
ନୂଆଦିଲ୍ଲୀ : NEET ପେପର ଲିକ୍ କୁ ନେଇ ଦେଶବ୍ୟାପୀ ବିକ୍ଷୋଭ । ଅନେକ ରାଜ୍ୟରେ ଛାତ୍ର ଓ କଂଗ୍ରେସର ପ୍ରତିବାଦ । NEET-UG ୨୦୨୬ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ଏବଂ ଦିଲ୍ଲୀରେ ଛାତ୍ର ପ୍ରତିବାଦ ସମୟରେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ଦେଶର ବିଭିନ୍ନ ରାଜ୍ୟରେ ବିକ୍ଷୋଭ ଜୋରଦାର ହୋଇଛି । ଛାତ୍ର ସଂଗଠନଙ୍କ ସହ ବିରୋଧୀ ଦଳମାନେ ମଧ୍ୟ ରାସ୍ତାକୁ ଓହ୍ଲାଇ କେନ୍ଦ୍ର ସରକାର ବିରୋଧରେ ପ୍ରତିବାଦ କରୁଛନ୍ତି । ବିହାରର ପାଟନାରେ ହଜାର ହଜାର ଛାତ୍ର ରାଲି ଓ ପ୍ରଦର୍ଶନ କରି ପେପର ଲିକ୍ ଓ ପରୀକ୍ଷା ବ୍ୟବସ୍ଥାରେ ଅନିୟମିତତା ବିରୋଧରେ ସ୍ୱର ଉଠାଇଛନ୍ତି ।
କେତେକ ସ୍ଥାନରେ ପୋଲିସ ସହ ଧସ୍ତାଧସ୍ତି ହୋଇଥିବା ବେଳେ ୱାଟର କ୍ୟାନନ୍ ଓ ଲୁହବୁହା ଗ୍ୟାସ ବ୍ୟବହାର କରାଯାଇଥିବା ଖବର ମିଳିଛି । ଦିଲ୍ଲୀରେ ଛାତ୍ରଙ୍କ ଉପରେ ପୋଲିସ ଲାଠିଚାର୍ଜ ଓ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ବିରୋଧୀ ନେତାଙ୍କୁ ଅଟକ ଘଟଣାକୁ ବିରୋଧ କରି ତାମିଲନାଡୁ, କର୍ଣ୍ଣାଟକ ଓ ଗୁଜରାଟ ସମେତ ଅନେକ ରାଜ୍ୟରେ କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯାଇଛି । ବେଙ୍ଗାଲୁରୁ ଓ ସୁରଟରେ ବିକ୍ଷୋଭ ସମୟରେ କଂଗ୍ରେସ କର୍ମୀଙ୍କୁ ପୋଲିସ ଅଟକ ରଖିଥିଲା।
ଏହି ବିବାଦର କେନ୍ଦ୍ରବିନ୍ଦୁରେ ରହିଛି NEET-UG ୨୦୨୬ ପରୀକ୍ଷାରେ ଅନିୟମିତତା ଅଭିଯୋଗ । ଏହାକୁ ନେଇ ବିରୋଧୀ ଦଳଗୁଡ଼ିକ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା, ନ୍ୟାୟିକ ତଦନ୍ତ, NTAର ସଂସ୍କାର ଓ ଛାତ୍ରଙ୍କୁ ନ୍ୟାୟ ଦେବା ଦାବି କରୁଛନ୍ତି । ଅନ୍ୟପଟେ, ସଂସଦ ଅଧିବେଶନ ସମୟରେ ଆଇନ-ଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ ପଦକ୍ଷେପ ନେଇଥିବା ସରକାର କହିଛନ୍ତି ।
