
ଯାଜପୁର ଟାଉନ: ଉପରେ ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି । ବିପଦ ସଂକେତ ଟପିଛି ବୈତରଣୀ ନଦୀର ଜଳସ୍ତର। ଆଖୁଆପଦାଠାରେ ନଦୀର ବିପଦ ସଂକେତ ୧୮.୩୩ ମିଟର ଥିବାବେଳେ ଏବେ ବିପଦ ସଂକେତ ଅତିକ୍ରମକରି ୧୮.୪୮ ଉପରେ ପ୍ରବାହିତ ହେଉଛି । ତେଣୁ ନଦୀକୂଳିଆ ଲୋକଙ୍କୁ ମାଇକ ଯୋଗେ ସତର୍କ କରୁଛି ପ୍ରଶାସନ । ସେପଟେ ଓଡ୍ରାଫ ଟିମକୁ ଧାମନଗର ଅଂଚଳକୁ ପଠାଯାଇଛି । ତେବେ କିଛି ସମୟ ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଧାମନଗରଠାରେ ଏକ ପ୍ରସ୍ତୁତି ବୈଠକ କରିବାର କାର୍ଯ୍ୟକ୍ରମ ରହିଛି । ଉପରେ ମୁଣ୍ଡରେ ପ୍ରବଳ ପ୍ରବଳ ବର୍ଷା ଯୋଗୁଁ ବଡ଼ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି ।
ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି । ତଳିଆ ଅଞ୍ଚଳରେ ଥିବା ଲୋକଙ୍କ ଉପରେ ନଜର ରଖାଯାଉଥିବା ବେଳେ ଆବଶ୍ୟକ ପଡ଼ିଲେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଆରମ୍ଭ କରାଯିବ। ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ଜିଲ୍ଲାପାଳ କହିଛନ୍ତି । ବର୍ଷା ଓ ନଦୀର ଜଳସ୍ତର ଉପରେ ଲଗାତାର ନଜର ରଖାଯାଇଥିବା ବେଳେ ଲୋକମାନଙ୍କୁ ଭୟଭୀତ ନହୋଇ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି ।
