
ବୀରମିତ୍ରପୁର (ନିସର୍ତ୍ତ ନ୍ୟୁଜ): ଓଡ଼ିଶା ବିଧାନସଭାର ନୂତନ କମିଟିରେ ବୀରମିତ୍ରପୁର ବିଧାୟକ ରୋହିତ ଯୋଶେଫ୍ ତିର୍କୀଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଛି। ତାଙ୍କୁ ବିଧାନସଭାର ସ୍ଥାୟୀ କମିଟି-VII, ଭାଷାଗତ ସଂଖ୍ୟାଲଘୁ କମିଟି ଏବଂ ପାଠାଗାର କମିଟିର ସଦସ୍ୟ ଭାବେ ମନୋନୀତ କରାଯାଇଛି। ଶ୍ରୀ ତିର୍କୀଙ୍କୁ ଏହି ନୂତନ ଦାୟିତ୍ୱ ମିଳିବା ପରେ ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀର ବିଜେଡି କର୍ମୀ ଓ ସମର୍ଥକଙ୍କ ମହଲରେ ବେଶ୍ ଉତ୍ସାହ ପ୍ରକାଶ ପାଇଛି।
ଏହି ପରିପ୍ରେକ୍ଷୀରେ ଆଜି ବୀରମିତ୍ରପୁର ସହରସ୍ଥିତ ବିଜେଡି କାର୍ଯ୍ୟାଳୟଠାରେ ଏକ ଭବ୍ୟ ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ କରାଯାଇଥିଲା। ଏଥିରେ ଦଳୀୟ କର୍ମକର୍ତ୍ତାମାନେ ଏକତ୍ରିତ ହୋଇ ବିଧାୟକ ଶ୍ରୀ ତିର୍କୀଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ଆନୁଷ୍ଠାନିକ ଭାବେ ସମ୍ବର୍ଦ୍ଧିତ କରିଥିଲେ। ଏହି ସମ୍ବର୍ଦ୍ଧନା ସଭାରେ ବିଜେଡିର ଅନେକ ବରିଷ୍ଠ ନେତା ଓ ଆଗଧାଡ଼ିର କର୍ମକର୍ତ୍ତା ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରେ: କୁନା ଦେଓ (ବିଜେଡି ଟାଉନ ସଭାପତି), ଶଶି ସାଗର (ବୀରମିତ୍ରପୁର ବିଧାୟକ ପ୍ରତିନିଧି), ନିବେଦିତା ବାଗେ (ବୀରମିତ୍ରପୁର ମୁନିସିପାଲିଟି ଉପାଧ୍ୟାକ୍ଷା), ଜଗଦୀଶ ଅଗ୍ରୱାଲ ଓ ଆବୁଲ ଖଇର (ବରିଷ୍ଠ ନେତା), କମଲେଶ ସିଂ (ୱାର୍ଡ ନଂ ୩ କାଉନସିଲର), ନିର୍ମଳା କୁଜୁର (ୱାର୍ଡ ନଂ ୯ କାଉନସିଲର), ମହମ୍ମଦ ଏଜାଜ ଆଲମ (ଛାତ୍ର ନେତା), ଶକିଲ ବଂଟି, ଅକ୍ଷୟ ବିର୍ଘଣ୍ଠିଆ, ସାକିବ ରାଜ଼ା, ରୋହିତ ଦିପ, ଜାନୁ, ସାରିକା ଓ ଶାନୁଙ୍କ ସମେତ ବିଜେଡି ଯୁବ, ଛାତ୍ର ଏବଂ ମହିଳା ମୋର୍ଚ୍ଚାର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଏହି ଅବସରରେ ବିଧାୟକ ରୋହିତ ଯୋଶେଫ୍ ତିର୍କୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଥିବାରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ଓଡ଼ିଶା ବିଧାନସଭାର ବାଚସ୍ପତିଙ୍କ ପ୍ରତି ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି। ଆଗାମୀ ଦିନରେ ସେ ନିଜର ଏହି ଦାୟିତ୍ୱକୁ ନିଷ୍ଠାର ସହ ତୁଲାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
