ଏମକେସିଜି ପିଜି ପରୀକ୍ଷା ବିବାଦ: ପ୍ରଶ୍ନପତ୍ର ଲିକ୍ ନୁହେଁ ମାଲ୍‌ପ୍ରାକ୍ଟିସ୍ ବୋଲି ସ୍ପଷ୍ଟ କଲେ କୁଳପତି

add-all

ବ୍ରହ୍ମପୁର : ବ୍ରହ୍ମପୁର ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମକେସିଜି) ମେଡିକାଲ କଲେଜରେ ଅନୁଷ୍ଠିତ ପୋଷ୍ଟ ଗ୍ରାଜୁଏଟ୍ (ପିଜି) ପରୀକ୍ଷା ବିବାଦ ନୂଆ ମୋଡ଼ ନେଇଛି। ଗତ ୨୭ ତାରିଖରେ ହୋଇଥିବା ଏହି ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ହୋଇନାହିଁ, ବରଂ ଏହା ଏକ ‘ମାଲ୍‌ପ୍ରାକ୍ଟିସ’ (ଅସାଧୁ ଉପାୟ ଅବଲମ୍ବନ) ବୋଲି ଓଡ଼ିଶା ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ମାନସ ରଞ୍ଜନ ସାହୁ ସ୍ପଷ୍ଟ କରିଛନ୍ତି। ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏମକେସିଜି ଡିନ୍‌ଙ୍କଠାରୁ ଘଟଣାର ବିସ୍ତୃତ ରିପୋର୍ଟ ତଲବ କରିଛନ୍ତି।

ପରୀକ୍ଷାରେ ସ୍ୱଚ୍ଛତା ଉଲ୍ଲଂଘନ ଅଭିଯୋଗ ଆସିବା ପରେ କେବଳ ଛାତ୍ରଛାତ୍ରୀ ନୁହଁନ୍ତି, ଦାୟିତ୍ୱରେ ଥିବା ପରୀକ୍ଷା ନିରୀକ୍ଷକ ତଥା ଅଧିକାରୀମାନେ ମଧ୍ୟ ତଦନ୍ତ ପରିସରଭୁକ୍ତ ହେବେ ବୋଲି କୁଳପତି ସୂଚନା ଦେଇଛନ୍ତି। ପରୀକ୍ଷା କେନ୍ଦ୍ର ଭିତରକୁ କିପରି ଅନଧିକୃତ ସାମଗ୍ରୀ ପ୍ରବେଶ କଲା, ସେ ନେଇ ଏମକେସିଜି କର୍ତ୍ତୃପକ୍ଷ ନିଜସ୍ୱ ସ୍ତରରେ ଏକ ସ୍ୱତନ୍ତ୍ର କମିଟି ଗଠନ କରି ଖୋଳତାଡ଼ ଆରମ୍ଭ କରିଛନ୍ତି। ଯଦି କୌଣସି ଅଧିକାରୀଙ୍କ କାର୍ଯ୍ୟରେ ତ୍ରୁଟି ଥିବା ପ୍ରମାଣିତ ହୁଏ, ତେବେ ସେମାନଙ୍କ ବିରୋଧରେ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କୁଳପତି ଶ୍ରୀ ସାହୁ କହିଛନ୍ତି ଯେ, ଏଭଳି ଘଟଣାର ମୁକାବିଲା ପାଇଁ ବିଶ୍ୱବିଦ୍ୟାଳୟର ସ୍ୱତନ୍ତ୍ର ଗାଇଡଲାଇନ୍ ଏବଂ ସ୍ୱତନ୍ତ୍ର କମିଟି ରହିଛି। ପରୀକ୍ଷା ନିୟମାବଳୀ ଅନୁଯାୟୀ ମାଲ୍‌ପ୍ରାକ୍ଟିସ୍‌ ପାଇଁ ଯେଉଁ ଦଣ୍ଡବିଧାନ ବ୍ୟବସ୍ଥା ରହିଛି, ସେହି ଆଧାରରେ ହିଁ ଦୋଷୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। କୌଣସି ପରିସ୍ଥିତିରେ ବି ପରୀକ୍ଷାର ସ୍ୱଚ୍ଛତା ସହ ଆପୋଷ ବୁଝାମଣା କରାଯିବ ନାହିଁ।

ସୂଚନାଯୋଗ୍ୟ ଯେ, ଓଡ଼ିଶା ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ ଗଠନ ହେବା ପରେ ପ୍ରଥମ ଥର ପାଇଁ ରାଜ୍ୟରେ ମେଡିକାଲ ପିଜି ପରୀକ୍ଷା ପରିଚାଳନା କରାଯାଉଛି। ତେଣୁ ଏହି ପରୀକ୍ଷାକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ କରିବା ପାଇଁ ବିଶ୍ୱବିଦ୍ୟାଳୟ ପ୍ରଶାସନ ଲକ୍ଷ୍ୟ ରଖିଥିବା ବେଳେ ଏମକେସିଜିରେ ଘଟିଥିବା ଏହି ଅଘଟଣକୁ ଅତ୍ୟନ୍ତ ଗୁରୁତ୍ୱର ସହ ବିଚାରକୁ ନିଆଯାଇଛି। ଡିନ୍‌ଙ୍କ ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଜଣାପଡିଛି।

ad-week
Leave A Reply

Your email address will not be published.