ଜୁଲାଇ ତିନିରେ ବରିଷ୍ଠ କଳାକାର ସଂଘର ବର୍ଣ୍ଣାଢ୍ୟ କଳାକାର ଶୋଭାଯାତ୍ରା

add-all

ବ୍ରହ୍ମପୁର, ତା. ୨୫/୦୬ : କଳା ଓ କଳାକାର ହିତୈଷୀ ମହାମଞ୍ଚ “ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ” ତରଫରୁ ସଂଘର ସପ୍ତମ ବାର୍ଷିକୋତ୍ସବ ପାଳନ ଅବସରରେ ଏକ ରାଜ୍ୟସ୍ତରୀୟ ବର୍ଣ୍ଣାଢ୍ୟ କଳାକାର ଶୋଭାଯାତ୍ରାର ଆୟୋଜନ କରାଯାଇଛି। ଏଥି ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସଂଘ କାର୍ଯ୍ୟକାରୀ ସଭାପତି ଦୂର୍ଗା ପ୍ରସାଦ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ପାଣି ଟାଙ୍କି ଛକ ସ୍ଥିତ ଉତ୍କଳ ଆଶ୍ରମ ଲାଇବ୍ରେରୀ ହଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଶିକ୍ଷାବିତ୍ ତଥା ମଞ୍ଚ କଳାକାର ଶଙ୍କର୍ଷଣ ସାବତ ଏବଂ ସଂଘ ସହସମ୍ପାଦକ ବଳଦେବ ସାହୁ ମଂଚାସୀନ ଥିଲେ। ସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁ ବାର୍ଷିକୋତ୍ସବ ଓ ଶୋଭାଯାତ୍ରାର ସର୍ବାଙ୍ଗ ସୁନ୍ଦରତା ପ୍ରତି ଧ୍ୟାନ ଦେବା ନିମନ୍ତେ ଭିଡିଓ ବାର୍ତ୍ତା ମାଧ୍ୟମରେ ପରାମର୍ଶ ଦେଇଥିଲେ। ସମ୍ପାଦକ ସୁବାସ ଚନ୍ଦ୍ର ସାହୁ ରୋଶନ୍ ଶୋଭାଯାତ୍ରାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ କଳାକାରମାନେ ଅଂଶ ଗ୍ରହଣ କରୁଥିବା ସୂଚନା ଦେବା ସହ ତାହା ସ୍ଥାନୀୟ ଗାନ୍ଧି ନଗର ଛକ ସ୍ଥିତ ଗାନ୍ଧି ପ୍ରତିମୂର୍ତ୍ତି ସ୍ଥଳରୁ ବାହାରି ପୁରୁଣା ବସଷ୍ଟାଣ୍ଡ, ଅନ୍ନପୂର୍ଣ୍ଣା ବଜାର, ଗିରିଜା ଛକ, ସତ୍ୟନାରାୟଣ ମନ୍ଦିର ରାସ୍ତା ଦେଇ ଗିରି ମାର୍କେଟ ଛକ ପ୍ରକାଶମ୍ ହଲ୍ ଅଭିମୁଖେ ଯାତ୍ରା କରିବ ବୋଲି ସୂଚନା ଦେଇଥିଲେ। ବୈଠକରେ ଉକ୍ତ ଶୋଭାଯାତ୍ରା ଓ ବାର୍ଷିକୋତ୍ସବ ପାଳନର ଚୂଡାନ୍ତ ରୂପରେଖ ପ୍ରସ୍ତୁତ କରାଯାଇଥିଲା। ଏଥିରେ ସର୍ବଶ୍ରୀ ଅଶୋକ କୁମାର ପାତ୍ର, ଅଭିରାମ ରାଉଳ, ଏମ. କୁମାରସ୍ୱାମୀ, ସୁଦାମ ପଟ୍ଟନାୟକ, ହରିଶ୍ଚନ୍ଦ୍ର ବରଡ଼, କିଶୋର ଗୌଡ଼, ନିରଞ୍ଜନ ସ୍ୱାଇଁ, ଅଳୟ ଜେନା, ବୁଲୁ ସ୍ୱାଇଁ, ଚିତ୍ତ ରଂଜନ ଦଳାଇ, ପାଣ୍ଡବ ପ୍ରଧାନ, କୈଳାସ ପାଣିଗ୍ରାହୀ, ମହେନ୍ଦ୍ର କୁମାର ସାହୁ, ଛବିରାଣୀ ମହାନ୍ତି ପ୍ରମୁଖ ସଦସ୍ୟ-ସଦସ୍ୟାମାନେ ଅଂଶ ଗ୍ରହଣ କରିଥିଲେ। ପରିଶେଷରେ ବରିଷ୍ଠ ସଦସ୍ୟ ମୃତ୍ୟୁଞ୍ଜୟ ତ୍ରିପାଠୀ ରାଜ୍ୟର ସମସ୍ତ କଳାକାର ଏଥିରେ ଯୋଗଦେବା ନିମନ୍ତେ ଆନୁଷ୍ଠାନିକ ନିମନ୍ତ୍ରଣ ଜଣାଇବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।

ad-week
Leave A Reply

Your email address will not be published.