ଭତ୍ତା ପ୍ରଦାନରେ ସରକାରୀ ବିଫଳତା ବିରୋଧରେ ବ୍ରହ୍ମପୁରରେ ଗର୍ଜିଲା ମାନବ ଅଧିକାର ସୁରକ୍ଷା ମଞ୍ଚ, ମହାନଗର କମିଶନର ଓ ମେୟରଙ୍କୁ ଦାବିପତ୍ର

ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ଦୀର୍ଘ ଦୁଇ ବର୍ଷ ହେଲା ଯୋଗ୍ୟ ହିତାଧିକାରୀଙ୍କୁ ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନ କରିବାରେ ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଅଭିଯୋଗ କରି ସମାଜବାଦୀ ଅନୁଷ୍ଠାନ ‘ମାନବ ଅଧିକାର ସୁରକ୍ଷା ମଞ୍ଚ’ ପକ୍ଷରୁ ଏକ ବିଶାଳ ଗଣବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଆଜି ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ମଞ୍ଚର ଶତାଧିକ କର୍ମକର୍ତ୍ତା ଏକତ୍ରିତ ହୋଇ ସରକାରଙ୍କ ଉଦାସୀନତା ବିରୋଧରେ ସ୍ୱର ଉତ୍ତୋଳନ କରିବା ସହ ନିଗମ କମିଶନର ଏ. ସସ୍ୟା ରେଡ୍ଡୀ ଓ ମେୟର ସଂଘମିତ୍ରା ଦଳାଇଙ୍କୁ ପୃଥକ ଭାବେ ୧୦ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି। ବ୍ରହ୍ମପୁର ସହରର ପ୍ରାୟ ୫୦୦୦ରୁ ଅଧିକ ବୃଦ୍ଧବୃଦ୍ଧା, ଭିନ୍ନକ୍ଷମ, ବିଧବା, ଏଡସ ପୀଡ଼ିତ, କୁଷ୍ଠ ରୋଗୀ, ଅସହାୟ ଅବିବାହିତ ମହିଳା ଓ ତୃତୀୟ ଲିଙ୍ଗୀ ବର୍ଗର ବ୍ୟକ୍ତି ୨୦୨୪ ମସିହାରୁ ଆବେଦନ କରି ସୁଦ୍ଧା ଭତ୍ତା ପାଇବାରୁ ବଞ୍ଚିତ ହେବା ସରକାରଙ୍କ ଅପାରଗତା ଓ ହେୟଜ୍ଞାନର ପରିଚାୟକ ବୋଲି ମଞ୍ଚର ଆବାହକ ତଥା ବିଶିଷ୍ଟ ଆଇନଜୀବୀ ଅବନୀ ଗୟା ପ୍ରଶ୍ନ ଉଠାଇଛନ୍ତି।
ଏହା ସହିତ କୋଭିଡ ମହାମାରୀ ସମୟରେ କାଉନସିଲ ଅନୁପସ୍ଥିତିର ସୁଯୋଗ ନେଇ କଟକ, ଭୁବନେଶ୍ୱର ଓ ବ୍ରହ୍ମପୁରରେ ବେନିୟମ ଭାବେ ବୃଦ୍ଧି କରାଯାଇଥିବା ଘର ଟିକସକୁ ନେଇ ମଞ୍ଚ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛି। ଜନଆନ୍ଦୋଳନ ଯୋଗୁଁ କଟକ ଓ ଭୁବନେଶ୍ୱରରେ ଏହି ବର୍ଦ୍ଧିତ ଟିକସ ପ୍ରତ୍ୟାହାର କରାଯାଇଥିବା ବେଳେ ବ୍ରହ୍ମପୁରବାସୀଙ୍କ ଉପରେ ଏହାକୁ ଜୋରଜବରଦସ୍ତ ଲଦି ଦିଆଯିବା ଏକ ସ୍ପଷ୍ଟ ପାତରଅନ୍ତର ନୀତି ବୋଲି ଅଭିଯୋଗ କରି ଏହାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରାଯାଇଛି। ସହରର ସାମଗ୍ରିକ ବିକାଶ ଓ ପରିବେଶ ସୁରକ୍ଷା ପାଇଁ ପ୍ରତ୍ୟେକ ୱାର୍ଡରେ ପାଠାଗାର ସ୍ଥାପନ, ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ଗବେଷଣାମୂଳକ ପାଠାଗାରକୁ କାର୍ଯ୍ୟକ୍ଷମ କରିବା ଏବଂ ୨୦୧୮ ଅକ୍ଟୋବର ୨ରୁ ଲାଗୁ ହୋଇଥିବା ପଲିଥିନ ଓ ସିଙ୍ଗଲ୍-ୟୁଜ୍ ପ୍ଲାଷ୍ଟିକ ନିଷେଧାଜ୍ଞାକୁ କଡ଼ାକଡ଼ି ପାଳନ କରିବାକୁ ମଞ୍ଚ ଆହ୍ୱାନ ଦେଇଛି। ଏଥିସହିତ ସହରରେ ଦୁର୍ଘଟଣାଗ୍ରସ୍ତ ବା ମୃତ ପଶୁଙ୍କ ଉଦ୍ଧାର ପାଇଁ ସ୍ୱତନ୍ତ୍ର ଗାଡ଼ିର ବ୍ୟବସ୍ଥା ଓ ସେମାନଙ୍କ ସମ୍ମାନଜନକ ସତ୍କାର ପାଇଁ ବୈଦ୍ୟୁତିକ ଦହନ ଯନ୍ତ୍ର ସ୍ଥାପନ କରିବାକୁ ପ୍ରସ୍ତାବ ଦିଆଯାଇଛି। ସହରର ସାଂସ୍କୃତିକ ଗରିମାର ସୁରକ୍ଷା ନିମନ୍ତେ ଗାନ୍ଧୀନଗର ଛକଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ, ଏସ.ଏନ.ଟି ରୋଡ଼ ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତି ନିକଟରେ ଥିବା ବିପଦପୂର୍ଣ୍ଣ ସିଡ଼ିର ମରାମତି ଏବଂ ସହରର ସମସ୍ତ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ପରିସରକୁ ପ୍ରତିଦିନ ନିୟମିତ ସଫା ସୁତୁରା ରଖିବାକୁ ମଞ୍ଚ ଦାବି କରିଛି। ଆଜିର ଏହି ଗଣତାନ୍ତ୍ରିକ ପ୍ରତିବାଦ ସଭାରେ ମଞ୍ଚର ସଭାପତି ଗଗନ ଚନ୍ଦ୍ର ମଲ୍ଲିକଙ୍କ ସମେତ ମନୋଜ କୁମାର ତରାଇ, ଅଶୋକ କୁମାର ଦଳାଇ, ମହେଶ୍ୱର ବାଡତ୍ୟା, କାହ୍ନୁ ଚରଣ ପାତ୍ର, ରମେଶ ପ୍ରସାଦ ଦାସ, ଏସ. ସାମ୍ବଶିବା ରାଓ, ପ୍ରଶାନ୍ତ କୁମାର ପଣ୍ଡା, ବୀରେନ କୁମାର ବେହେରା ଓ ସାଲ୍ଲା କେଶବ ଲିଙ୍ଗମ୍ଙ୍କ ସମେତ ବହୁ ବୁଦ୍ଧିଜୀବୀ ଓ ଜନସାଧାରଣ ସାମିଲ ହୋଇ ପ୍ରଶାସନ ଉପରେ ଚାପ ସୃଷ୍ଟି କରିଛନ୍ତି।
