
ଭୁବନେଶ୍ଵର: ଏଣିକି ଚାଷୀମାନଙ୍କୁ ସଠିକ୍ ସମୟରେ ମିଳିବ ସାର । ସମବାୟ ସମିତିଗୁଡ଼ିକ ଦ୍ୱାରା ସାର ବଣ୍ଟନକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ନେଲେ ବଡ ପଦକ୍ଷେପ । ୪୨ କୋଟି ଟଙ୍କାର ସୁଦ୍ଧ ରିହାତି ଯୋଜନା ମଞ୍ଜୁର କଲେ ରାଜ୍ୟ ସରକାର । କଳାବଜାରୀ ରୋକିବାକୁ ସମବାୟ ବିଭାଗ ଦ୍ଵାରା ଏକ ନୂତନ ଯୋଜନାର କାର୍ଯ୍ୟକାରିତାକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ଏହା ଦ୍ଵାରା ଚାଷୀମାନଙ୍କୁ ସହଜ ଓ ସୁଗମ ଭାବରେ ସାର ବଣ୍ଟନ ହୋଇପାରିବ । ସମବାୟ ବିଭାଗର କମିଶନର ତଥା ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ସ୍ଥାୟୀ ଆର୍ଥିକ କମିଟି (SFC) ର ସୁପାରିଶ ଆଧାରରେ ଏହି ନିଷ୍ପତ୍ତି ନେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ଏହି ନୂତନ ରାଜ୍ୟ ଯୋଜନାର ନାମ ହେଉଛି, “ସାରର ପୂର୍ବ-ମହଜୁଦ (ପ୍ରି-ପୋଜିସନିଂ) ପାଇଁ କ୍ୟାଶ୍ କ୍ରେଡିଟ୍ ଋଣ ଉପରେ ସୁଦ୍ଧ ରିହାତି ।” ଅର୍ଥ ବିଭାଗ ଚଳିତ ଆର୍ଥିକ ବର୍ଷରୁ ଏହି ଯୋଜନାର କାର୍ଯ୍ୟକାରିତା ପାଇଁ ଅନୁମୋଦନ ପ୍ରଦାନ କରିସାରିଛି ।
ଯୋଜନାର ମୁଖ୍ୟ ବୈଶିଷ୍ଟ୍ୟ ଗୁଡିକ ହେଉଛି, ୬୦ ପ୍ରତିଶତ ବଜାର ଅଂଶଧନ ହାସଲ ଲକ୍ଷ୍ୟ । ବେସରକାରୀ ଚ୍ୟାନେଲ ଦ୍ୱାରା ହେଉଥିବା ସାରର ବେଆଇନ ଚୋରା ଚାଲାଣକୁ ରୋକିବା ପାଇଁ, ସମବାୟ କ୍ଷେତ୍ର ମାଧ୍ୟମରେ ସାର ବଣ୍ଟନ ପରିମାଣକୁ ବର୍ତ୍ତମାନର ୨୫-୩୦% ରୁ ବୃଦ୍ଧି କରି ଖରିଫ ୨୦୨୬ ରୁ ୬୦% କୁ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖାଯାଇଛି ।
ଡିଜିଟାଲ୍ ପେମେଣ୍ଟକୁ ପ୍ରୋତ୍ସାହନ:- ସାର ବିକ୍ରୟ ସମୟରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ସରକାରଙ୍କ ପକ୍ଷରୁ କ୍ୟୁଆର୍ କୋଡ୍ (QR Code) ମାଧ୍ୟମରେ କାରବାର କରିବାକୁ ସକ୍ରିୟ ଭାବେ ପ୍ରୋତ୍ସାହିତ କରାଯିବ ।
ଆର୍ଥିକ ବ୍ୟୟବରାଦ: ୫ ବର୍ଷ ଅବଧି (୨୦୨୬-୨୭ ରୁ ୨୦୩୦-୩୧) ପାଇଁ ସର୍ବମୋଟ ୪୨.୦୦ କୋଟି ଟଙ୍କାର ବଜେଟ୍ ମଞ୍ଜୁର କରାଯାଇଛି, ଯେଉଁଥିରେ ଚଳିତ ଆର୍ଥିକ ବର୍ଷ ପାଇଁ ପ୍ରାରମ୍ଭିକ ଭାବେ ୫.୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି ।
ବ୍ୟାପକ ସାଂସ୍ଥାନିକ ପରିସର: ରାଜ୍ୟର ପ୍ରାୟ ୨,୭୦୦ ପ୍ରାଥମିକ କୃଷି ସମବାୟ ସମିତି (PACS/LAMPCS) କୁ ଏହି ଯୋଜନାରେ ସାମିଲ କରାଯିବ । ସେମାନଙ୍କର ଆବଶ୍ୟକତା ଆଧାରରେ କ୍ୟାସ୍ କ୍ରେଡିଟ୍ (CC) ସୀମା ପ୍ରଦାନ କରାଯିବ ।
ସାର କାରବାରକୁ ଆଧୁନିକୀକରଣ କରି, ଏହି ଚାଷୀ-ଅନୁକୂଳ ପଦକ୍ଷେପ ଓଡ଼ିଶାର କୃଷକମାନଙ୍କ ନିକଟରେ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ମୂଲ୍ୟରେ ଏବଂ ସଠିକ୍ ସମୟରେ ସାର ପହଞ୍ଚାଇବା ନିଶ୍ଚିତ କରିବ ।
