କାନାଡାରେ ହିନ୍ଦୁ ମନ୍ଦିରଗୁଡିକୁ ଟାର୍ଗେଟ୍ କରି ଭଙ୍ଗାରୁଜା ଓ ଲୁଟ୍ କରାଯାଉଛି

add-all

ଟରଣ୍ଟୋ: କାନାଡାରେ ଗତ କିଛି ଦିନ ହେଲା ହିନ୍ଦୁ ମନ୍ଦିରଗୁଡିକୁ ଟାର୍ଗେଟ୍ କରି ଭଙ୍ଗାରୁଜା ଓ ଲୁଟ୍ କରାଯାଉଛି। ଏହା ଯୋଗୁଁ ପୁଜାରୀ ଓ ଭକ୍ତମାନେ ଭୟଭୀତ ହୋଇପଡିଛନ୍ତି। ସେଠାରେ ଏପରି ଅବସ୍ଥା ହୋଇଛି ଯେ ଗତ ୧୦ ଦିନରେ ୬ଟି ହିନ୍ଦୁ ମନ୍ଦିରକୁ ଭଙ୍ଗା ଯାଇଛି। ଏଥିସହ ଲୁଟିଆମାନେ ଅର୍ଥ ସହ ମନ୍ଦିରର ସାଜସଜ୍ଜା ସାମଗ୍ରୀ ଓ ଠାକୁରଙ୍କ ଅଳଙ୍କାରକୁ ମଧ୍ୟ ଚୋରିକରି ନେଇଛନ୍ତି। ପୁଲିସ ଏହି ମାମଲାରେ ତଦନ୍ତ କରୁଛି।
ଏସବୁ ଘଟଣା ଜାନୁଆରି ୧୫ରେ ହନୁମାନ ମନ୍ଦିରରେ ଭଙ୍ଗାରୁଜା ସହିତ ଆରମ୍ଭ ହୋଇଥିଲା। ସେହିଦିନ ଗ୍ରେଟର୍ ଟରଣ୍ଟୋ ଅଞ୍ଚଳରେ ବ୍ରେମ୍ପଟନର ହନୁମାନ ମନ୍ଦିରରେ ଭଙ୍ଗାରୁଜା କରିବାର ଅସଫଳ ପ୍ରୟାସ କରାଯାଇଥିଲା। ୨୫ ଜାନୁଆରିରେ ଏହି ସହରରେ ହିଁ ଦୁର୍ଗା ମା’ଙ୍କ ମନ୍ଦିରକୁ ଭଙ୍ଗାଯାଇଥିଲା। ଏହାପରେ ଲୁଟେରାମାନେ ଗୌରୀଶଙ୍କର ଓ ଜଗନ୍ନାଥ ମନ୍ଦିରରେ ପଶି ଆକ୍ରମଣ ଓ ଭଙ୍ଗାରୁଜା କରିଥିଲେ। ୩୦ ଜାନୁଆରିରେ ମିସିସିଗିର ହିନ୍ଦୁ ହେରିଟେଜ୍ ସେଣ୍ଟର (ଏଚଏଚସି)ରେ ୨ ଜଣ ଦୁର୍ବୃତ୍ତ ପଶି ମନ୍ଦିର ଦାନବାକ୍ସ ଓ ମୁଖ୍ୟ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଥିଲେ।
ଏକ ଜାତୀୟ ଇଂରାଜୀ ଖବର କାଗଜରେ ପ୍ରକାଶିତ ଖବର ଅନୁସାରେ, ଏହି ଘଟଣାଗୁଡିକୁ ରାତି ୨ରୁ ୩ଟା ମଧ୍ୟରେ ଘଟାଯାଉଛି। ସିସିଟିଭିରେ ଅଭିଯୁକ୍ତମାନଙ୍କ ଯେଉଁ ଛବି ଆସିଛି ସେଥିରେ ଦେଖାଯାଉଛି ସେମାନଙ୍କ ପିଠିରେ ବ୍ୟାଗ୍ ଅଛି ଓ ସେମାନେ ମୁଖା ପିନ୍ଧିଛନ୍ତି। ଏହି ଚୋରମାନେ ମନ୍ଦିରକୁ ପ୍ରବେଶ କଲା ପରେ ଦାନ ବାକ୍ସ ଓ ଦେବଦେବୀଙ୍କ ଅଳଙ୍କାର ଖୋଜୁଛନ୍ତି।
ହିନ୍ଦୁ ହେରିଟେଜ୍ ସେଣ୍ଟରର ପୂଜାରୀ ପଣ୍ଡିତ ଯଦୁନାଥ ଶର୍ମା ନିଜ ଅଭିଜ୍ଞତା ବର୍ଣ୍ଣନା କରି କହିଛନ୍ତି, ଏସବୁ ଘଟଣା ପରେ ସକାଳେ ପୂଜା କଲାବେଳେ ବି ମୋତେ ଡର ଲାଗେ। ମୁଁ ଚାରିଆଡେ ଦେଖୁଥାଏ ଯେ ଆଖପାଖରେ କେହି ନାହାନ୍ତି ତ ! ମୁଁ ସବୁ ଆଲୋକ ଜଳେଇ ଦେଇଥାଏ ଓ ମନ୍ଦିର ଖୋଲିବା ପୂର୍ବରୁ ଦେଖିଥାଏ କବାଟ ପାଖରେ କେହି ନାହାନ୍ତି ତ !
ଜଣେ ଭକ୍ତ ଏ ବିଷୟରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, ମନ୍ଦିରରେ ଭଙ୍ଗାରୁଜା ଖବର ଶୁଣି ମୁଁ ନିରାଶ। କାନାଡାରେ ଏପରି ଅପରାଧ ହେବା ଚିନ୍ତାଜନକ। ମନ୍ଦିରରେ କ୍ରମାଗତ ହେଉଥିବା ଆକ୍ରମଣ ଏକ ଗୁରୁତର ସମସ୍ୟା ହେବାକୁ ଯାଉଛି। ଆଶା କରାଯାଉଛି ପୁଲିସ ଶୀଘ୍ର ଏହି ସମ୍ୟାର ସମାଧାନ କରିବ।

ad-week
Leave A Reply

Your email address will not be published.