ଭାଣିଜୀକୁ ଜାଳି ହତ୍ୟା ଘଟଣା: ଅଭିଯୁକ୍ତ ମାମୁଁକୁ ମୃତ୍ୟୁ ଦଣ୍ଡାଦେଶ

add-all

ବ୍ରହ୍ମପୁର, ୩୦ ଜୁନ୍: ଭାଣିଜୀକୁ କିରୋସିନି ଢ଼ାଳି ଅତି ନିର୍ମମ ଭାବେ ହତ୍ୟା କରିବା ମାମଲାରେ ଅଭିଯୁକ୍ତ ମାମୁଁକୁ ମୃତ୍ୟୁ ଦଣ୍ଡାଦେଶ (ଫାଶୀ) ଶୁଣାଇଛନ୍ତି କୋର୍ଟ। ବ୍ରହ୍ମପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଆଡହୋକ ପକ୍ସୋ କୋର୍ଟର ବିଚାରପତି ରୋହିତ ଲାଲ ପଣ୍ଡା ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଆଜି ଏହି ଐତିହାସିକ ରାୟ ପ୍ରକାଶ କରିଛନ୍ତି। ମୃତ୍ୟୁ ଦଣ୍ଡାଦେଶ ପାଇଥିବା ଅଭିଯୁକ୍ତ ମାମୁଁ ଜଣକ ହେଲେ ଶିପ୍ରନ୍ ଦିଗାଲ। ପ୍ରକାଶ ଥାଉ କି, ଅଭିଯୁକ୍ତ ଶିପ୍ରନ୍ ନିଜ ପତ୍ନୀଙ୍କୁ ହତ୍ୟା କରିବା ଅଭିଯୋଗରେ ପୂର୍ବରୁ ଗିରଫ ହୋଇ ଫୁଲବାଣୀ ଜେଲ୍‌ରେ ସଜା କାଟୁଥିଲା। ତେବେ ସେ ଫୁଲବାଣୀ ଜେଲ୍‌ରୁ ପାରୋଲ୍‌ରେ ଆସି ଗୋଇଲୁଣ୍ଡି ବିଦ୍ୟାନଗରସ୍ଥିତ ନିଜ ଭଉଣୀ ଘରେ ରହୁଥିଲା।

ଗତ ୨୦୨୨ ମସିହା ଏପ୍ରିଲ ୨୫ ତାରିଖରେ ସେ ସେଠାରେ କୌଣସି କାରଣରୁ ନିଜ ଭାଣିଜୀ ଗୋଡ଼ରେ କିରୋସିନି ଢ଼ାଳି ନିଆଁ ଲଗାଇ ଜାଳି ହତ୍ୟା କରିଥିଲା। ଏହି ସଂଘାତିକ କାଣ୍ଡ ପରେ ବୈଦ୍ୟନାଥପୁର ଥାନାରେ କେସ୍ ନମ୍ବର ୧୧୭/୨୨ ଅନୁଯାୟୀ ଏକ ମାମଲା ପଞ୍ଜିକୃତ ହୋଇଥିଲା ଓ ପୋଲିସ ଅଭିଯୁକ୍ତ ଶିପ୍ରନ୍ ଦିଗାଲକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମାମଲାର ବିଚାର ପ୍ରକ୍ରିୟା ସମୟରେ କୋର୍ଟ ମୋଟ ୧୩ ଜଣ ସାକ୍ଷୀଙ୍କ ବୟାନ ଏବଂ ଅନ୍ୟାନ୍ୟ ସମସ୍ତ ଉପଯୁକ୍ତ ଆଇନଗତ ସାକ୍ଷ୍ୟ ପ୍ରମାଣକୁ ତର୍ଜମା କରିବା ପରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ଏହି କଠୋର ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି।

ad-week
Leave A Reply

Your email address will not be published.