
ଛତ୍ରପୁର : ଗଞ୍ଜାମ ବ୍ଲକ ଅନ୍ତର୍ଗତ ସମୁଦ୍ର କୂଳ ଲଙ୍ଘିବା ଘଟଣାକୁ ଗୁରୁତ୍ୱର ସହ ନେଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ପ୍ରଶାସନ ବିପଦପୂର୍ଣ୍ଣ ସ୍ଥାନକୁ ସିଲ୍ କରିଛି। ସମୁଦ୍ରର ଅସ୍ୱାଭାବିକ ଅଗ୍ରଗତି ଯୋଗୁଁ ଉକ୍ତ ସ୍ଥାନ ଅତ୍ୟନ୍ତ ବିପଦଜନକ ପାଲଟିଥିବାରୁ ଜନସୁରକ୍ଷା ଦୃଷ୍ଟିରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।
ପ୍ରଶାସନ ପକ୍ଷରୁ ଜେସିବି ସହାୟତାରେ ଦିନତମାମ କାର୍ଯ୍ୟ କରି ବିପଦପୂର୍ଣ୍ଣ ସ୍ଥାନରେ ମାଟି ପକାଇ ପ୍ରବେଶପଥକୁ ସିଲ୍ କରାଯାଇଛି। ଫଳରେ ସେହି ଅଞ୍ଚଳକୁ ସାଧାରଣ ଲୋକଙ୍କ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି।
ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦାଙ୍କୁ ଉକ୍ତ ସ୍ଥାନକୁ ନ ଯିବା ପାଇଁ ପ୍ରଶାସନ ପକ୍ଷରୁ କଡ଼ା ସତର୍କବାଣୀ ଜାରି କରାଯାଇଛି। ପରିସ୍ଥିତି ସ୍ୱାଭାବିକ ନ ହେବା ପର୍ଯ୍ୟନ୍ତ ନିଷେଧାଦେଶ ବଳବତ୍ତର ରହିବ ବୋଲି କୁହାଯାଇଛି।
ଗଞ୍ଜାମ ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ରଙ୍କ ନେତୃତ୍ୱରେ ଆର୍ଆଇ ସୀତାରାମ ସାହୁ, ଅମିନ ଲାଲକୃଷ୍ଣ ଦାସ, ହୁମା ଫାଣ୍ଡି ଇଞ୍ଚାର୍ଜ ବିନୟ ଦାସ ଏବଂ ସ୍ଥାନୀୟ ଲୋକଙ୍କ ସହଯୋଗରେ ଏହି କାର୍ଯ୍ୟ ସମ୍ପନ୍ନ ହୋଇଛି। ପ୍ରଶାସନ ପକ୍ଷରୁ ପରିସ୍ଥିତି ଉପରେ ନିରନ୍ତର ନଜର ରଖାଯାଉଥିବା ବେଳେ ଆବଶ୍ୟକ ପଡ଼ିଲେ ଆହୁରି ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।
