
ବୀରମିତ୍ରପୁର (ନିସର୍ତ୍ତ ନ୍ୟୁଜ୍): ସୁନ୍ଦରଗଡ଼ ଜିଲ୍ଲା ରାଏବଗା ଥାନା ପରିସରରେ ‘ନିଶାମୁକ୍ତ ଓଡ଼ିଶା’ ଅଭିଯାନ ସମ୍ପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ନିଶାମୁକ୍ତ ଓଡ଼ିଶା ଅଭିଯାନର ଅଂଶସ୍ୱରୂପ ରାଏବଗା ପୋଲିସ ପକ୍ଷରୁ ‘ଆମ ପୋଲିସ ସମିତି’ ବୈଠକ, ଏକ ନିଶାବିରୋଧୀ ଶପଥପାଠ ସମାରୋହ ଏବଂ ସ୍ଥାନୀୟ ଜନସାଧାରଣଙ୍କ ସକ୍ରିୟ ଅଂଶଗ୍ରହଣରେ ଏକ ସଚେତନତା କାର୍ଯ୍ୟକ୍ରମ ସଫଳତାର ସହିତ ପରିଚାଳିତ ହୋଇଛି।
ଉପସ୍ଥିତ ଅଂଶଗ୍ରହଣକାରୀମାନଙ୍କୁ ନିଶା ସେବନର କ୍ଷତିକାରକ ପ୍ରଭାବ ବିଷୟରେ ସଚେତନ କରାଯାଇଥିଲା। ଏହା ସହିତ ନିଶାବିରୋଧୀ ଶପଥ ନେଇ ଏକ ନିଶାମୁକ୍ତ ସମାଜ ଗଠନ ପାଇଁ ଏହି ଆନ୍ଦୋଳନରେ ସାମିଲ ହେବାକୁ ଉତ୍ସାହିତ କରାଯାଇଥିଲା। ଏକ ସୁରକ୍ଷିତ, ସୁସ୍ଥ ଏବଂ ନିଶାମୁକ୍ତ ଓଡ଼ିଶା ଗଠନ କ୍ଷେତ୍ରରେ ସାଧାରଣ ଜନତାଙ୍କ ଅଂଶଗ୍ରହଣକୁ ସୁଦୃଢ଼ କରିବା ପାଇଁ ରାଏବଗା ପୋଲିସ ପ୍ରତିବଦ୍ଧ ବୋଲି ପ୍ରକାଶ କରାଯାଇଛି।
ଏହି ବୈଠକରେ ରାଏବଗା ଥାନା ଅଧିକାରୀ ଦିବ୍ୟା କୁମାର ଓରାମ, ଏସ୍.ଆଇ. ସୁଶାନ୍ତ ଜେନା, ଏ.ଏସ୍.ଆଇ. ସୁନନ୍ଦା ନାଏକଙ୍କ ସମେତ ବରିଷ୍ଠ ନାଗରିକ ଭୁଲୁ ସାହୁ, କୁଞ୍ଜବିହାରୀ ସାହୁ, କେଦାର ଚୌଧୁରୀ, ଚିରଞ୍ଜୀ ସାହୁ, ମିଶନ ଗୁଡ଼ିଆ, ସୁନିତା କିଣ୍ଡ, ଆଗାଥା ତାନି, ମଞ୍ଜୁଳା ସୋରେଙ୍ଗ, ଏମ୍.ଡି. ନେସାର, ମହମ୍ମଦ ସାହିଦ ହାଶ୍ମି, ମର୍ଯ୍ୟାନୁଷ କିରୋ ଏବଂ ବିଶ୍ୱଜିତ ଭଗତ ପ୍ରମୁଖ ଉପସ୍ଥିତ ଥିଲେ।
