ସପିଂ ସେଣ୍ଟରରେ ଆଖିବୁଜା ଗୁଳିକାଣ୍ଡ, ୩ ମୃତ

add-all

ଆମେରିକା: ଆମେରିକାରେ ଲଗାତାର ଭାବେ ଗୁଳିକାଣ୍ଡ ଘଟଣା ବୃଦ୍ଧି ପାଉଛି । ଏହାରି ମଧ୍ୟରେ ତାଜା ଘଟଣା ଆଇଡାହୋର ଟ୍ବିନ୍ ଫଲ୍ସରେ ଦେଖିବାକୁ ମିଳିଛି । ଶନିବାର ଦ୍ବିପ୍ରହରରେ ଏକ ସପିଂ ଅଞ୍ଚଳରେ ଆଖିବୁଜା ଫାୟାରିଂ ହୋଇଥିବା ସୂଚନା ମିଳିଛି । ଫଳରେ ଏହି ଆକ୍ରମଣରେ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଲୋକ ଆହତ ହୋଇଛନ୍ତି । ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପାଲଟା ଗୁଳି ଚାଳନା କରି ଆକ୍ରମଣକାରୀଙ୍କୁ ହତ୍ୟା କରିଛି । ବର୍ତ୍ତମାନ ପୋଲିସ ଆକ୍ରମଣକାରୀଙ୍କ ପରିଚୟ ଏବଂ ସେମାନଙ୍କ ଆକ୍ରମଣ ଉଦ୍ଦେଶ୍ୟ ଜାଣିବାକୁ ତଦନ୍ତ ଆରମ୍ଭ କରିଛି ।

ସୂଚନାନୁଯାୟୀ, ଆକ୍ରମଣକାରୀ ଟ୍ୱିନ୍ ଫଲ୍ସର ଲୋକପ୍ରିୟ ଇନ-ଏନ-ଆଉଟ୍ ବର୍ଗର ରେଷ୍ଟୁରାଣ୍ଟ ନିକଟରେ ଥିବା ଦୋକାନ ଅଞ୍ଚଳରେ ହଠାତ୍ ଗୁଳି ଚଳାଇଥିଲେ ବୋଲି ସ୍ଥାନୀୟ ଅଧିକାରୀ କହିଛନ୍ତି । ଏହି ଘଟଣାଟି ଶନିବାର ପ୍ରାୟ ଅପରାହ୍ନ ୨ଟା ୩୦ ମିନିଟ୍ ସମୟରେ ଘଟିଥିଲା । ଯାହା ଦ୍ବାରା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା ଏବଂ ଲୋକମାନେ ଜୀବନ ବଞ୍ଚାଇବା ପାଇଁ ଦୌଡ଼ିବା ଆରମ୍ଭ କରିଥିଲେ । ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପାଲଟା ଗୁଳିଚାଳନା କରି ଆକ୍ରମଣକାରୀଙ୍କୁ ହତ୍ୟା କରିବା ସହ ସେହି ଅଞ୍ଚଳକୁ ଘେରାବନ୍ଦୀ କରିଥିଲା । ଯାହାର ଅନେକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଅନ୍ୟପଟେ ପୋଲିସ ମୁଖ୍ୟ ମାଥ୍ୟୁ ହିକ୍ସ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ସନ୍ଦିଗ୍ଧ ବନ୍ଧୁକଧାରୀ ଘଟଣାସ୍ଥଳ ନିକଟରେ ଥିଲେ ଏବଂ ତାଙ୍କୁ ଗୁଳି କରାଯାଇଛି। ସମ୍ପ୍ରଦାୟ ପାଇଁ ଆଉ କୌଣସି ବିପଦ ନାହିଁ । ଆମେ ଗୁଳି ଚଳାଇଥିବା ବ୍ୟକ୍ତିର ପରିଚୟ ଏବଂ ଏହି ଆକ୍ରମଣ ପଛରେ ଥିବା ଉଦ୍ଦେଶ୍ୟ ନିର୍ଣ୍ଣୟ କରିବା ପାଇଁ କାର୍ଯ୍ୟ କରୁଛୁ । ଏଥିସହ ଏହି ଘଟଣା ପରେ ପୋଲିସ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଦୋକାନ ଅଞ୍ଚଳ ଏବଂ ନିକଟସ୍ଥ ଏକ ବ୍ରିଜ୍ ଚାରିପାଖରେ ଥିବା ଅନେକ ରାସ୍ତାକୁ ଅସ୍ଥାୟୀ ଭାବରେ ବନ୍ଦ କରିଦେଇଛି। ପ୍ରାୟ ୫୫,୦୦୦ ଜନସଂଖ୍ୟା ବିଶିଷ୍ଟ ଟ୍ୱିନ୍ ଫଲ୍ସ ଏବେ ଆମେରିକାର ଗଣ ଗୁଳିକାଣ୍ଡ ଦ୍ୱାରା ପ୍ରଭାବିତ ସହର ତାଲିକାରେ ସାମିଲ ହୋଇଛି ।

ad-week
Leave A Reply

Your email address will not be published.