ପ୍ରେସ୍ ନାଁରେ ବାଲି ଚାଲାଣ ,ନମ୍ବରବିହୀନ ‘ପ୍ରେସ୍’ ଟ୍ରାକ୍ଟର ଜବତ…

add-all

ପ୍ରଶାସନ କଣ ନେଉଛି ପଦକ୍ଷେପ…??

ମାଲକାନଗିରି, ୩୦ ଜୁଲାଇ: ପ୍ରେସ୍ ନାଁର ଦୁରୁପଯୋଗ କରି ଚୋରା ବାଲି ଚାଲାଣର ଅଭିଯୋଗରେ କାଲିମେଳା ପୋଲିସ ଏକ ବାଲି ବୋଝେଇ ଟ୍ରାକ୍ଟର ଜବତ କରିଛି। କାଲିମେଳା ଥାନାଠାରୁ ପ୍ରାୟ ୮ କି.ମି. ଦୂରରେ ଏମ୍‌ଭି-୩୩ ଗ୍ରାମ ନିକଟରେ ଚଢ଼ାଉ ବେଳେ ଏହି ଟ୍ରାକ୍ଟରକୁ ଧରାଯାଇଥିଲା।
ସବୁଠୁ ଆଶ୍ଚର୍ଯ୍ୟର ବିଷୟ ହେଉଛି, ଟ୍ରାକ୍ଟର ଓ ଟ୍ରଲିରେ କୌଣସି ପଞ୍ଜୀକରଣ (ରେଜିଷ୍ଟ୍ରେସନ୍) ନମ୍ବର ନଥିବା ବେଳେ ବଡ଼ ଅକ୍ଷରରେ “PRESS” ଲେଖାଯାଇଥିଲା। ଏହା କେଉଁ ସମ୍ବାଦ ମାଧ୍ୟମର ଗାଡ଼ି ଥିଲା ଓ କାହା ନାଁରେ ଏଭଳି ପ୍ରେସ୍ ପରିଚୟ ବ୍ୟବହାର କରାଯାଉଥିଲା, ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ।
ପୋଲିସ ପ୍ରେସ୍ ନୋଟ୍ ଅନୁଯାୟୀ, ଗିରଫ ଅଭିଯୁକ୍ତ ବିଷ୍ଣୁ ଝରବାଲା (୨୩)। ବାଲି ବୋଝେଇ ମହିନ୍ଦ୍ରା ଟ୍ରାକ୍ଟର ଓ ଟ୍ରଲିକୁ ଜବତ କରାଯାଇଛି। ଏହି ଘଟଣାରେ ଚୋରା ବାଲି ଚାଲାଣ, ବିନା ପଞ୍ଜୀକରଣରେ ଯାନ ଚଳାଚଳ ଏବଂ ସମ୍ପୃକ୍ତ ଆଇନ ଧାରାରେ କାଲିମେଳା ଥାନା କେସ୍ ନଂ-୧୬୫/୨୦୨୬ ରୁଜୁ କରାଯାଇଛି। ଏହି ଘଟଣା ପୁଣିଥରେ ପ୍ରଶ୍ନ ଉଠାଇଛି—ପ୍ରେସ୍ ପରିଚୟକୁ ଆଢ଼ କରି ବେଆଇନ କାର୍ଯ୍ୟକଳାପ ଚାଲିଛି କି? ପ୍ରଶାସନ ଏପରି ନକଲି “ପ୍ରେସ୍” ପରିଚୟ ବ୍ୟବହାରକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି।

ad-week
Leave A Reply

Your email address will not be published.