
ଭୁବନେଶ୍ୱର: ବର୍ତ୍ତମାନ ସମୟରେ ସାଇବର ଅପରାଧୀଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଥିବା ବେଳେ ଏବେ ସେମାନଙ୍କ ଟାର୍ଗେଟକୁ ଆସିଛନ୍ତି ବଡ଼ ବଡ଼ ରାଜନେତା ଓ ପ୍ରଭାବଶାଳୀ ବ୍ୟକ୍ତିବିଶେଷ। ଏହି କ୍ରମରେ ପୁରୀ ଲୋକସଭା ସାଂସଦ ତଥା ବରିଷ୍ଠ ବିଜେପି ନେତା ସମ୍ବିତ ପାତ୍ରଙ୍କ ହ୍ୱାଟ୍ସଆପ୍ ଆକାଉଣ୍ଟ ହ୍ୟାକ୍ ହୋଇଥିବା ଅଭିଯୋଗ ହୋଇଛି। ସାଇବର ଠକମାନେ କୌଣସି ଉପାୟରେ ତାଙ୍କ ଆକାଉଣ୍ଟକୁ ନିଜ ନିୟନ୍ତ୍ରଣକୁ ନେଇଯାଇଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ସାଂସଦ ସମ୍ବିତ ପାତ୍ର ନିଜେ ସୋସିଆଲ୍ ମିଡିଆ ମାଧ୍ୟମରେ ସୂଚନା ଦେବା ସହ ସାଧାରଣ ଜନତା ତଥା ନିଜ ସମ୍ପର୍କୀୟମାନଙ୍କୁ ସତର୍କ କରାଇ ଦେଇଛନ୍ତି।
ସାଂସଦ ସମ୍ବିତ ପାତ୍ର ନିଜ ବାର୍ତ୍ତାରେ ସ୍ପଷ୍ଟ କରିଛନ୍ତି ଯେ, ତାଙ୍କ ମୋବାଇଲ୍ ନମ୍ବର ସହ ସଂଯୁକ୍ତ ଥିବା ହ୍ୱାଟ୍ସଆପ୍ ଆକାଉଣ୍ଟଟି ବର୍ତ୍ତମାନ ତାଙ୍କ ନିୟନ୍ତ୍ରଣରେ ନାହିଁ ଏବଂ ଏହାକୁ ହ୍ୟାକ୍ କରାଯାଇଛି। ଯଦି ଉକ୍ତ ହ୍ୱାଟ୍ସଆପ୍ ନମ୍ବରରୁ କୌଣସି ବ୍ୟକ୍ତି, ସମର୍ଥକ କିମ୍ବା ପରିଚିତଙ୍କ ପାଖକୁ କୌଣସି ପ୍ରକାରର ଆପତ୍ତିଜନକ ମେସେଜ୍, ସନ୍ଦେହଜନକ ଲିଙ୍କ୍ କିମ୍ବା ଆର୍ଥିକ ସହାୟତା ମାଗିବା ଭଳି ଅନୁରୋଧ ଆସେ, ତେବେ ସେଥିରେ ଆଦୌ ବିଶ୍ୱାସ କରନ୍ତୁ ନାହିଁ। କୌଣସି ଅଜଣା ଲିଙ୍କରେ କ୍ଲିକ୍ ନକରିବା ଏବଂ କାହାକୁ ଟଙ୍କା ନପଠାଇବା ପାଇଁ ସେ ବିଶେଷ ଭାବେ ଅନୁରୋଧ କରିଛନ୍ତି, ଯାହାଦ୍ୱାରା ଲୋକେ ଠକେଇର ଶିକାର ହେବାରୁ ବର୍ତ୍ତିପାରିବେ।
ଅନ୍ୟପକ୍ଷରେ, ଏହି ସାଇବର ଠକେଇ ଘଟଣାକୁ ନେଇ ପୋଲିସ ଓ ସାଇବର ସେଲ୍ ନିକଟରେ ବିଧିବଦ୍ଧ ଭାବେ ଅଭିଯୋଗ କରାଯାଇଥିବା ସୂଚନା ମିଳିଛି। ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ସାଇବର ଟିମ୍ ପକ୍ଷରୁ ତୁରନ୍ତ ତଦନ୍ତ ଆରମ୍ଭ କରାଯାଇଛି। କେଉଁ ଉପାୟରେ ଏବଂ କେଉଁ ଆଇପି ଆଡ୍ରେସ୍ ବ୍ୟବହାର କରି ଏହି ହ୍ୟାକିଂ କରାଯାଇଛି, ତାହା ଖୋଜି ବାହାର କରିବାକୁ ବିଶେଷଜ୍ଞମାନେ ଉଦ୍ୟମ ଚଳାଇଛନ୍ତି।
ସୂଚନାଯୋଗ୍ୟ ଯେ, ସାମ୍ପ୍ରତିକ ସମୟରେ ରାଜ୍ୟ ତଥା ଦେଶରେ ସାଇବର ଅପରାଧୀମାନେ ମନ୍ତ୍ରୀ, ପ୍ରଶାସନିକ ଅଧିକାରୀ ଏବଂ ସେଲିବ୍ରିଟିମାନଙ୍କୁ ଟାର୍ଗେଟ୍ କରି ସେମାନଙ୍କ ନାଁରେ ଲୋକଙ୍କୁ ଲୁଟୁଛନ୍ତି। ସମ୍ବିତ ପାତ୍ରଙ୍କ ଭଳି ଜଣେ ହାଇପ୍ରୋଫାଇଲ୍ ତଥା ଜାତୀୟ ସ୍ତରର ନେତାଙ୍କ ଆକାଉଣ୍ଟ ହ୍ୟାକ୍ ହେବା ଘଟଣା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି।
