
ନୟାଗଡ: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ବାହାଡ଼ାଝୋଲା ରାସ୍ତାର ହରିପୁର ଛକ ନିକଟରେ ବାଇକ୍ ଦୁର୍ଘଟଣାରେ ଦୁଇ ଯୁବକ ଗୁରୁତର ହୋଇଛନ୍ତି ।ଗୁରୁତର ମାନେ ହେଲେ ଗଣେଶ ନାୟକ(୨୪) ଏବଂ ଆକାଶ ନାୟକ (୧୮)। କୌଣସି କାମରେ ଏହି ଦୁଇଜଣ ଯୁବକ ବାଇକ୍ ଯୋଗେ ଓଡ଼ଗାଁ କୁ ଆସି ନିଜ ଗାଁ ହରିପୁରକୁ ଫେରୁଥିବା ସମୟରେ ହରିପୁର ଛକ ଠାରେ ଗୋଟିଏ ବାଛୁରୀ ଦେହରେ ବାଇକ୍ ଧକ୍କା ହୋଇଥିଲା ।ଫଳରେ ଉଭୟ ଗଣେଶ ଓ ଆକାଶ ରାସ୍ତାରେ ଛିଟିକି ପଡ଼ିଥିଲେ । ଆକାଶର ଦେହ ହାତ ଘୋଷାଡି ହୋଇ ରକ୍ତ ସ୍ରାବ ହେଉଥିବା ସହିତ ବାମ ଆଖି ଭ୍ରୁଲତା ଉପରେ ଗଭୀର କ୍ଷତ ହୋଇଛି ।ସେହିପରି ଗଣେଶ ପଡ଼ିଯାଇ ଦେହ ହାତ ଘୋଷାଡି ହେବା ସହିତ ବାମ ଗୋଡ଼ ଭାଙ୍ଗିଯାଇଛି ।ଉଭୟଙ୍କୁ ଓଡ଼ଗାଁ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଆକାଶ ଘରକୁ ଫେରିଥିବା ବେଳେ ଅତ୍ୟଧିକ ଗୁରୁତର ଥିବା ଗଣେଶକୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି।
