
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଆଜି ପଶ୍ଚିମବଙ୍ଗର ଦୀଘା ନିକଟରେ ସ୍ଥଳଭାଗ ଛୁଇଁଛି । ପଶ୍ଚିମ ବଙ୍ଗୋପସାଗର ନିକଟରେ ଥିବା ଡିପ୍ ଡିପ୍ରେସନ ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି ୭ କିଲୋମିଟର ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବା ସହ ଦୀଘାର ନିକଟତର ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳ 0030 ରୁ 0130 ଘଣ୍ଟା IST ମଧ୍ୟରେ ଅତିକ୍ରମ କରିଥିଲା। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
୨୮ ଜୁଲାଇ ୨୦୨୬ 0530 ଘଣ୍ଟା IST ରେ ଉତ୍ତର ଉପକୂଳ ଓଡ଼ିଶା ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ କେନ୍ଦ୍ରୀଭୂତ ହୋଇଥିଲା, ଅକ୍ଷାଂଶ 21.7° ଉତ୍ତର ଏବଂ ଦ୍ରାଘିମା 87.2° ପୂର୍ବ ନିକଟରେ, ଦୀଘା (ପଶ୍ଚିମ ବଙ୍ଗ) ର ପ୍ରାୟ 30 କିଲୋମିଟର ପଶ୍ଚିମ-ଉତ୍ତରପଶ୍ଚିମ, ବାଲେଶ୍ଵର (ଓଡିଶା) ର 30 କିଲୋମିଟର ଉତ୍ତର-ପୂର୍ବ, ବାରିପଦା (ଓଡିଶା) ର 50 କିଲୋମିଟର ପୂର୍ବ-ଦକ୍ଷିଣପୂର୍ବ, ଜାମସେଦପୁର (ଝାଡ଼ଖଣ୍ଡ) ର 160 କିଲୋମିଟର ଦକ୍ଷିଣ-ପୂର୍ବ ଏବଂ କେନ୍ଦୁଝରଗଡ଼ (ଓଡିଶା) ର 170 କିଲୋମିଟର ପୂର୍ବରେ ରହିଥିଲା।
ଅପରପକ୍ଷରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଉତ୍ତର ଓଡ଼ିଶା, ଦକ୍ଷିଣ ଝାଡ଼ଖଣ୍ଡ ଏବଂ ଉତ୍ତର ଛତିଶଗଡ଼ରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ଅଧିକ ରହିଛି।
ତେବେ ଲଗାଣ ବର୍ଷା ଯୋଗୁଁ ସହର ଓ ଗ୍ରାମାଞ୍ଚଳର ଅନେକ ତଳିଆ ଅଞ୍ଚଳରେ ପାଣି ପଶିଯାଇଛି। ଘର, ରାସ୍ତା ଓ ବଜାର ଜଳମଗ୍ନ ହୋଇପଡ଼ିଥିବା ବେଳେ କେତେକ ସ୍ଥାନରେ ଯାତାୟାତ ବ୍ୟାହତ ହେବା ସହ ଜଳବନ୍ଦୀ ଅବସ୍ଥାରେ ସୃଷ୍ଟି ହୋଇଛି। ନଦୀ ଓ ନାଳଗୁଡ଼ିକର ଜଳସ୍ତର ମଧ୍ୟ ବଢ଼ିବାରେ ଲାଗିଛି।
