ଚଢା ଦରରେ ସାର ବିକ୍ରି ବିରୋଧରେ ରାଇଘରରେ କୃଷକଙ୍କ ତୀବ୍ର ପ୍ରତିବାଦ

add-all

ଉମରକୋଟ / ରାଇଘର : ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ଅଞ୍ଚଳରେ ସାରର ଅଭାବ ଏବଂ ଚଢା ଦରରେ ସାର ବିକ୍ରି ହେଉଥିବା ଅଭିଯୋଗକୁ ନେଇ କୃଷକମାନଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ରୂପ ଧାରଣ କରିଛି। ଚାଷ ଋତୁ ଆରମ୍ଭ ହୋଇଥିବା ବେଳେ ଆବଶ୍ୟକୀୟ ସାର ଯଥେଷ୍ଟ ପରିମାଣରେ ଉପଲବ୍ଧ ନହେବା ଓ କେତେକ ସ୍ଥାନରେ ଅଧିକ ଦରରେ ବିକ୍ରି ହେଉଥିବା ନେଇ କୃଷକମାନେ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି।
ଏହାର ପ୍ରତିବାଦରେ ବିଗତକାଲି ରାଇଘର ବ୍ଲକ ସଦର ମହାକୁମାରେ ବହୁ ସଂଖ୍ୟକ କୃଷକ ଏକତ୍ରିତ ହୋଇ ତିବ୍ର ପ୍ରତିବାଦ କରିଥିଲେ। ଚାଷୀ ସଂଗଠନର ନେତା ସନରାଜ ଗଣ୍ଡଙ୍କ ନେତୃତ୍ୱରେ ଆୟୋଜିତ ଏହି ଆନ୍ଦୋଳନରେ ବିଭିନ୍ନ ପଞ୍ଚାୟତ ଅଞ୍ଚଳରୁ ଆସିଥିବା କୃଷକମାନେ ଯୋଗଦେଇଥିଲେ। ସେମାନେ ହାତରେ ପ୍ଲାକାର୍ଡ ଧରି ଓ ସ୍ଲୋଗାନ ଦେଇ କୃଷକଙ୍କ ସମସ୍ୟା ପ୍ରତି ସରକାର ଓ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ।
ପରେ କୃଷକମାନେ ଏକ ଶୋଭାଯାତ୍ରାରେ କୃଷି କାର୍ଯ୍ୟାଳୟ ଏବଂ ବ୍ଲକ କାର୍ଯ୍ୟାଳୟକୁ ଯାଇ ଚାରିଦଫା ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଥିଲେ। କୃଷକମାନଙ୍କ ଅଭିଯୋଗ ଅନୁଯାୟୀ, କେତେକ ଲାଇସେନ୍ସଧାରୀ ସାର ବ୍ୟବସାୟୀ ନିର୍ଦ୍ଧାରିତ ସରକାରୀ ଦରଠାରୁ ଅଧିକ ଦରରେ ସାର ବିକ୍ରି କରୁଛନ୍ତି। ଏହାଦ୍ୱାରା ଛୋଟ ଏବଂ ମଧ୍ୟମ ବର୍ଗର ଚାଷୀମାନେ ଅଧିକ ପ୍ରଭାବିତ ହେଉଥିବା କୃଷକମାନେ କହିଛନ୍ତି।
ଦାବିପତ୍ରରେ ଚୋଡ଼ା ଦରରେ ସାର ବିକ୍ରି କରୁଥିବା ଲାଇସେନ୍ସଧାରୀ ବ୍ୟବସାୟୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ସେମାନଙ୍କ ଲାଇସେନ୍ସ ବାତିଲ କରିବାକୁ ଦାବି କରାଯାଇଛି। ଏଥିସହ ୟୁରିଆ ସାରକୁ ସରକାର ନିର୍ଦ୍ଧାରିତ ଦରରେ ପର୍ଯ୍ୟାପ୍ତ ପରିମାଣରେ ଏବଂ ସମୟମାନ୍ୟ ଭାବରେ ଯୋଗାଣ କରିବା ପାଇଁ ମଧ୍ୟ ଦାବି ଉଠାଯାଇଛି। ସାର ବିକ୍ରିକୁ କେନ୍ଦ୍ର କରି ସକ୍ରିୟ ଥିବା ଦଲାଳମାନଙ୍କ ବିରୋଧରେ କଡ଼ା ଆଇନଗତ ପଦକ୍ଷେପ ନେବା ପାଇଁ ମଧ୍ୟ କୃଷକମାନେ ଜୋର ଦେଇଛନ୍ତି।
ଆନ୍ଦୋଳନକାରୀ କୃଷକମାନେ କହିଛନ୍ତି ଯେ ବର୍ଷା ଋତୁ ଆରମ୍ଭ ସହିତ ଚାଷ କାର୍ଯ୍ୟ ଜୋରସୋରରେ ଚାଲିଥିବା ବେଳେ ସାରର ଅଭାବ ଓ ଅଧିକ ଦର ସେମାନଙ୍କୁ ଚିନ୍ତାରେ ପକାଇଛି। ଏହି ସମସ୍ୟାର ସମାଧାନ ନହେଲେ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେବା ସହ ଉତ୍ପାଦନ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିପାରେ ବୋଲି ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି।
କୃଷକମାନେ ସଚେତନ କରିଛନ୍ତି ଯେ ଯଦି ଆଗାମୀ ଦିନରେ ସାରର ସଠିକ ଯୋଗାଣ ଏବଂ ନିର୍ଦ୍ଧାରିତ ମୂଲ୍ୟରେ ବିକ୍ରି ବ୍ୟବସ୍ଥା କରାଯିବ ନାହିଁ, ତେବେ ସେମାନେ ରାଜରାସ୍ତା ଅବରୋଧ ସହ ଆନ୍ଦୋଳନକୁ ଅଧିକ ତୀବ୍ର କରିବେ ବୋଲି ଚେତାବନୀ ଦେଇଛନ୍ତି।

ad-week
Leave A Reply

Your email address will not be published.