
ନୟାଗଡ: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ସମନ୍ୱିତ ଶିଶୁ ବିକାଶ ଯୋଜନା ମାଧ୍ୟମରେ ଶିଶୁ ମାନଙ୍କ ଠାରୁ ଆରମ୍ଭ କରି କୈଶୋରୀ, ଗର୍ଭବତୀ ପ୍ରସୂତି,ଶିଶୁ ମାନଙ୍କ ଶାରୀରିକ ଅଭିବୃଦ୍ଧି ସାଙ୍ଗକୁ ସୁସ୍ଥ ଜୀବନ ଧାରଣ ନିମନ୍ତେ ସରକାରଙ୍କ ତରଫରୁ ଅନେକ ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ ସରକାରୀ ତହବିଲରୁ ଏଥି ପାଇଁ କୋଟି କୋଟି ଟଙ୍କାର ବ୍ୟୟ ବରାଦ କରାଯାଉଛି।ମାତ୍ର ଯୋଜନା ଗୁଡ଼ିକ ଯଦି ପ୍ରକୃତ ଫଳପ୍ରଦ ନହୁଏ ତେବେ ସରକାରଙ୍କ ଉଦ୍ୟେଶ ସାଧନ ବାଧାପ୍ରାପ୍ତ ହେବା ସହିତ ଜନ ଆକ୍ରୋଶ ବୃଦ୍ଧି ହେଉଛି ।ମହିଳା ଓ ଶିଶୁ ବିକାଶ ଯୋଜନା ମାଧ୍ୟମରେ ୧୫ରୁ ୧୯ ବର୍ଷ ପର୍ଯ୍ୟନ୍ତ ସମସ୍ତ ବର୍ଗର କୈଶୋରି ମାନଙ୍କ ଶାରୀରିକ ଅଭିବୃଦ୍ଧି ନିମନ୍ତେ ପ୍ରୋଟିନ ଯୁକ୍ତ ଖାଦ୍ୟ ଯୋଗାଇ ଦେବା ପାଇଁ ମୁଢ଼ି, ବୁଟ ସହିତ ପ୍ରତିମାସରେ ୧୬ଟି ଲେଖାଏଁ ଅଣ୍ଡା ଅଙ୍ଗନୱାଡ଼ି ଜରିଆରେ ବଣ୍ଟନ କରାଯାଉଥିଲା ।ମାତ୍ର ୨୦୨୫ ନଭେମ୍ବର ପର୍ଯ୍ୟନ୍ତ ଅଣ୍ଡା ବାବଦକୁ ଅର୍ଥ ଅଙ୍ଗନୱାଡ଼ି ଗୁଡିକୁ ମିଳିଥିଲା ବେଳେ ବର୍ତ୍ତମାନ ସୁଦ୍ଧା ଏହି ବାବଦରେ କୌଣସି ଟଙ୍କା ମିଳୁ ନଥିବାରୁ ଧାର ଉଧାର କରି ୨୦୨୬ମସିହା ଫେବୃଆରୀ ପର୍ଯ୍ୟନ୍ତ ଅଣ୍ଡା ବଣ୍ଟନ କରାଯାଇଛି ।ବର୍ତ୍ତମାନ ୪ମାସ ହେବ କୈଶୋରୀ ମାନଙ୍କୁ ଅଣ୍ଡା ବଣ୍ଟନ ବନ୍ଦ ରହିଛି ।ଜଣ ପିଛା ୪ମାସର ୬୪ ଟି ଅଣ୍ଡା ମିଳିବ ବୋଲି ଜଣାପଡିଛି।ସରକାର ଖୁବ ଶୀଘ୍ର ଏହି ସମସ୍ୟାର ସମାଧାନ କରି ବକେୟା ଅର୍ଥ ପ୍ରଦାନ ସହିତ ଅଣ୍ଡା ବଣ୍ଟନ ସୁନିଶ୍ଚିତ କରିବାକୁ ଅଭିଭାବକ ତଥା ସାଧାରଣ ଲୋକଙ୍କ ମଧ୍ୟରେ ଦାବି ଜୋର ଧରିଛି।
