
ଉମରକୋଟ/ରାଇଘର : ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ମୁଖ୍ୟ ରାସ୍ତାରେ ଥିବା ତିନୋଟି ବ୍ୟବସାୟିକ ପ୍ରତିଷ୍ଠାନରେ ଗତ ରାତିରେ ଘଟିଥିବା ଦୁଃସାହସିକ ଚୋରି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଦୁର୍ବୃତ୍ତମାନେ ଯୋଜନାବଦ୍ଧ ଭାବରେ ଦୋକାନଗୁଡ଼ିକର ତାଲା ଓ ସଟର ଭାଙ୍ଗି ପ୍ରାୟ ୧ ଲକ୍ଷ ୯୨ ହଜାର ଟଙ୍କା ନଗଦ ସହ ବିଭିନ୍ନ ସାମଗ୍ରୀ ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ରାଇଘର ବଜାରର ବ୍ୟବସାୟୀମାନଙ୍କ ମଧ୍ୟରେ ଭୟ, ଅସନ୍ତୋଷ ଓ ସୁରକ୍ଷା ନେଇ ଚିନ୍ତା ବଢ଼ିଥିବା ଦେଖାଯାଇଛି।
ସୂଚନା ଅନୁଯାୟୀ, ଗତ ରାତିରେ ଅଜଣା ଦୁର୍ବୃତ୍ତମାନେ ରାଇଘର ମୁଖ୍ୟ ରାସ୍ତାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କ ନିକଟସ୍ଥ ଅଞ୍ଚଳକୁ ଟାର୍ଗେଟ କରି ଚୋରି କାଣ୍ଡ ଘଟାଇଥିଲେ। ସେମାନେ ଦୀପକ ମେସିନାରୀ ଦୋକାନର ତାଲା ଓ ସଟର ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ। ସେଠାରୁ ପ୍ରାୟ ୧ ଲକ୍ଷ ୬୦ ହଜାର ଟଙ୍କା ନଗଦ ଲୁଟ କରିଥିବା ଜଣାପଡ଼ିଛି। ଏହା ପରେ ନିକଟସ୍ଥ ଅମରେନ୍ଦ୍ର ମେଡିସିନ ଷ୍ଟୋରକୁ ଟାର୍ଗେଟ କରି ଦୁର୍ବୃତ୍ତମାନେ ଦୋକାନ ଭିତରକୁ ପ୍ରବେଶ କରି ପ୍ରାୟ ୩୨ ହଜାର ଟଙ୍କା ନଗଦ ଚୋରି କରିଥିବା ସୂଚନା ମିଳିଛି।
ଏହା ସହ କାଲାଚାନ୍ଦ ରାୟଙ୍କ ଗୋଦାମର ପଛପଟ ସଟରକୁ ଭାଙ୍ଗି ଦୁର୍ବୃତ୍ତମାନେ କିଛି ମୂଲ୍ୟବାନ ସାମଗ୍ରୀ ନେଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ଯଦିଓ ଗୋଦାମରୁ ଚୋରି ହୋଇଥିବା ସାମଗ୍ରୀର ସଠିକ୍ ମୂଲ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ, ତଥାପି କ୍ଷତିର ପରିମାଣ ଅଧିକ ଥିବା ଆଶଙ୍କା କରାଯାଉଛି।
ସକାଳେ ଦୋକାନ ଖୋଲିବା ପାଇଁ ଆସିଥିବା ବ୍ୟବସାୟୀମାନେ ତାଲା ଭାଙ୍ଗିଥିବା ଓ ସଟର କ୍ଷତିଗ୍ରସ୍ତ ହୋଇଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପରେ ଘଟଣା ସମ୍ପର୍କରେ ତୁରନ୍ତ ରାଇଘର ଥାନାକୁ ଅବଗତ କରାଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ ମଧ୍ୟ ଦାଖଲ ହୋଇଛି।
ସ୍ଥାନୀୟ ବ୍ୟବସାୟୀମାନଙ୍କ କହିବା ଅନୁଯାୟୀ, ଗତ କିଛି ସମୟ ଧରି ଅଞ୍ଚଳରେ ଚୋରି ଓ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବାରୁ ସେମାନଙ୍କ ମଧ୍ୟରେ ଅସୁରକ୍ଷିତ ଭାବନା ସୃଷ୍ଟି ହୋଇଛି। ରାତ୍ରି ସମୟରେ ପୋଲିସ ପେଟ୍ରୋଲିଂ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ସହ ବଜାର ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇବା ପାଇଁ ସେମାନେ ଦାବି କରିଛନ୍ତି।
ଏହି ଘଟଣାକୁ ନେଇ ବ୍ୟବସାୟୀମାନେ ପ୍ରଶାସନ ନିକଟରେ ନିରପେକ୍ଷ ତଦନ୍ତ ସହ ଶୀଘ୍ର ଦୋଷୀମାନଙ୍କୁ ଗିରଫ କରି କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ଅନ୍ୟପଟେ, ପୋଲିସ ଚୋରମାନଙ୍କୁ ଚିହ୍ନଟ କରିବା ପାଇଁ ନିକଟସ୍ଥ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରୁଥିବା ଜଣାପଡ଼ିଛି। ତଦନ୍ତ ଜାରି ରହିଥିବା ବେଳେ ଶୀଘ୍ର ଘଟଣାର ପର୍ଦାଫାଶ ହେବ ବୋଲି ଆଶା କରାଯାଉଛି କହି ବୁଦ୍ଧିଜୀବୀ ମହୋଲରେ ଚର୍ଚ୍ଚାର ବିଷୟ ପାଲଟିଛି।
(ଉମରକୋଟରୁ – ରସିକ ସରକାର)
