
ଜମ୍ମୁ କଶ୍ମୀର : ଜମ୍ମୁ-କଶ୍ମୀର ଅନନ୍ତନାଗ ସହରର ଲାଲ ଚୌକରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ଅନନ୍ତନାଗରେ ସୁରକ୍ଷାକର୍ମୀଙ୍କୁ କିଛି ଆତଙ୍କବାଦୀ ଗୁଳିମାଡ଼ କରିଛନ୍ତି । ପୋଲିସ ଏବଂ ସେନା ମିଳିତ ଭାବେ କମ୍ବିଂ ଅପରେସନ ଆରମ୍ଭ କରିଛନ୍ତି । ଏଥିରେ ଜଣେ ପୋଲିସ କର୍ମୀ ସହିଦ ହୋଇଥିବା ବେଳେ ଅନ୍ୟ ପୋଲିସ କର୍ମୀ ଆହତ ହୋଇଛନ୍ତି ।
ପୋଲିସ ଅଧିକାରୀଙ୍କ ଅନୁସାରେ, ଜମ୍ମୁ କଶ୍ମୀର ଅନନ୍ତନାଗରେ ଯବାନ ଏବଂ ପୋଲିସ ଅମରନାଥ ଯାତ୍ରୀଙ୍କ ସୁରକ୍ଷାରେ ନିୟୋଜିତ ଥିଲେ । ବୁଧବାର ଦିନ ୧୨ଟା ୩୦ ମିନିଟରେ ପୋଲିସ ବାହିନୀ ଉପରେ ଆକ୍ରମଣ କରିଥିଲେ ଆତଙ୍କବାଦୀ । ଏହି ଘଟଣାରେ ଆକ୍ରମଣରେ ଆସିକ୍ ହୁସେନ୍ କ୍ୟୁରେସି ନାମରେ ଜଣେ କନଷ୍ଟେବଳ ସହିଦ ହୋଇଛନ୍ତି । ତାଙ୍କ ଉପରେ ଆକ୍ରମଣ ପରେ ତୁରନ୍ତ ଆହତ ପୋଲିସ ଅନନ୍ତନାଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ସହିଦ ପୋଲିସକର୍ମୀଙ୍କ ପରିଚୟ ମିଳିଛି । ଆଇଆରପି ଥାର୍ଡ ବାଟାଲିୟମର ଆସିକ୍ ହୁସେନ୍ ବୋଲି ଜଣାପଡିଛି । ସେ ଜମ୍ମୁ କଶ୍ମୀର ବଡଗାମ ଜିଲ୍ଲାର ବୀରବାହ ଅଞ୍ଚଳରେ ରହୁଥିଲେ ।
ଆକ୍ରମଣ ପଛରେ ଲସ୍କର-ଏ-ତୋଏବାର ଛାମୁଆ ସଙ୍ଗଠନ ଦି ରେଜିଷ୍ଟାନ୍ସ ଫୋର୍ସ ନିଜକୁ ଦାୟୀ କରିଛି । ଏନେଇ ସଙ୍ଗଠନ ପକ୍ଷରୁ ସୋସିଆଲ ମିଡିଆରେ ସୂଚନା ଦିଆଯାଇଛି । ଆକ୍ରମଣ ପରେ ପୋଲିସ ସ୍ଥାନୀୟ ଅଞ୍ଚଳକୁ ଘେରି ଆତଙ୍କୀ ସର୍ଚ୍ଚ ଅପରେସନ ଆରମ୍ଭ କରିଛି । ସୁରକ୍ଷାବଳ ସବୁ ଗତିବିଧି ଉପରେ ନଜର ରଖିଛି ।
ଘଟଣାପରେ ସୁରକ୍ଷାକର୍ମୀମାନେ ସ୍ଥାନୀୟ ଅଞ୍ଚଳକୁ ଘେରି ରହି କମ୍ବିଂ ଅପରେସନକୁ ଜୋରଦାର କରିଛନ୍ତି । ଆକ୍ରମଣ ଭିଆଇଥିବା ଆତଙ୍କବାଦୀଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି । ଏହାସହ ଅମରନାଥ ଯାତ୍ରାକୁ ମଧ୍ୟ ଖରାପ ପାଗ କାରଣରୁ ୪ ଦିନ ପାଇଁ ଘୁଞ୍ଚାଇ ଦିଆଯାଇଛି । ସୁରକ୍ଷା ଏଜେନ୍ସୀ ଆକ୍ରମଣରେ ସାମିଲ ଥିବା ଆତଙ୍କୀ ଏବଂ ସେମାନଙ୍କ ସହାୟତା କରିଥିବା ଲୋକ ବିଷୟରେ ଖବର ସଂଗ୍ରହ କରୁଛି । ଏହାସହିତ ଅନନ୍ତନାଗ ସହରରେ ବିପୁଳ ମାତ୍ରାରେ ଫୋର୍ସ ମୁତୟନ କରାଯାଇ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରାଯାଇଛି ।
