ବଲୁଚିସ୍ତାନରେ ୬ ଅପହୃତ ଶ୍ରମିକଙ୍କୁ ହତ୍ୟା, ବିଏଲ୍‌ଏ ନେଇଛି ହତ୍ୟାକାଣ୍ଡର ଦାୟିତ୍ବ

add-all

ଇସ୍‌ଲାମାବାଦ: ପାକିସ୍ତାନର ବଲୁଚିସ୍ତାନ ପ୍ରଦେଶରେ ଅପହରଣ କରାଯାଇଥିବା ୬ ଜଣ ଶ୍ରମିକଙ୍କୁ ହତ୍ୟା କରାଯାଇଛି। ନିଷିଦ୍ଧ ବିଦ୍ରୋହୀ ସଂଗଠନ ବଲୋଚ ଲିବରେସନ ଆର୍ମି (ବିଏଲ୍‌ଏ) ଏହି ହତ୍ୟାକାଣ୍ଡର ଦାୟିତ୍ବ ନେଇଛି। ସଂଗଠନ ଦାବି କରିଛି ଯେ, ଏହି ଶ୍ରମିକମାନେ ପାକିସ୍ତାନ ସୁରକ୍ଷା ବାହିନୀ ଏବଂ ଚୀନ୍‌ ସମର୍ଥିତ ପ୍ରକଳ୍ପରେ କାମ କରୁଥିଲେ। ବଲୁଚିସ୍ତାନରେ ଚୀନ୍‌ର କୌଣସି ପ୍ରକଳ୍ପ କାମ କରାଇ ଦିଆଯିବ ନାହିଁ ବୋଲି ବିଏଲଏ ଧମକ ଦେଇଛି। ଏହି ଘଟଣା ପରେ ବଲୁଚିସ୍ତାନରେ ସୁରକ୍ଷା ପରିସ୍ଥିତିକୁ ନେଇ ପୁଣି ଥରେ ଚିନ୍ତା ବଢ଼ିଛି।

ସ୍ଥାନୀୟ ଗଣମାଧ୍ୟମ ଓ ସୁରକ୍ଷା ସୂତ୍ର ଅନୁସାରେ, ଶ୍ରମିକମାନଙ୍କୁ ବଲୁଚିସ୍ତାନର ଏକ ରାଜପଥରୁ ଅସ୍ତ୍ରଧାରୀମାନେ ଅପହରଣ କରି ନେଇଥିଲେ। ପରେ ବିଭିନ୍ନ ସ୍ଥାନରୁ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଘଟଣା ପରେ ସୁରକ୍ଷା ବାହିନୀ ସମଗ୍ର ଅଞ୍ଚଳରେ ତଲାସି ଅଭିଯାନ ଆରମ୍ଭ କରିଛି। ପାକିସ୍ତାନ ସରକାର ଏହି ହତ୍ୟାକାଣ୍ଡକୁ କଡ଼ା ନିନ୍ଦା କରିବା ସହ ଦୋଷୀମାନଙ୍କ ବିରୋଧରେ କଠୋର ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

ଏହି ଆକ୍ରମଣର ଦାୟିତ୍ବ ନେଇ ବିଏଲ୍‌ଏ ଏକ ବିବୃତି ଜାରି କରି କହିଛି ଯେ, ବଲୁଚିସ୍ତାନରେ ଚାଲୁଥିବା ଚୀନ୍‌ର ସମସ୍ତ ପ୍ରକଳ୍ପ ଓ ସେଥିରେ କାର୍ଯ୍ୟରତ ବ୍ୟକ୍ତିଙ୍କୁ ସେମାନେ ନିଶାଣ କରିବେ। ବିଶେଷକରି ଚୀନ୍‌-ପାକିସ୍ତାନ ଆର୍ଥିକ କରିଡର (ସିପିଇସି) ଅଧୀନରେ ଚାଲୁଥିବା ପ୍ରକଳ୍ପଗୁଡ଼ିକୁ ସଂଗଠନ ବିରୋଧ କରୁଛି। ବିଏଲ୍‌ଏର ଅଭିଯୋଗ ହେଉଛି, ଏହି ପ୍ରକଳ୍ପଗୁଡ଼ିକ ବଲୁଚିସ୍ତାନର ସମ୍ପଦର ଶୋଷଣ କରୁଛି ଏବଂ ସ୍ଥାନୀୟ ଲୋକଙ୍କୁ ଏହାର ସୁଫଳ ମିଳୁନାହିଁ।

ଗତ କିଛି ବର୍ଷ ଧରି ବଲୁଚିସ୍ତାନରେ ଚୀନ୍‌ର ପ୍ରକଳ୍ପ, ବିଦେଶୀ କର୍ମଚାରୀ ଓ ପାକିସ୍ତାନ ସୁରକ୍ଷା ବାହିନୀ ଉପରେ ବିଏଲ୍‌ଏ ବାରମ୍ବାର ଆକ୍ରମଣ କରିଆସୁଛି। ଏହି ନୂଆ ହତ୍ୟାକାଣ୍ଡ ପରେ ଚୀନ୍‌ ସମର୍ଥିତ ବୃହତ୍‌ ପ୍ରକଳ୍ପଗୁଡ଼ିକର ସୁରକ୍ଷାକୁ ନେଇ ପୁଣି ପ୍ରଶ୍ନ ଉଠିଛି। ପାକିସ୍ତାନ ସରକାର ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିବା ସହ ବିଦ୍ରୋହୀମାନଙ୍କ ବିରୋଧରେ ଅଭିଯାନ ଜୋରଦାର କରିବାକୁ କହିଛନ୍ତି। ବିଶ୍ଳେଷକଙ୍କ ମତରେ, ଏପରି ଆକ୍ରମଣ ଜାରି ରହିଲେ ବଲୁଚିସ୍ତାନରେ ଚୀନ୍‌ର ନିବେଶ ଓ ବିଭିନ୍ନ ବିକାଶ ପ୍ରକଳ୍ପର କାର୍ଯ୍ୟକାରିତା ଉପରେ ଏହାର ପ୍ରଭାବ ପଡ଼ିପାରେ।

ad-week
Leave A Reply

Your email address will not be published.