ବୈଧ ଡ୍ରାଇଭିଂ ଲାଇସେନ୍ସ ନଥିଲେ ଦାୟୀ ନୁହେଁ ବୀମା କମ୍ପାନୀ: ସୁପ୍ରିମକୋର୍ଟ

add-all

ନୂଆଦିଲ୍ଲୀ:ଦୁର୍ଘଟଣା କ୍ଷତିପୂରଣକୁ ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଯଦି ଦୁର୍ଘଟଣା ସମୟରେ ଗାଡ଼ି ଚାଳକଙ୍କ ପାଖରେ ବୈଧ ଡ୍ରାଇଭିଂ ଲାଇସେନ୍ସ ନଥାଏ କିମ୍ବା ଲାଇସେନ୍ସର ନବୀକରଣ ହୋଇନଥାଏ,ତେବେ କ୍ଷତିପୂରଣ ଦେବା ପାଇଁ ବୀମା କମ୍ପାନୀକୁ ବାଧ୍ୟ କରାଯାଇପାରିବ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି।

ଜଷ୍ଟିସ ସଞ୍ଜୟ କରୋଲ ଓ ଜଷ୍ଟିସ ଏନ୍. କୋଟିଶ୍ୱର ସିଂହଙ୍କ ଖଣ୍ଡପୀଠ କହିଛନ୍ତି ଯେ,ବୈଧ ଲାଇସେନ୍ସ ବିନା ଜଣେ ବ୍ୟକ୍ତି ଯଦି ଦୁର୍ଘଟଣା ଘଟାଉଥିବା ଗାଡ଼ି ଚଳାଉଥାନ୍ତି, ତେବେ ସେହି କ୍ଷତିପୂରଣର ଭାର ବୀମା କମ୍ପାନୀ ଉପରେ ଲଦାଯାଇପାରିବ ନାହିଁ। କୋର୍ଟଙ୍କ ରାୟ ଅନୁସାରେ,ଏପରି ପରିସ୍ଥିତିରେ ଗାଡ଼ି ଚାଳକ, ଗାଡ଼ି ମାଲିକ କିମ୍ବା ଉଭୟଙ୍କୁ କ୍ଷତିପୂରଣ ଦେବାର ଦାୟିତ୍ୱ ବହନ କରିବାକୁ ପଡ଼ିପାରେ।

  • ସଡ଼କ ସୁରକ୍ଷା ନେଇ ସଚେତନତା ଉପରେ ଜୋର

ସୁପ୍ରିମକୋର୍ଟ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଏବଂ ରାଜ୍ୟ ପରିବହନ ବିଭାଗଗୁଡ଼ିକୁ ସଡ଼କ ସୁରକ୍ଷା ଓ ଟ୍ରାଫିକ୍ ନିୟମ ପାଳନ ନେଇ ଦେଶବ୍ୟାପୀ ସଚେତନତା ଅଭିଯାନ ଚଳାଇବାକୁ ପରାମର୍ଶ ଦେଇଛନ୍ତି।ସୋସିଆଲ ମିଡିଆ ଓ ଅନ୍ୟାନ୍ୟ ମାଧ୍ୟମରେ ବୈଧ ଡ୍ରାଇଭିଂ ଲାଇସେନ୍ସର ଆବଶ୍ୟକତା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ସହ ଲାଇସେନ୍ସ ପ୍ରଦାନ ଓ ନବୀକରଣ ପ୍ରକ୍ରିୟାକୁ ସରଳ ଓ ସ୍ୱଚ୍ଛ କରିବାକୁ କୋର୍ଟ କହିଛନ୍ତି।

  • ଆଞ୍ଚଳିକ ଭାଷାରେ ପରୀକ୍ଷା ଓ ଡ୍ରାଇଭିଂ ସ୍କୁଲ ସଂସ୍କାର ପାଇଁ ପରାମର୍ଶ

ଡ୍ରାଇଭିଂ ସ୍କୁଲଗୁଡ଼ିକର ନିୟମାବଳୀରେ ସଂସ୍କାର ଆଣିବା ସହ ଏହାକୁ ସୁଲଭ ମୂଲ୍ୟରେ ଉପଲବ୍ଧ କରାଇବା ଦିଗରେ ପଦକ୍ଷେପ ନେବାକୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି। ଏଥିସହ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ ଓ ପରୀକ୍ଷା ପ୍ରକ୍ରିୟାକୁ ଆଞ୍ଚଳିକ ଭାଷାରେ କରିବା ଉପରେ ମଧ୍ୟ ଜୋର ଦିଆଯାଇଛି।

  • ବୈଧ ଲାଇସେନ୍ସ ସଡ଼କ ସୁରକ୍ଷାର ମୁଖ୍ୟ ଆଧାର

ସୁପ୍ରିମକୋର୍ଟ କହିଛନ୍ତି ଯେ, ବୈଧ ଡ୍ରାଇଭିଂ ଲାଇସେନ୍ସ ବିନା ଗାଡ଼ି ଚଳାଇବା କେବଳ ଆଇନର ଉଲ୍ଲଂଘନ ନୁହେଁ, ଏହା ସଡ଼କ ସୁରକ୍ଷା ପାଇଁ ମଧ୍ୟ ଗୁରୁତର ବିପଦ। ତେଣୁ ନିୟମର କଡ଼ାକଡ଼ି ପାଳନ ସହ ଲୋକଙ୍କ ମଧ୍ୟରେ ସଚେତନତା ବଢ଼ାଇବା ଆବଶ୍ୟକ ବୋଲି କୋର୍ଟ ମତ ଦେଇଛନ୍ତି।

ad-week
Leave A Reply

Your email address will not be published.