ଉପଖଣ୍ଡସ୍ତରୀୟ ସ୍ଵାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

add-all

ବ୍ରହ୍ମପୁର : ପବିତ୍ର ସ୍ଵାଧୀନତା ଦିବସ-୨୦୨୬ ପାଳନ ଉପଲକ୍ଷେ ବ୍ରହ୍ମପୁର ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ସ୍ଵାଧୀନତା ଦିବସ ପାଳନ କମିଟିର ଅଧ୍ୟକ୍ଷ ତଥା ଉପ ଜିଲ୍ଲାପାଳ ଅବିନାଶ କୁମାର ଉକ୍ତ ବୈଠକରେ ଅଧ୍ୟକ୍ଷତା କରିଥିଲେ l ଖଲ୍ଲିକୋଟ ଏକକ ବିଶ୍ଵବିଦ୍ୟାଳୟ ଷ୍ଟାଡିୟମ ଠାରେ ଆୟୋଜିତ ହେବାକୁ ଥିବା ଉପଖଣ୍ଡ ସ୍ତରୀୟ ସ୍ଵାଧୀନତା ଦିବସ ଶାନ୍ତିଶୃଙ୍ଖଳାର ସହ ପାଳନ ନିମନ୍ତେ ସେ ଗୁରୁତ୍ୱାରୋପ କରିଥିଲେ l ଏଥିପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦିଷ୍ଟ ଦାୟିତ୍ୱ ହସ୍ତାନ୍ତର ସହ ଯଥା ସମୟରେ କାର୍ଯ୍ୟ ସମାପନ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ l ୮୦ ତମ ସ୍ଵାଧୀନତା ଦିବସ ପାଳନ ଦିନ ପ୍ରତ୍ୟୁଷ ଘ. ୫.୦୦ ମି. ରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ଵାରା ବ୍ରହ୍ମପୁର ସହରରେ ରାମଧୂନ୍ ପରିବେଷଣ ସହ ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡିକରେ ସକାଳ ୭ ଟା ରେ ଜାତୀୟ ପତାକା ଉତ୍ତୋଳନ ନିମନ୍ତେ ସ୍ଥିରୀକୃତ ହୋଇଥିଲା l ଉକ୍ତ ଦିନ ସକାଳ ଘ୯.୧୫ମିନିଟ୍ ରେ ସ୍ଥାନୀୟ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ ଷ୍ଟାଡିୟମ୍ ଠାରେ ଆନୁଷ୍ଠାନିକ ଭାବେ ମୁଖ୍ୟ ଅତିଥିଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ କରାଯିବାକୁ ସ୍ଥିର କରାଯାଇଥିଲା l

ଆସନ୍ତା ମାସ ତା.୧୧ .୦୮.୨୦୨୬ରିଖ ଏବଂ ତା.୧୨.୦୮.୨୦୨୬ରିଖ ଦିନ ଅପରାହ୍ନ ଘ.୨.୩୦ମି. ସମୟରେ ଓ ତା.୧୩.୦୮.୨୦୨୬ରିଖ ପୂର୍ବାହ୍ନ ଘ.୭.୩୦ ମି. ସମୟରେ ପ୍ୟାରେଡ ଅଭ୍ୟାସ କରାଯିବା ନିମନ୍ତେ ସ୍ଥିର କରାଯାଇଛି l ଚଳିତ ମାସ ତା.୩୧.୦୭.୨୦୨୬ରିଖ ଦିନ ୪ର୍ଥ ଶ୍ରେଣୀ ଠାରୁ ୮ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ଜୁନିୟର ଓ ସବ୍ ଜୁନିୟର ସ୍ତରୀୟ ଏବଂ ଆସନ୍ତା ମାସ ତା.୦୧.୦୮.୨୦୨୬ରିଖ ଦିନ ୯ମ ରୁ ଯୁକ୍ତ ଦୁଇ ପର୍ଯ୍ୟନ୍ତ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା ହେବ l ତା.୦୧.୦୮.୨୦୨୬ରିଖ ଦିନ ୬ଷ୍ଠ ରୁ ମହାବିଦ୍ୟାଳୟ ସ୍ତରୀୟ ଓଡିଆ ପ୍ରବନ୍ଧ ଏବଂ ତା.୦୨.୦୮.୨୦୨୬ରିଖ ଦିନ ସେହି ୬ଷ୍ଠ ରୁ ମହାବିଦ୍ୟାଳୟ ସ୍ତରୀୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଓଡିଆ ବକ୍ତୃତା ପ୍ରତିଯୋଗିତା ନିମନ୍ତେ କାର୍ଯ୍ୟସୂଚୀ ନିର୍ଦ୍ଧାରଣ ହୋଇଛି l ଉକ୍ତ ପ୍ରସ୍ତୁତି ବୈଠକରେ ଡିଏସ୍‌ପି, ଟ୍ରାଫିକ୍ ତ୍ରିପତି ଚୌଧୁରୀ, ଅଗ୍ନିଶମ ଅଧିକାରୀ ଠାକୁର ପ୍ରସାଦ ଦଳାଇ, ରିଜର୍ଭ ଇନ୍ସପେକ୍ଟର ବୀରସିଂ ଶବର, ଆର୍.ଡ଼ି.ସି. ଙ୍କ ଅନୁଶାସନ ସଚିବ ତନୁଶ୍ରୀ ପାତ୍ର, ବ୍ରହ୍ମପୁର ସଦର ଏସ୍.ଡ଼ି.ପି.ଓ ପ୍ରୟାସ ରଞ୍ଜନ ଛୋଟରାୟଙ୍କ ସମେତ ସଂପୃକ୍ତ ବିଭାଗୀୟ ଅଧିକାରୀଗଣ ଆଲୋଚନାରେ ଅଂଶଗ୍ରହଣ କରିଥିଲେ l ଉପଖଣ୍ଡ ସୂଚ଼ନା ଓ ଲୋକସମ୍ପର୍କ ଅଧିକାରୀ ବିକ୍ରମ ମହାରଣା, ସୂଚନା ଓ ଲୋକସମ୍ପର୍କ ବିଭାଗର କର୍ମଚାରୀ ଲୋକନାଥ ଶତପଥୀ ଏବଂ ରବୀନ୍ଦ୍ର ସାହୁ ପ୍ରସ୍ତୁତି ବୈଠକରେ ସହଯୋଗ କରିଥିଲେ l

ad-week
Leave A Reply

Your email address will not be published.