କ୍ୟାବିନେଟ ବୈଠକରେ ୭ଟି ବିଭାଗର ୧୩ଟି ପ୍ରସ୍ତାବକୁ ମୋହର

add-all

ଭୁବନେଶ୍ବର: ଗାଁକୁ ପକ୍କା ସଡ଼କ, ନଦୀରେ ବ୍ରିଜ ! ଗ୍ରାମାଞ୍ଚଳ ଭିତ୍ତିଭୂମି ଓ ଯୋଗାଯୋଗ ବ୍ୟବସ୍ଥା ପାଇଁ ରାଜ୍ୟ କ୍ୟାବିନେଟରେ ୨୭ ହଜାର କୋଟିରୁ ଅଧିକ ଟଙ୍କାର ମେଗା ପ୍ୟାକେଜ । ଗ୍ରାମୀଣ ଅଞ୍ଚଳରେ ରାସ୍ତାଘାଟ ଓ ପୋଲ ନିର୍ମାଣକୁ ବ୍ୟାପକ କରିବା ପାଇଁ ଓଡ଼ିଶା କ୍ୟାବିନେଟ୍ ଏକ ସାଙ୍ଗରେ ୨୭ ହଜା କୋଟିରୁ ଅଧିକ ଟଙ୍କାର ବିଶାଳ ପ୍ୟାକେଜକୁ ମଞ୍ଜୁରୀ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା- MMSY ଓ ସେତୁ ବନ୍ଧନ ଯୋଜନା ଅଧୀନରେ ଆଗାମୀ ୫ ବର୍ଷ ମଧ୍ୟରେ ରାଜ୍ୟର କୋଣ-ଅନୁକୋଣକୁ ବାରମାସୀ ପକ୍କା ରାସ୍ତାରେ ଯୋଡ଼ିବା ପାଇଁ ଏହି ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ମେଗା ଯୋଜନା ଅଧୀନରେ ମଞ୍ଜୁର ହୋଇଥିବା ପାଞ୍ଚଟି ପ୍ରମୁଖ ପ୍ରକଳ୍ପ ହେଲା MMSYରେ ଟ୍ରାନ୍ସଫର୍ଡ ରୋଡ୍ସ ଇମ୍ପ୍ରୁଭମେଣ୍ଟ ପ୍ରୋଗ୍ରାମ (TRIP) । ଅନ୍ୟ ବିଭାଗରୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର ହୋଇଥିବା ପ୍ରାୟ ୨୫ହଜାର ୫ଶହ କିଲୋମିଟର ରାସ୍ତାର ସୁଧାର ଓ ଉନ୍ନତିକରଣ କରାଯିବ ।

ଏହାଦ୍ୱାରା ଗ୍ରାମାଞ୍ଚଳରୁ ସ୍ୱାସ୍ଥ୍ୟକେନ୍ଦ୍ର, ଶିକ୍ଷାନୁଷ୍ଠାନ, ବଜାର ଓ ପର୍ଯ୍ୟଟନ ସ୍ଥଳୀକୁ ଯୋଗାଯୋଗ ସହଜ ହେବ । ଏଥିପାଇଁ ୨୦୨୫-୨୬ ରୁ ୨୦୨୯-୩୦ ଆର୍ଥିକ ବର୍ଷ ମଧ୍ୟରେ ୬ହଜାର ୭ଶହ କୋଟି ଖର୍ଚ୍ଚ କରାଯିବ । ବର୍ତ୍ତମାନର ଗ୍ରାମ୍ୟ ଉନ୍ନୟନ ରାସ୍ତାର ଉନ୍ନତିକରଣକୁ ଗୁରୁତ୍ବ। ବଢୁଥିବା ଗାଡ଼ିମୋଟର ସଂଖ୍ୟା ଏବଂ ଚାହିଦାକୁ ଦୃଷ୍ଟିରେ ରଖି ପୁରୁଣା ଗ୍ରାମ୍ୟ ରାସ୍ତାଗୁଡ଼ିକର ଚଉଡ଼ା ଓ ସୁଦୃଢ଼ୀକରଣ କରାଯିବ। ଏଥିପାଇଁ ୫ହଜାର ୭୫୦ କୋଟି ବ୍ୟୟରେ ୧୭ହଜାର ୫ଶହ କିଲୋମିଟର ରାସ୍ତାର କାମ ହେବ। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାର ଫ୍ଲାଗସିପ୍ ଯୋଜନା ଅଧୀନରେ ଆହୁରି ୪ହଜାର ୬୦୭ କିଲୋମିଟର ନୂଆ ରାସ୍ତା ନିର୍ମାଣ ହେବ। ଏହା ସହ ଅସଂପୂର୍ଣ୍ଣ ଥିବା ରାସ୍ତା କାମ ଶେଷ ହେବ। ଏଥିପାଇଁ ୨୦୨୬-୨୭ ରୁ ୨୦୩୦-୩୧ ମଧ୍ୟରେ ₹୪,୦୦୦ କୋଟି ବ୍ୟୟବରାଦ କରାଯାଇଛି। କନେକ୍ଟିଂ ମିସିଂ ରୋଡ୍ ଲିଙ୍କ୍ସରେ ଦୁଇଟି ବ୍ଲକ, ଦୁଇଟି ଜିଲ୍ଲା କିମ୍ବା ଆନ୍ତଃରାଜ୍ୟ ସୀମାକୁ ଯୋଡ଼ୁଥିବା ଅଧୁରା ରାସ୍ତା ଏବଂ ବିଚ୍ଛିନ୍ନାଞ୍ଚଳର ଟାପୁଗୁଡ଼ିକୁ ମୁଖ୍ୟସ୍ରୋତ ସହ ଯୋଡ଼ିବା ପାଇଁ ଏକ ହଜାର ୯୧୭ କୋଟି ଖର୍ଚ୍ଚ ହେବ ।

ଏଥିରେ ୩ହଜାର ୮୫୦ କିଲୋମିଟର ରାସ୍ତା ଓ ସଂଯୋଗୀକରଣ ପୋଲ ନିର୍ମାଣ କରାଯିବ। ପୂର୍ବରୁ ଥିବା ବିଜୁ ସେତୁ ଯୋଜନାର ନାମ ବଦଳି ଏବେ ‘ସେତୁ ବନ୍ଧନ ଯୋଜନା’ ହୋଇଛି। ଏହି ଯୋଜନା ଅଧୀନରେ ରାଜ୍ୟରେ ଏକହଜାର ୭୫୦ଟି ନୂଆ ପୋଲ ନିର୍ମାଣ କରାଯିବ। ପୂର୍ବରୁ ଚାଲିଥିବା ଏକ ହଜାର ୪୧୭ଟି ପୋଲ କାମ ଶେଷ ହେବ । ଏଥିପାଇଁ ସର୍ବାଧିକ ୧୧ହଜାର ୮୦୦ କୋଟି ମଞ୍ଜୁର କରାଯାଇଛି । ଏହାର ଅବଧିକୁ ୨୦୩୦-୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ରାଜ୍ୟ କ୍ୟାବିନେଟର ଏହି ନିଷ୍ପତ୍ତି ପରେ ଓଡ଼ିଶାର ଦୁର୍ଗମ ଓ ଆଦିବାସୀ ବହୁଳ ଅଞ୍ଚଳରେ ଲୋକଙ୍କ ଆର୍ଥିକ ଓ ସାମାଜିକ ସ୍ଥିତିରେ ବଡ଼ ସୁଧାର ଆସିବ ବୋଲି ଆଶା କରାଯାଉଛି । ଗମନାଗମନ ସୁବିଧା ହେବା ଦ୍ୱାରା ଚାଷୀ, ଛାତ୍ରଛାତ୍ରୀ ଏବଂ ସାଧାରଣ ଜନତା ସହଜରେ ସେବା ପାଇପାରିବେ ।

ad-week
Leave A Reply

Your email address will not be published.