ଆସିକାରେ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ପାଳିତ : ଛାତ୍ରଛାତ୍ରୀଙ୍କୁ ବିଦ୍ୟୁତ ସୁରକ୍ଷା ଓ ସଂରକ୍ଷଣ ସମ୍ପର୍କରେ ସଚେତନ କରାଗଲା

add-all

ଆସିକା : ରାଜ୍ୟ ବିଦ୍ୟୁତ ବିଭାଗ ଦ୍ୱାରା ସାରା ରାଜ୍ୟରେ ଜୁନ ୨୬ଠାରୁ ଜୁଲାଇ ୨ ପର୍ଯ୍ୟନ୍ତ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ପାଳିତ ହେଉଛି ଏହାକୁ ଭିତ୍ତି କରି ଆସିକା ଗାୟତ୍ରୀ ନଗର ସ୍ଥିତ ରାମକୃଷ୍ଣ ଆଦର୍ଶ ବିଦ୍ୟା ମନ୍ଦିର ପକ୍ଷରୁ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ଉପଲକ୍ଷେ ଏକ ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ବିଦ୍ୟାଳୟ ଛାତ୍ରଛାତ୍ରୀ, ରାମକୃଷ୍ଣ ସ୍କାଉଟ ଟ୍ରୁପ ସାରଦା ଗାଇଡ଼ କମ୍ପାନୀ,ଅଭିଭାବକ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ବିଦ୍ୟୁତ ବିଭାଗର ଅଧିକାରୀମାନେ ଯୋଗଦେଇ ବିଦ୍ୟୁତର ସୁରକ୍ଷିତ ବ୍ୟବହାର ଏବଂ ବିଦ୍ୟୁତ ସଂରକ୍ଷଣର ଆବଶ୍ୟକତା ଉପରେ ବିସ୍ତୃତ ଆଲୋଚନା କରିଥିଲେ।ଏହି ଅବସରରେ ରାଜ୍ୟ ସରକାରଙ୍କ ଶକ୍ତି ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ନିକେଶ କୁମାର ପାତ୍ର ଓ ଟେକନିସିଆନ ଦୀପ୍ତି ରଞ୍ଜନ ବେହେରା ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ।

ସେମାନେ ବିଦ୍ୟୁତ ବ୍ୟବହାର ବେଳେ ପାଳନ କରିବାକୁ ଥିବା ସୁରକ୍ଷା ନିୟମ, ବିଦ୍ୟୁତ ଦୁର୍ଘଟଣାରୁ କିପରି ଦୂରେଇ ରହିବା, ଏବଂ ବିଦ୍ୟୁତ ସଂରକ୍ଷଣ ମାଧ୍ୟମରେ ଶକ୍ତି ସଞ୍ଚୟ କରିବାର ବିଭିନ୍ନ ଉପାୟ ସମ୍ପର୍କରେ ସରଳ ଓ ପ୍ରାଞ୍ଜଳ ଭାଷାରେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ।କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଆଇନଜୀବୀ ଅନିଲ କୁମାର ପାଣିଗ୍ରାହୀ, ବିଦ୍ୟାଳୟର ସମ୍ପାଦକ କମଳେନ୍ଦୁ ହୋତା, ସାମ୍ବାଦିକ ପ୍ରଶାନ୍ତ କୁମାର ମୁନି ଓ ସହ-ସମ୍ପାଦକ ଦିଲ୍ଲୀପ କୁମାର ଶତପଥୀ ଉପସ୍ଥିତ ଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟା ଅନ୍ନପୂର୍ଣ୍ଣା ଆଚାର୍ଯ୍ୟ ସଭାପତିତ୍ୱ କରି କହିଥିଲେ ଯେ, ବିଦ୍ୟାଳୟ ସ୍ତରରୁ ଏଭଳି ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଗଲେ ଛାତ୍ରଛାତ୍ରୀମାନେ ନିଜେ ସଚେତନ ହେବା ସହ ପରିବାର ଓ ସମାଜକୁ ମଧ୍ୟ ସଚେତନ କରିପାରିବେ।ବକ୍ତାମାନେ କହିଥିଲେ ଯେ, ବିଦ୍ୟୁତ ସମ୍ପର୍କୀୟ ଅସାବଧାନତା କାରଣରୁ ପ୍ରତିବର୍ଷ ଅନେକ ଦୁର୍ଘଟଣା ଘଟୁଛି। ବିଦ୍ୟୁତ ଆଘାତରେ ଅନେକ ଲୋକ ପ୍ରାଣ ହରାଉଥିବା ବେଳେ ବୈଦ୍ୟୁତିକ ତ୍ରୁଟି ଯୋଗୁଁ ବିଭିନ୍ନ ସ୍ଥାନରେ ଅଗ୍ନିକାଣ୍ଡ ମଧ୍ୟ ଘଟୁଛି। ତେଣୁ ଘରେ କିମ୍ବା ବାହାରେ ବିଦ୍ୟୁତ ବ୍ୟବହାର ସମୟରେ ସତର୍କତା ଅବଲମ୍ବନ କରିବା, ଛିଣ୍ଡା ତାରକୁ ସ୍ପର୍ଶ ନ କରିବା, ବିଦ୍ୟୁତ ଖୁଣ୍ଟ ନିକଟରେ ଅସାବଧାନ ଭାବେ ନ ରହିବା ଓ କୌଣସି ତ୍ରୁଟି ଦେଖିଲେ ସଙ୍ଗେସଙ୍ଗେ ବିଦ୍ୟୁତ ବିଭାଗକୁ ସୂଚନା ଦେବା ପାଇଁ ପରାମର୍ଶ ଦେଇଥିଲେ।

ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଅଧିକ ସଚେତନ କରିବା ପାଇଁ କ୍ଷୁଦ୍ର ଚଳଚ୍ଚିତ୍ର ଓ ସଚେତନତାମୂଳକ ଭିଡିଓ ପ୍ରଦର୍ଶନ କରାଯାଇଥିଲା। ଭିଡିଓ ମାଧ୍ୟମରେ ବିଦ୍ୟୁତ ଦୁର୍ଘଟଣାର କାରଣ, ତାହାର ପ୍ରତିକାର ଏବଂ ସୁରକ୍ଷିତ ବ୍ୟବହାର ସମ୍ପର୍କରେ ସହଜ ଓ ବ୍ୟବହାରିକ ବାର୍ତ୍ତା ପ୍ରଦାନ କରାଯାଇଥିଲା। ଏହାକୁ ଛାତ୍ରଛାତ୍ରୀମାନେ ଆଗ୍ରହର ସହ ଦେଖିଥିଲେ।ଶେଷରେ ଶିକ୍ଷାବିତ ରତ୍ନାକର ସିୟ ଧନ୍ୟବାଦ ଅର୍ପଣ କରି ସମସ୍ତ ଅତିଥି, ଅଧିକାରୀ, ଶିକ୍ଷକ, ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ସକ୍ରିୟ ସହଯୋଗ ପାଇଁ କୃତଜ୍ଞତା ଜଣାଇଥିଲେ। କାର୍ଯ୍ୟକ୍ରମଟି ବିଦ୍ୟୁତ ସୁରକ୍ଷା ଓ ସଚେତନତା ବୃଦ୍ଧି ଦିଗରେ ଏକ ଫଳପ୍ରଦ ପଦକ୍ଷେପ ଭାବେ ସମସ୍ତଙ୍କ ପ୍ରଶଂସା ଲାଭ କରିଥିଲେ।ଏହି ଅବସରରେ ଗୁରୁମା କାଦମ୍ବିନୀ ହୋତା, ଲିନା କୁମାରୀ ସ୍ୱାଇଁ, ସୁନିତା ମହାପାତ୍ର,ଅଜୟ କୁମାର ପଟ୍ଟନାୟକ, ଅନ୍ତର୍ଯ୍ୟାମି ସାହୁ, ସଙ୍ଗୀତା ପାତ୍ର,କେ.ମାଧବି ଆଚାରୀ,ସନ୍ତୋଷି କୁମାରୀ ସାହୁ,ଶୀବାନି ମିଶ୍ର,ରାଜେଶ କୁମାର ସ୍ୱାଇଁ,ରୋଶନୀ ଲେଙ୍କା, ମୋନାଲିସା ପାଣିଗ୍ରାହୀ, ରାଜେଶ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.