
ପାରଳାଖେମୁଣ୍ଡି : ଗତକାଲି ରାଜ୍ୟରେ ଏକାଧିକ କୋର୍ଟକୁ ବେମାଧମକ ମିଳିଥିଲା। ଆଜି ଗଜପତି ଜିଲ୍ଲାରେ ଏହାର ପୁନରାବୃତ୍ତି ଘଟିଛି। ପାରଳାଖେମୁଣ୍ଡିରେ ଥିବା ଜିଲ୍ଲା ଓ ସେସନ୍ସ କୋର୍ଟକୁ ଇମେଲ୍ ଯୋଗେ ବୋମାଧମକ ମିଳିଛି। ଏହାପରେ ପୁଲିସ, ବୋମା ସ୍କ୍ବାଡ୍ ପକ୍ଷରୁ କୋର୍ଟ ପରିସରକୁ ତନ୍ନତନ୍ନ କରି ଯାଞ୍ଚ କରାଯାଇଛି।
ସୂଚନାନୁସାରେ, ଆଜି ପୂର୍ବାହ୍ଣ ୭ଟା ୫୮ରେ କୋର୍ଟ ରେଜିଷ୍ଟାର୍ଙ୍କ ନିକଟକୁ ଏକ ଇମେଲ୍ଆସିଥିଲା। ଇମେଲ୍ର ପ୍ରେରକ ନିଜକୁ ଦାଉଦୀ ଶଙ୍କର ଜୀବାଲ୍, ପପୁଲାର ଫ୍ରଣ୍ଟ୍ ଅଫ୍ ଇଣ୍ଡିଆ ବୋଲି ଦର୍ଶାଇଛି। ସବ୍ଜେକ୍ଟ ସ୍ଥାନରେ, ‘ଅପରାହ୍ଣ ୨ଟାରେ କୋର୍ଟ/ଜଜ୍ ଚାମ୍ବରରେ ୨୩ଟି ସାୟାଇଣ୍ଡ ଗ୍ୟାସ୍ ବୋମା ଫୁଟାଇବାକୁ …ପୟଗମ୍ବର ମହମ୍ମଦଙ୍କୁ ଅପମାନ କରିଛନ୍ତି।’ ବୋଲି ଉଲ୍ଲେଖ କରିଛି।
ଏହି ମେଲ୍ରେ ଧମକ ଦିଆଯାଇଛି ଯେ, ଅପରାହ୍ଣ ୧ଟା ୧୫ରେ କୋର୍ଟ ପରିସରରେ ବିସ୍ଫୋରଣ ହେବ। ‘ନକ୍ସଲବାଦୀ ଗୋଷ୍ଠୀମାନେ ଡ୍ରଗ୍ସ ଟଙ୍କା ପାଣ୍ଠିରେ ମିଳୁଥିବା ଚଳଚ୍ଚିତ୍ର କିପରି ପ୍ରଦର୍ଶିତ କରିବେ ତାହା ଜାଣି ନଥିଲେ, ତେଣୁ ସେମାନେ ଆଜି ଆପଣଙ୍କ କୋର୍ଟକୁ ଟାର୍ଗେଟ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି। ….ଅପରାହ୍ଣ ୧.୧୫ ପୂର୍ବରୁ ଯଥାସମ୍ଭବ ଜନସାଧାରଣଙ୍କୁ ରକ୍ଷା କରନ୍ତୁ।
ଧମକପୂର୍ଣ୍ଣ ଇମେଲ୍ ନେଇ ରେଜିଷ୍ଟାର୍ ପୁଲିସକୁ ସୂଚିତ କରିଥିଲେ। ପୁଲିସ ଟିମ୍ ପହଞ୍ଚି ସମଗ୍ର କୋର୍ଟକୁ ଖାଲି କରିଥିଲେ। ବିଭନ୍ନ ସନ୍ଦିଗ୍ଧ ସ୍ଥାନରେ ଯାଞ୍ଚ କରିଥିଲେ। ବର୍ତ୍ତମାନ ସୁଦ୍ଧା କୋର୍ଟ ପରିସରରୁ କୌଣସି ସନ୍ଦିଗ୍ଧ ସାମଗ୍ରୀ କିମ୍ବା ବିସ୍ଫୋରକ ସାମଗ୍ରୀ ମିଳିନଥିବା ଜଣାଯାଇଛି।
