିଛି ବଲି ସୂଚନା ମିଳିଛି।
