
ମାଲକାନଗିରି:ରାଜ୍ୟରେ ଦୁର୍ଗମ ଜିଲ୍ଲାରୁ ଆକାଶପଥକୁ ଆଗେଇବାର ସ୍ୱପ୍ନ ଆଜି ଆଉ ଏକ ପାଦ ଆଗକୁ ବଢ଼ିଛି । ମାଲକାନଗିରି ବିମାନବନ୍ଦରରେ ବହୁ ପ୍ରତୀକ୍ଷିତ ଟ୍ରାଏଲ ରନ୍ ସଫଳତାର ସହ ଶେଷ ହୋଇଛି । ଆଜି ଇଣ୍ଡିଆ ୱାନ୍ ଏୟାର୍ ପକ୍ଷରୁ ଏକ ୯ ସିଟ୍ ବିଶିଷ୍ଟ ବିମାନ ମାଲକାନଗିରି ବିମାନବନ୍ଦରରେ ସଫଳତାର ସହ ଅବତରଣ କରିଥିଲା। ବିମାନଟି ରନୱେରେ ଅବତରଣ କରିବା ପରେ ପ୍ରଶାସନ ପକ୍ଷରୁ ୱାଟର କ୍ୟାନନ୍ ସାଲ୍ୟୁଟ୍ ମାଧ୍ୟମରେ ଏହାକୁ ସ୍ୱାଗତ କରାଯାଇଥିଲା।
ବିମାନବନ୍ଦର ପରିସରରେ ଜିଲ୍ଲା ପ୍ରଶାସନ, ବିମାନବନ୍ଦର କର୍ତ୍ତୃପକ୍ଷ, ସୁରକ୍ଷା ସଂସ୍ଥା ଓ ଇଣ୍ଡିଆ ୱାନ୍ ଏୟାର୍ର ଅଧିକାରୀମାନେ ଉପସ୍ଥିତ ଥିଲେ । ଟ୍ରାଏଲ୍ ରନ୍ ପରେ ପାଇଲଟ କହିଛନ୍ତି ଯେ, ଅବତରଣ ଓ ରନୱେ ସମେତ ବିଭିନ୍ନ ବ୍ୟବସ୍ଥାର ମୂଲ୍ୟାଙ୍କନ କରି ସମ୍ପୂର୍ଣ୍ଣ ରିପୋର୍ଟ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଦିଆଯିବ। ପ୍ରାଥମିକ ଭାବେ ବ୍ୟବସ୍ଥା ସନ୍ତୋଷଜନକ ଥିବା କଥା କୁହାଯାଇଛି। ତେବେ ଅନ୍ତିମ ଅନୁମୋଦନ ଓ ପରବର୍ତ୍ତୀ ପ୍ରକ୍ରିୟା ପରେ ନିୟମିତ ବିମାନ ସେବା ଆରମ୍ଭ ନେଇ ନିଷ୍ପତ୍ତି ହେବ।
ଦୀର୍ଘଦିନର ଦାବି ପରେ ମାଲକାନଗିରିରେ ବିମାନ ସେବା ଆରମ୍ଭ ହେବାକୁ ଯାଉଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ମାଲକାନଗିରିରୁ ଭୁବନେଶ୍ୱର ଓ ବିଶାଖପଟଣାକୁ ନିୟମିତ ଯାତ୍ରୀବାହୀ ବିମାନ ସେବା ଆରମ୍ଭ ହେଲେ ଜିଲ୍ଲାର ଯୋଗାଯୋଗ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ଆସିପାରେ। ଏହି ସେବା ଆରମ୍ଭ ହେଲେ ମାଲକାନଗିରିର ଯୋଗାଯୋଗ ବ୍ୟବସ୍ଥା ଅଧିକ ସୁଦୃଢ଼ ହେବା ସହ ବାଣିଜ୍ୟ, ପର୍ଯ୍ୟଟନ ଓ ଆର୍ଥିକ ବିକାଶକୁ ନୂଆ ଗତି ମିଳିବ ବୋଲି ଆଶା କରାଯାଉଛି ।
