
ବିଂଝାରପୁର : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯାଜପୁର ଜିଲ୍ଲା ବିଂଝାରପୁର ଥାନା ବାଳମୁକୁଳି ହାଟରେ ଆକ୍ରମଣର ଶୀକାର ହୋଇଥିବା ହୋଟେଲ ମାଲିକ ଅକ୍ଷୟ ଦାସଙ୍କର ଚିକିତ୍ସାଧୀନ ଅବସ୍ଥାରେ ଗତକାଲି (ରବିବାର) ମୃତ୍ୟୁ ଘଟିଛି। ଆଜି (ସୋମବାର) ମୃତଦେହ ଗାଁରେ ପହଞ୍ଚିବା ପରେ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ୟକ୍ତ ଲୋକ ମୃତଦେହକୁ ଦିନ ଗୋଟାକରୁ ବାଳମୁକୁଳି ସ୍ଥିତ ରାସ୍ତାରେ ରଖି ବିଂଝାରପୁର-ସିଂହପୁର ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି।
ମିଳିଥିବା ସୂଚନାରେ, ଆଇଆଇସି ବିଲ୍ଵମଙ୍ଗଳ ସେଠୀ, ଏସଡିପିଓ ପ୍ରଶାନ୍ତ କୁମାର ମାଝୀ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ବିଫଳ ହୋଇଛନ୍ତି। ଉତ୍ୟକ୍ତ ଲୋକ ନିଜ ଜିଦ୍ରେ ଅଟଳ ରହିଛନ୍ତି। ଖବର ଲେଖାଯିବା ବେଳକୁ ରାସ୍ତାରୋକ ହଟିନଥିବା ଜଣାଯାଇଛି। ଫଳରେ, ଏହି ରାସ୍ତାଦେଇ ଗାଡି ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିଛି।
ଲୋକଙ୍କ ଅଭିଯୋଗ, ମୁଖ୍ୟ ଅଭିଯୁକ୍ତ ସତ୍ୟଜିତ ସାହୁ ଜେଲରେ ରହିଛି କିନ୍ତୁ ଅନ୍ୟ ଜଣେ ଅଭିଯୁକ୍ତ ଟିକିନି ସାହୁ ଏବେବି ଖୋଲାଖୋଲି ବୁଲୁଛି। ଯେ ପର୍ଯ୍ୟନ୍ତ ଟିକିନି ଗିରଫ ନହୋଇଛି ସେମାନେ ଆନ୍ଦୋଳନରୁ ହଟିବେ ନାହିଁ। ଅନ୍ୟପଟେ ଟିକିନି ଜାମିନରେ ଥିବା ପୁଲିସ ପକ୍ଷରୁ କୁହାଯାଇଛି। ପ୍ରକାଶ ଥାଉକି ପୂର୍ବ ଶତ୍ରୁତାକୁ ନେଇ ବାଳମୁକୁଳି ହାଟରେ ହୋଟେଲ କରିଥିବା ଅଲ୍ୟାଣପୁର ପଞ୍ଚାୟତ ରୁଦ୍ରପୁର ଗ୍ରାମର ଅକ୍ଷୟ ଦାସ ଓ ସତ୍ୟଜିତ ସାହୁ(କୁନା)ଙ୍କ ମଧ୍ୟରେ ବିବାଦ ଉପୁଜିଥିଲା।
ଚଳିତବର୍ଷ ମାର୍ଚ୍ଚ ମାସ ୬ତାରିଖ ହାଟରୁ ପରିବା ନେଇ ଫେରୁଥିବା ବେଳେ ସତ୍ୟଜିତ ତାଙ୍କ ହୋଟେଲ ସମ୍ମୁଖରେ ଅକ୍ଷୟ ଭୁଜାଲିରେ ଆକ୍ରମଣ କରିଥିଲେ। ଆକ୍ରମଣରେ ଅକ୍ଷୟଙ୍କ ହାତ ଓ ପେଟରେ ଗଭୀର ଆଘାତ ଲାଗିଥିଲା। ତାଙ୍କୁ ପ୍ରଥମେ ବିଂଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ପରେ ଯାଜପୁର ଓ କଟକ ନେଇଥିଲେ। ମଝିରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଥିଲା ସେ ଘରକୁ ଆସିଥିଲେ। ଗତକାଲି ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ପରିବାର ଲୋକ ଯାଜପୁର ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।
