
ଇସଲାମାବାଦ: ପାକିସ୍ତାନ ସରକାର ଜୁଲାଇ ୫ ତାରିଖରୁ ଆତଙ୍କବାଦୀଙ୍କ ଉପରେ ବଲୁଚିସ୍ତାନ ପ୍ରଦେଶରେ ବଡ଼ଧରଣ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। ସୁରକ୍ଷାକର୍ମୀ ଏପର୍ଯ୍ୟନ୍ତ ୮୮ ଜଣ ଆତଙ୍କବାଦୀଙ୍କୁ ନିପାତ କରିଥିବା ଶନିବାର ପାକିସ୍ତାନ ସରକାର ପ୍ରକାଶ କରିଛନ୍ତି। ଗତ ୨୪ ଘଣ୍ଟାରେ ୯ ଜଣ ଆତଙ୍କବାଦୀ ନିହତ ହୋଇଥିବା ପାକିସ୍ତାନ ଆଭ୍ୟନ୍ତରୀଣ ମନ୍ତ୍ରୀ ମୋହସିନ୍ ନକ୍ଭୀ କହିଛନ୍ତି।
ପାକିସ୍ତାନରେ ‘ଅପରେସନ ଶାହବାନ୍’ରେ ଏପର୍ଯ୍ୟନ୍ତ ୮୮ ଜଣଙ୍କ ମୃତ୍ୟୁ ହୋଇଛି। ଚାଲିଥିବା ଅପରେସନରେ ପାକିସ୍ତାନ ସେନା, ଅର୍ଦ୍ଧସାମରିକ ରେଞ୍ଜର୍ସ ଓ ସୀମାନ୍ତ ବାହିନୀ ସାମିଲ ଅଛନ୍ତି। ସୁରକ୍ଷା ବାହିନୀ ପ୍ରଦେଶର ବିଭିନ୍ନ ସ୍ଥାନରେ ଆତଙ୍କବାଦୀ ଆଡ୍ଡା ଉପରେ ସମନ୍ୱିତ ଭାବେ ସ୍ଥଳ ଓ ଆକାଶ ମାର୍ଗରୁ ଆକ୍ରମଣ କରିଛନ୍ତି। ଜୁଲାଇ ୫ ତାରିଖରେ ବଲୁଚିସ୍ତାନରେ ଆତଙ୍କବାଦୀ ଆକ୍ରମଣ ପରେ ଅପରେସନ୍ ଶାହବାନ୍ ଆରମ୍ଭ ହୋଇଥିଲା। ଜିଆରତ ଜିଲ୍ଲାର ମାଙ୍ଗି ଡ୍ୟାମରେ ଥିବା ଏକ ପୁଲିସ ଚେକପଏଣ୍ଟକୁ ଟାର୍ଗେଟ କରି ଆତଙ୍କବାଦୀମାନେ ଖୁବ୍ ଭୟଙ୍କର ଆକ୍ରମଣ କରିଥିଲେ।
ଆତଙ୍କବାଦୀ ୯ ଜଣ ପୁଲିସ କର୍ମଚାରୀଙ୍କୁ ହତ୍ୟା କରିଥିବାବେଳେ ୧୮ ଜଣଙ୍କୁ ଅପହରଣ କରିନେଇଥିଲେ। ପରେ ଜିଆରତ ନିକଟସ୍ଥ ଜାରଘୁନ୍ ପର୍ବତାଞ୍ଚଳରୁ ଅପହୃତ ପୁଲିସ ଅଧିକାରୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ପୁଲିସ ଅଧିକାରୀଙ୍କ ହତ୍ୟାକୁ ନେଇ ପାକିସ୍ତାନରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା। ନିହତ ପୁଲିସ ଅଧିକାରୀଙ୍କ ପରିବାରବର୍ଗ ପ୍ରତିବାଦରେ କ୍ୱେଏଟା ଉପକଣ୍ଠରେ ଥିବା କୋଏଲା ଫାଟକ ଚୌକରେ ପ୍ରତିବାଦ ଜାରି ରଖିଛନ୍ତି। ସେମାନେ ମୃତକଙ୍କ ପାଇଁ ନ୍ୟାୟ ଦାବି ଓ ସୁରକ୍ଷାକର୍ମୀଙ୍କ ପାଇଁ କଡ଼ା ସୁରକ୍ଷା ପଦକ୍ଷେପ ଦାବି କରିଛନ୍ତି।
୧୮ ପୁଲିସ ଅଧିକାରୀଙ୍କ ମୃତଦେହରୁ ୮ଟି ମୃତଦେହକୁ ଧାରଣାସ୍ଥଳକୁ ଆଣି ପରିବାର ଲୋକମାନେ ଜୋରଦାର ପ୍ରତିବାଦ କରିଥିଲେ। ଜୁଲାଇ ୫ ତାରିଖରେ କ୍ୱେଏଟା ନିକଟସ୍ଥ ହାନ୍ନା ଉରାକ ଉପତ୍ୟକାରେ ମଧ୍ୟ ହିଂସା ଘଟିଥିଲା। ଆତଙ୍କବାଦୀମାନେ ଏକ ସ୍ଥାନୀୟ ଜନଜାତିର ସଦସ୍ୟମାନଙ୍କ ଉପରେ ଆକ୍ରମଣ କରି ପାଞ୍ଚ ଜଣଙ୍କୁ ହତ୍ୟା କରିଥିଲେ। ଆକ୍ରମଣରେ ଆଠ ଜଣ ଆହତ ହୋଇଥିବାବେଳେ ୧୧ ଜଣଙ୍କୁ ସେମାନେ ଅପହରଣ କରିନେଇଥିଲେ। ତେବେ ଅପହୃତ ଜନଜାତି ଲୋକମାନଙ୍କୁ ଶୁକ୍ରବାର ରାତିରେ ଉଦ୍ଧାର କରାଯାଇଥିଲା।
