ଏସ୍‌ଆଇଆର୍ ଯାଞ୍ଚ ଓ ଶୁଣାଣି ପ୍ରକ୍ରିୟାକୁ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

add-all

୧୯,୧୫,୬୮୧ଟି ଆବେଦନ ଅନ୍ତିମ ପ୍ରକାଶନ ପାଇଁ ସଂରକ୍ଷିତ, ପୋଲସରାରେ ସର୍ବାଧିକ ୧,୯୬,୪୦୬ଟି ଆବେଦନ ସଂରକ୍ଷିତ

ଛତ୍ରପୁର : ଗଞ୍ଜାମ ଜିଲ୍ଲାର ୧୩ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍)–୨୦୨୬ ଅଧୀନରେ ଚାଲିଥିବା ଭୋଟର ତାଲିକା ଯାଞ୍ଚ ଓ ଶୁଣାଣି ପ୍ରକ୍ରିୟାକୁ ଅଧିକ କ୍ରିୟାଶୀଳ କରାଯାଇଛି। ଏକ ନିର୍ଭୁଲ ଓ ଆଦର୍ଶ ଭୋଟର ତାଲିକା ପ୍ରସ୍ତୁତିକୁ ଲକ୍ଷ୍ୟ କରି ଯାଞ୍ଚ ଓ ଶୁଣାଣି କାର୍ଯ୍ୟକୁ ତ୍ୱରାନ୍ୱିତ କରି ଧାର୍ଯ୍ୟ ସମୟ ମଧ୍ୟରେ ସମସ୍ତ ପ୍ରକ୍ରିୟା ସମାପ୍ତ କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଭି. କୀର୍ତ୍ତି ଭାସନ ଇଆର୍‌ଓ, ଏଇଆର୍‌ଓ ଓ ସମ୍ପୃକ୍ତ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସରକାରୀ କାର୍ଯ୍ୟ ସଫଳତାର ସହ ସମ୍ପାଦନ କରିବାରେ ଗଞ୍ଜାମ ଜିଲ୍ଲାର ଏକ ସ୍ୱତନ୍ତ୍ର ପରିଚୟ ରହିଛି। ସେହି ସୁନାମକୁ ଅକ୍ଷୁଣ୍ଣ ରଖିବା ସହ ଏସ୍‌ଆଇଆର୍‌ର ସମସ୍ତ କାର୍ଯ୍ୟକୁ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ କରିବା ପାଇଁ ଜିଲ୍ଲାପାଳ ଶ୍ରୀ ଭାସନ ସମସ୍ତଙ୍କୁ ସେ ପରାମର୍ଶ ଦେଇଛନ୍ତି।

ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ ନିମନ୍ତେ ମୋଟ ୫,୨୯,୧୩୭ଟି ନୋଟିସ୍ ସୃଷ୍ଟି କରିବାର ଲକ୍ଷ୍ୟ ରହିଥିବାବେଳେ ୫,୨୯,୦୮୬ଟି ନୋଟିସ୍ ସଫଳତାର ସହ ସୃଷ୍ଟି କରାଯାଇସାରିଛି, ଯାହା ପ୍ରାୟ ଶତପ୍ରତିଶତ ସଫଳତାର ପ୍ରତିଫଳନ ଅଟେ । ଏହାମଧ୍ୟରୁ ୧,୧୮,୯୮୫ଟି ନୋଟିସ୍ ବିତରଣ କରାଯାଇଥିବାବେଳେ ଅବଶିଷ୍ଟ ୪,୧୦,୧୦୧ଟି ନୋଟିସ୍‌କୁ ବିଏଲ୍‌ଓ ଓ ନିର୍ବାଚନ କର୍ମଚାରୀମାନଙ୍କ ଦ୍ୱାରା ଘରକୁ ଘର ଯାଇ ଅତିଶୀଘ୍ର ବିତରଣ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ଜିଲ୍ଲାରେ ନୋଟିସ୍‌ଗୁଡ଼ିକର ଶୁଣାଣି ପ୍ରକ୍ରିୟା ମଧ୍ୟ ସୁଚାରୁରୂପେ ଚାଲିଛି । ଏପର୍ଯ୍ୟନ୍ତ ୩୦,୬୯୩ଟି ନୋଟିସ୍‌ର ଶୁଣାଣି ସମ୍ପନ୍ନ ହୋଇଥିବାବେଳେ କେବଳ ୨,୦୫୪ଟି ମାମଲାର ଶୁଣାଣି ପେଣ୍ଡିଙ୍ଗ ଅବସ୍ଥାରେ ରହିଛି। ସେହିପରି ୧୭୭ଟି ମାମଲା ଅଯୋଗ୍ୟ ବିବେଚିତ ହୋଇଛି।

ଗଞ୍ଜାମ ଜିଲ୍ଲାର ୧୩ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ମୋଟ ୧୯,୧୫,୬୮୧ଟି ଆବେଦନ ଅନ୍ତିମ ଭୋଟର ତାଲିକା ପ୍ରକାଶନ ପାଇଁ ସଂରକ୍ଷିତ ରହିଛି। ସେଥିମଧ୍ୟରୁ ପୋଲସରା ବିଧାନସଭା ନିର୍ବାଚନମଣ୍ଡଳୀରେ ସର୍ବାଧିକ ୧,୯୬,୪୦୬ଟି ଆବେଦନ ରହିଥିବାବେଳେ ସାନଖେମୁଣ୍ଡିରେ ୧,୭୦,୦୮୧ଟି, ଦିଗପହଣ୍ଡିରେ ୧,୬୯,୩୦୩ଟି ଏବଂ ଚିକିଟିରେ ୧,୫୭,୧୧୧ଟି ଆବେଦନ ସଂରକ୍ଷିତ ରହିଛି। ସମସ୍ତ ବିଧିବଦ୍ଧ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପରେ ଏହି ଆବେଦନଗୁଡ଼ିକୁ ଅନ୍ତିମ ଭୋଟର ତାଲିକାରେ ସ୍ଥାନ ଦିଆଯିବ।

ଜିଲ୍ଲାର ସମସ୍ତ ବିଏଲ୍‌ଓ, ନିର୍ବାଚନ କର୍ମଚାରୀ ଓ ତଦାରଖକାରୀ ଅଧିକାରୀମାନେ ନୋଟିସ୍ ବିତରଣ, ଯାଞ୍ଚ ଓ ଶୁଣାଣି କାର୍ଯ୍ୟକୁ ନିଷ୍ଠାର ସହ ସମ୍ପାଦନ କରୁଥିବାରୁ ଜିଲ୍ଲାପାଳ ସେମାନଙ୍କୁ ସାଧୁବାଦ ଜଣାଇବା ସହ ଏହି ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ ଓ ଫଳପ୍ରଦ କରିବାକୁ ପରାମର୍ଶ ଦେଇଛନ୍ତି ।

ad-week
Leave A Reply

Your email address will not be published.