
କେରଳ : କେରଳରେ ଲଗାତାର ହେଉଥିବା ପ୍ରବଳ ବର୍ଷା ଯୋଗୁଁ ଅନେକ ଜିଲ୍ଲାରେ ସ୍ଥିତି ଭୟଙ୍କର ରହିଛି । କେରଳରେ ମୌସୁମୀ ଭୟଙ୍କର ରୂପ ଦେଖାଇବା ଆରମ୍ଭ କରିଛି । ପ୍ରବଳ ବର୍ଷା ଯୋଗୁଁ ମଧ୍ୟ କେରଳର ଅନେକ ଜିଲ୍ଲାରେ ବନ୍ୟା ଏବଂ ଭୂସ୍ଖଳନର ଘଟଣା ଦେଖିବାକୁ ମିଳୁଛି । ଏହାଯୋଗୁଁ ଏପର୍ଯ୍ୟନ୍ତ ବହୁ ଧନଜୀବନ କ୍ଷୟକ୍ଷତି ହୋଇଛି । ପରିସ୍ଥିତି ଖରାପ ହେଉଥିବା ଦେଖି ପ୍ରଶାସନ ପକ୍ଷରୁ ଅନେକ ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇଛି ।
ଖବର ମୁତାବକ, କେରଳ ଇଡୁକ୍କି ଜିଲ୍ଲାରେ ଆଦୁରମାଲା ଅଞ୍ଚଳରେ ଭୂସ୍ଖଳନ ଯୋଗୁଁ ପରିବାର ଛାରଖାର ହୋଇଯାଇଛି । ଶନିବାର ସକାଳରେ ପାହାଡ଼ରୁ ଭୂସ୍ଖଳନ ହେବା ଯୋଗୁଁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ଘର ଉପରେ ମାଟି ଧସି ପଡ଼ିଥିଲା । ସ୍ଥାନୀୟ ଲୋକ ଏବଂ ଉଦ୍ଧାରକାରୀ ଦଳଙ୍କ ତୁରନ୍ତ ପ୍ରୟାସ ଯୋଗୁଁ ମହିଳାଙ୍କ ସ୍ୱାମୀ ଏବଂ ପୁଅକୁ ସୁରକ୍ଷିତ ଭାବରେ ବାହାର କରାଯାଇଛି । ଗୁରୁତର ଆହତ ହୋଇଥିବାରୁ ଚିକିତ୍ସାଲାଗି ଥୋଡୁପୁଝାର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହାଛଡା ଅନ୍ୟ ୨ ଜଣଙ୍କ ଜୀବନ ଚାଲିଯାଇଛି । ଏନଡିଆରଏଫ ଟିମ, ଅଗ୍ନିଶମ ଟିମ, ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ସହ ମୃତଦେହ ଜବତ କରିଛି । ଦେଶର ଅନେକ ସ୍ଥାନରେ ପ୍ରବଳ ବର୍ଷା ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି ।
ପୁଲାକାୟାର ନଦୀର ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ କୋକ୍କାୟାର ତଳ ବ୍ରିଜ୍ ସମ୍ପୂର୍ଣ୍ଣ ବୁଡ଼ି ଯାଇଛି । କଟ୍ଟାପ୍ପାନା-ଭାଜଭାରା ରାସ୍ତାରେ ଯାତାୟାତ ଅବରୋଧ ହୋଇଛି । ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ସତର୍କତା ଜାରି କରିଛନ୍ତି । ପଡ଼ୋଶୀ କୋଟ୍ଟାୟମ ଜିଲ୍ଲାର ପରିସ୍ଥିତି ମଧ୍ୟ ନିୟନ୍ତ୍ରଣ ବାହାରକୁ ଯାଇଛି । ଏରାଟ୍ଟୁପେଟା, କାଞ୍ଜିରାପାଲି ଏବଂ କୁଟିକାଲ ଭଳି ଆବାସିକ ଅଞ୍ଚଳଗୁଡ଼ିକ ପାଣିରେ ବୁଡ଼ି ରହିଛି ପୁଞ୍ଜାରର ପାୟାନିଥୋଟ୍ମରେ ମଧ୍ୟ ଭୂସ୍ଖଳନ ହୋଇଥିବାର ଖବର ମିଳିଛି, ଯେଉଁଠାରେ କିଛି ଲୋକ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି ।
ଆଗାମୀ ଦିନରେ ସ୍ଥିତି ଭୟଙ୍କର ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ପଠାଣମଥିଟ୍ଟା, କୋଟ୍ଟାୟମ, ଇଡୁକ୍କି, ମାଲାପ୍ପୁରମ, କୋଝିକୋଡ, ୱାୟାନାଡ, କନ୍ନୁର ଏବଂ କାସରଗୋଡ ସମେତ ଆଠଟି ଜିଲ୍ଲାକୁ ଆଇଏମଡି ପକ୍ଷରୁ ରେଡ୍ ଆଲର୍ଟ ଜାରି କରାଯାଇଛି । ନଦୀ ନିକଟରେ ଏବଂ ଭୂସ୍ଖଳନ ପ୍ରବଣ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି । ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ସ୍କୁଲ, କଲେଜ ଛୁଟି ଘୋଷଣା କରାଯାଇଛି ।
