
ମାତୃ ଓ ଶିଶୁ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ଆରଏମଏନସିଏଏଚ୍+ଏନ୍ ଏବଂ ନିରୀକ୍ଷଣ କାର୍ଯ୍ୟକ୍ରମର ସୁଦୃଢ଼ କାର୍ଯ୍ୟାନ୍ୱୟନ ଉପରେ ଗଞ୍ଜାମ ଜିଲ୍ଲାପାଳଙ୍କ ଗୁରୁତ୍ୱାରୋପ, ପରିବାର ନିୟୋଜନ ବନ୍ଧ୍ୟାକରଣରେ ସାନଖେମୁଣ୍ଡି ବ୍ଲକ୍ ପ୍ରଥମ, ବେଗୁନିଆପଡ଼ା ଦ୍ୱିତୀୟ ଓ ତୃତୀୟରେ ଛତ୍ରପୁର
ଛତ୍ରପୁର : ଜିଲ୍ଲାରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସୂଚକାଙ୍କରେ ଆହୁରି ଉନ୍ନତି ଆଣିବା ସହ ଜନସ୍ୱାସ୍ଥ୍ୟ ସେବାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ପ୍ରଜନନ, ମାତୃ, ନବଜାତ, ଶିଶୁ, କିଶୋର ସ୍ୱାସ୍ଥ୍ୟ ଓ ପୋଷଣ କାର୍ଯ୍ୟକ୍ରମର ଫଳପ୍ରଦ କାର୍ଯ୍ୟାନ୍ୱୟନ ଉପରେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ୱାସନ ଗୁରୁତ୍ୱାରୋପ କରିଛନ୍ତି ।
ଛତ୍ରପୁରସ୍ଥିତ ଜିଲ୍ଲା ପରିଷଦର ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ଆୟୋଜିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା ଓ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ପ୍ରଜନନ, ମାତୃ, ନବଜାତ, ଶିଶୁ, କିଶୋର ସ୍ୱାସ୍ଥ୍ୟ ଓ ପୋଷଣ କାର୍ଯ୍ୟକ୍ରମ ଏବଂ ‘ନିରୀକ୍ଷଣ’ କାର୍ଯ୍ୟକ୍ରମର ଅଗ୍ରଗତିର ସମୀକ୍ଷା କରିଥିଲେ।
ଗର୍ଭବତୀ ମହିଳାଙ୍କର ପ୍ରାରମ୍ଭିକ ପଞ୍ଜୀକରଣ, ଜଟିଳ ଗର୍ଭଧାରଣର ସମୟୋପଯୋଗୀ ଚିହ୍ନଟ, ନିର୍ଦ୍ଧାରିତ ସମୟରେ ଅଲ୍ଟ୍ରାସୋନୋଗ୍ରାଫି, ସୁରକ୍ଷିତ ପ୍ରତିଷ୍ଠାନଭିତ୍ତିକ ପ୍ରସବ, ଶିଶୁଙ୍କ ସମ୍ପୂର୍ଣ୍ଣ ଟିକାକରଣ, ଗୁଣାତ୍ମକ ପରିବାର ନିୟୋଜନ ସେବା, ପୋଷଣ ଅଭିଯାନ ଅଧୀନରେ ପୁଷ୍ଟିକର ଖାଦ୍ୟ, ଲୌହ ଓ ଫୋଲିକ ଅମ୍ଳ ବଟିକା, କ୍ୟାଲସିୟମ୍ ପ୍ରଦାନ, ଶିଶୁଙ୍କ ବୃଦ୍ଧି ନିରୀକ୍ଷଣ, ଗୁରୁତର ଓ ମଧ୍ୟମ ପୁଷ୍ଟିହୀନ ଶିଶୁଙ୍କର ଯଥାଯଥ ପରିଚାଳନା ଏବଂ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ସୁବିଧା ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ଦିଗରେ ସମସ୍ତ ଅଧିକାରୀଙ୍କୁ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।
ସରକାରୀ ସ୍ୱାସ୍ଥ୍ୟ ଅନୁଷ୍ଠାନଗୁଡ଼ିକରେ ରେକର୍ଡ ଓ ଦସ୍ତାବିଜ ପରିଚାଳନାକୁ ସୁଦୃଢ଼ କରିବା, ଆବଶ୍ୟକୀୟ ଔଷଧ, ପରୀକ୍ଷା ସୁବିଧା ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସାମଗ୍ରୀର ନିରବଚ୍ଛିନ୍ନ ଯୋଗାଣ ସୁନିଶ୍ଚିତ କରିବା, ଆମ୍ବୁଲାନ୍ସ ଓ ଅଟୋ ଆମ୍ବୁଲାନ୍ସ ସେବା ସମେତ ରୋଗୀ ପରିବହନ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଏବଂ ସଂକ୍ରମଣ ନିୟନ୍ତ୍ରଣ ବ୍ୟବସ୍ଥାର ନିୟମିତ ତଦାରଖ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।
ଏହି ଅବସରରେ ଜନସଂଖ୍ୟା ସ୍ଥିରତା ପକ୍ଷ (୧୧ରୁ ୨୪ ଜୁଲାଇ) ପାଳନ ଅବସରରେ ପରିବାର ନିୟୋଜନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଶ୍ରେଷ୍ଠ ବ୍ଲକ୍, ସ୍ୱାସ୍ଥ୍ୟ ଅନୁଷ୍ଠାନ, ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା।
ବନ୍ଧ୍ୟାକରଣରେ ୪୧୩ଟି ଅସ୍ତ୍ରୋପଚାର କରି ସାନଖେମୁଣ୍ଡି ବ୍ଲକ୍ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ବେଗୁନିଆପଡ଼ା ବ୍ଲକ୍ (୩୮୭) ଦ୍ୱିତୀୟ ଏବଂ ଛତ୍ରପୁର ବ୍ଲକ୍ (୩୬୭) ତୃତୀୟ ସ୍ଥାନ ଅଧିକାର କରିଛି।
ପ୍ରସବ ପରବର୍ତ୍ତୀ ଆଇୟୁସିଡି ରୋପଣରେ ଏମ୍.କେ.ସି.ଜି. ମାତୃ ଓ ଶିଶୁ ଚିକିତ୍ସାଳୟ ୪,୬୭୭ଟି ସ୍ଥାପନ ସହ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଭଞ୍ଜନଗର ଓ ହିଞ୍ଜିଳିକାଟୁ ବ୍ଲକ୍ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ସେହିପରି ସବ୍-ଡର୍ମାଲ୍ ଇମ୍ପ୍ଲାଣ୍ଟ ଇନ୍ସର୍ସନ୍ କ୍ଷେତ୍ରରେ ପୋଲସରା, ସୋରଡ଼ା ଏବଂ ରଙ୍ଗେଇଲୁଣ୍ଡା ବ୍ଲକ୍ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ସମ୍ମାନିତ ହୋଇଥିଲେ।

ପରିବାର ନିୟୋଜନ ସେବାରେ ଉଲ୍ଲେଖନୀୟ ଅବଦାନ ପାଇଁ ଡା. ଶରତ କୁମାର ସାମଲ, ଡା. ସୁଚିତ୍ରା କୁମାରୀ ସାହୁ ଏବଂ ଡା. ସମ୍ବିତ ବିଗ୍ରେଙ୍କୁ ସମ୍ମାନିତ କରାଯାଇଥିଲା। ସେହିପରି ଅପରେସନ ଥିଏଟର ସହାୟକ ଭାବେ ଉଲ୍ଲେଖନୀୟ ସେବା ପାଇଁ ଦୁଡୁ ନାୟକ, ଗଣପତି ଖଣ୍ଡୁଆଳ ଏବଂ ସଞ୍ଜୟ କୁମାର ଘଡ଼େଇଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।
ସମସ୍ତ ସମ୍ବର୍ଦ୍ଧିତ ବ୍ୟକ୍ତିତ୍ୱଙ୍କୁ ଅଭିନନ୍ଦନ ଜଣାଇ ଜିଲ୍ଲାପାଳ କହିଥିଲେ ଯେ, ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ ଓ କ୍ଷେତ୍ରସ୍ତରରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ନିଷ୍ଠାପୂର୍ଣ୍ଣ ସେବା ଯୋଗୁଁ ଜିଲ୍ଲାର ସ୍ୱାସ୍ଥ୍ୟ ବ୍ୟବସ୍ଥା ସୁଦୃଢ଼ ହେଉଛି। ସମସ୍ତ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ଓ ନିୟମିତ ତଦାରଖ ମାଧ୍ୟମରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଜିଲ୍ଲାକୁ ଆହୁରି ଉନ୍ନତ ସ୍ତରକୁ ନେବାପାଇଁ ସେ ସମସ୍ତଙ୍କୁ ଆହ୍ୱାନ ଜଣାଇଥିଲେ ।
ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଭବାନୀ ଶଙ୍କର ମିଶ୍ର, ସିଟି ହସ୍ପିଟାଲର ଅଧୀକ୍ଷକ ଡା. ବିଶ୍ୱମ୍ବର ବେହେରା, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ବାଲୁଙ୍କେଶ୍ୱର ଷଡ଼ଙ୍ଗୀ, ସମସ୍ତ ସହକାରୀ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ, ଜାତୀୟ ସ୍ୱାସ୍ଥ୍ୟ ମିଶନର ପରାମର୍ଶଦାତା, ଉପଖଣ୍ଡ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧୀକ୍ଷକ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଏବଂ ଜିଲ୍ଲା ଓ ବ୍ଲକ୍ ସ୍ତରର ବିଭିନ୍ନ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।
