
ନୟାଗଡ: ଓଡ଼ଗାଁ ବ୍ଲକର ବଡ଼ବାବୁ, କ୍ୟାସିଅର ଓ ଡେଭଲପମେଣ୍ଟ କର୍ମଚାରୀଙ୍କୁ ବଦଳି କରାଯାଇଥିବାରୁ ଆବଶ୍ୟକ ଉନ୍ନୟନ ମୂଳକ କାର୍ଯ୍ୟ ହୋଇପାରୁନାହିଁ । ବଡ଼ବାବୁଙ୍କ ୮ ମାସ ଚାକିରି ଥିବା ବେଳେ ତାଙ୍କୁ ନୟାଗଡ଼ ଜିଲ୍ଲା ଅଫିସକୁ ନିଆଯାଇଛି ।ଫଳରେ ଅନେକ କାର୍ଯ୍ୟର ବିଲ୍ ନହୋଇ ପଡିରହିଥିବା ବେଳେ ଠିକାଦାର ମାନେ ଟଙ୍କା ନପାଇ ହଟହଟା ହେଉଛନ୍ତି ।ମାତ୍ର କେତେକ କର୍ମଚାରୀ ଅନେକ ଦିନ ଧରି ଗାଦି ମାଡ଼ି ରହିଥିବା ବେଳେ ସେମାନଙ୍କୁ ହଟାଇବାକୁ ଜିଲ୍ଲା ପ୍ରଶାସନ ଅକ୍ଷମତା ପ୍ରକାଶ କରିଛି। ବଡ଼ବାବୁ ଗିରିଜା ଦାଶଙ୍କ ଚାକିରି ଆଉ ୧ବର୍ଷ ବାକି ଥିବା ବେଳେ ଅବସର ପୂର୍ବରୁ ବେଆଇନ ଭାବରେ ନୟାଗଡ଼ ବଦଳି କରାଯାଇଛି ।ସେହିପରି କ୍ୟାସିଅର ସୁଶାନ୍ତ କୁମାର ନାୟକ, ଡେଭଲପମେଣ୍ଟ କର୍ମଚାରୀ କାହୁଁ ଚରଣ ବେହେରାଙ୍କ ବଦଳି ଯୋଗୁଁ ବ୍ଲକର ଉନ୍ନୟନ କାର୍ଯ୍ୟରେ ବାଧା ଉପୁଜିଛି ।
ସେହିପରି ଓଡ଼ଗାଁ ବ୍ଲକରେ ଦୀର୍ଘ ୮ ବର୍ଷ ଧରି ଗାଦି ମାଡ଼ି ବସିଥିବା ସାମାଜିକ ସୁରକ୍ଷା ବିଭାଗ ଅଧିକାରୀ ରାଜସ୍ଵିନି ପ୍ରଧାନ, ମହିଳା ଓ ଶିଶୁ ସୁରକ୍ଷା ଅଧିକାରୀ ଲହଡ଼ିମାଳା ପ୍ରଧାନ ଦୀର୍ଘ ୯ ବର୍ଷ ଧରି କାର୍ଯ୍ୟ କରୁଥିଲେ ମଧ୍ୟ ତାଙ୍କ ପ୍ରତି ସହାନୁଭୂତି ଦେଖାଇବା ପଛର କାରଣକୁ ନେଇ ପ୍ରଶ୍ନ ଉଠିଛି।ସେହିପରି ଓଡ଼ଗାଁ ପୂର୍ବତନ ବିଡ଼ିଓ ଜିତେନ୍ଦ୍ର କୁମାର ନାୟକ ପଦୋନ୍ନତି ପାଇ ଅତିରିକ୍ତ ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀ ଭାବରେ କେନ୍ଦ୍ରାପଡ଼ା ଜିଲ୍ଲାକୁ ବଦଳି ହୋଇଥିଲା ମାତ୍ର ସେ ସେଠାକୁ ନଯାଇ ୭ ମାସ ପର୍ଯ୍ୟନ୍ତ ଓଡ଼ଗାଁ ବ୍ଲକ ଦାୟିତ୍ୱରେ ଥିଲେ ପରେ ତାଙ୍କୁ ନୟାଗଡ଼ ଅତିରିକ୍ତ ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀ ଭାବରେ ନିଯୁକ୍ତି ହୋଇଥିଲେ ।ତେଣୁ ସେ ପ୍ରାୟ ଏକ ବର୍ଷ ଧରି କ୍ୱାର୍ଟର ମାଡ଼ି ବସିଥିଲେ । ଓଡ଼ଗାଁ ର ବର୍ତ୍ତମାନ ବିଡ଼ିଓ ପ୍ରୀତିବାଳା ରଣା ଗେଷ୍ଟ ହାଉସରେ ରହି ହଇରାଣ ହେଉଥିବାର ଜଣା ପଡ଼ିଛି। ବିଭାଗୀୟ କତୃପକ୍ଷ ଏହି ବିଷୟ ପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।
