
ମାଲକାନଗିରି : ମାଲକାନଗିରି ଜିଲ୍ଲାର ସୀମାନ୍ତ ଅଞ୍ଚଳକୁ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ଛତିଶଗଡ଼ ରାଜ୍ୟର ସୀମା ସ୍ପର୍ଶ କରିଛି। ଜିଲ୍ଲାର ଅନେକ ସୀମାନ୍ତ ଗ୍ରାମ ଆଜି ମଧ୍ୟ ବିକାଶର ମୁଖ୍ୟ ସ୍ରୋତରୁ ବହୁ ଦୂରରେ ରହିଛନ୍ତି। ପ୍ରଶାସନିକ ଅବହେଳା ଓ ଜନପ୍ରତିନିଧିମାନଙ୍କ ଉଦାସୀନତା ଯୋଗୁଁ ଏହି ଗ୍ରାମଗୁଡ଼ିକର ଲୋକମାନେ ଦୟନୀୟ ଅବସ୍ଥାରେ ଜୀବନଯାପନ କରୁଛନ୍ତି।
ଏଭଳି ଏକ ଅବହେଳିତ ଗ୍ରାମ ହେଉଛି ମାଥିଲି ବ୍ଲକ ଅନ୍ତର୍ଗତ କମାରପାଲ୍ଲୀ ପଞ୍ଚାୟତର ଚିରକୁପା ଗ୍ରାମ। ଏହା ପଞ୍ଚାୟତ ସଦର ଠାରୁ ପ୍ରାୟ ୪ କିଲୋମିଟର ଏବଂ ମାଥିଲି ବ୍ଲକ ସଦର ମହକୁମାଠାରୁ ପ୍ରାୟ ୪୦ କିଲୋମିଟର ଦୂରରେ ଅବସ୍ଥିତ। ଗ୍ରାମକୁ ଲାଗି ରହିଛି ଛତିଶଗଡ଼ର ଚିନ୍ତଲନାର ଅଞ୍ଚଳ। ଏକ ସମୟରେ ଏହି ଅଞ୍ଚଳ ନକ୍ସଲ ପ୍ରଭାବିତ ଥିଲା ଏବଂ ଦରଭା ଡିଭିଜନର ନକ୍ସଲ କମାଣ୍ଡର ବିନୋଦଙ୍କ ପ୍ରଭାବ ରହିଥିବା କୁହାଯାଏ। ନକ୍ସଲ ଦମନ ପରେ ପରିସ୍ଥିତି ବଦଳିଥିଲେ ମଧ୍ୟ ବିକାଶ ଆଜି ମଧ୍ୟ ଏଠାରେ ପହଞ୍ଚିପାରିନାହିଁ।
ଚିରକୁପା ଗ୍ରାମରେ ପ୍ରାୟ ୩୦ଟି କୋୟା ଆଦିବାସୀ ପରିବାର ବସବାସ କରୁଛନ୍ତି। ଗ୍ରାମରେ ପାନୀୟ ଜଳର ଘୋର ସମସ୍ୟା ଦେଖାଦେଇଛି। ଦୁଇଟି ନଳକୂପ ଥିଲେ ମଧ୍ୟ ସେଥିରୁ ପାଣି ବାହାରୁନାହିଁ। ଗ୍ରାମରେ ଥିବା ସୋଲାର ପାନୀୟ ଜଳ ପ୍ରକଳ୍ପ ମଧ୍ୟ ଅଚଳ ହୋଇପଡ଼ିଛି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ଏହାର ମରାମତି ପାଇଁ କୌଣସି ପଦକ୍ଷେପ ନିଆଯାଇନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଫଳରେ ଲୋକମାନେ ନାଳ ଓ ଝରଣା ପାଣି ଉପରେ ନିର୍ଭର କରି ଜୀବନ ଯାପନ କରୁଛନ୍ତି।
ଦୈନନ୍ଦିନ ଜୀବିକା ନିର୍ବାହ ପାଇଁ ଗ୍ରାମବାସୀମାନେ ଛତିଶଗଡ଼ର ଚିନ୍ତଲନାର, ନୂପାକାଲେଙ୍ଗ ଓ ପୁସପାଲ ଅଞ୍ଚଳକୁ ଯାଉଛନ୍ତି। ସେଠାକାର ହାଟବଜାରରୁ ସେମାନେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କ୍ରୟ କରିଥାନ୍ତି। ଗ୍ରାମର ଅଧିକାଂଶ ଲୋକ ଓଡ଼ିଆ ଭାଷା ଜାଣିନଥିବାରୁ ଛତିଶଗଡ଼ର ଗୋଣ୍ଡି ଭାଷାରେ ହିଁ କଥାବାର୍ତ୍ତା କରନ୍ତି। ବିବାହ, ପର୍ବପର୍ବାଣୀ, ଶିକ୍ଷା ଓ ସ୍ୱାସ୍ଥ୍ୟସେବା ପାଇଁ ମଧ୍ୟ ସେମାନେ ଛତିଶଗଡ଼ ଉପରେ ନିର୍ଭରଶୀଳ।
ସବୁଠାରୁ ବଡ଼ ସମସ୍ୟା ହେଉଛି ଯାତାୟାତ। ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ଗ୍ରାମକୁ ପକ୍କା ରାସ୍ତା ନିର୍ମାଣ ହୋଇପାରିନାହିଁ। ଫଳରେ ଅତ୍ୟାବଶ୍ୟକ କାମ ନଥିଲେ ଗ୍ରାମବାସୀମାନେ ମାଥିଲି ବ୍ଲକ ସଦର ମହକୁମାକୁ ଆସନ୍ତି ନାହିଁ।
ଖୁବ୍ ଶୀଘ୍ର ଗ୍ରାମର ପାନୀୟ ଜଳ, ରାସ୍ତା, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ମୌଳିକ ସୁବିଧା ପ୍ରତି ପ୍ରଶାସନ ଦୃଷ୍ଟି ନଦେଲେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଉଚିତ ଜବାବ ଦିଆଯିବ ବୋଲି ଚିରକୁପା ଗ୍ରାମବାସୀ ଚେତାବନୀ ଦେଇଛନ୍ତି।
