
ବ୍ୟାଙ୍କକ: ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକର ଏକ ସ୍କୁଲ ପରିସରରୁ ଏକ ଭୟଙ୍କର ଗୁଳିକାଣ୍ଡ ଘଟଣା ସାମ୍ନାକୁ ଆସିଛି । ଯେଉଁଥିରେ ୩ଜଣ ଶିକ୍ଷକ ଏବଂ ତିନି ଜଣ ଛାତ୍ରଙ୍କ ସମେତ ଅତି କମରେ ଛଅ ଜଣଙ୍କର ମୃତ୍ୟୁ ଘଟିଛି । ଯାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି ।
ସୂଚନାନୁଯାୟୀ, ଏହି ଘଟଣା ନନ୍ଥାବରି ପ୍ରଦେଶର ବ୍ୟାଙ୍କ କ୍ରୁଇ ଜିଲ୍ଲାର ଦେବସିରିନ୍ ନନ୍ଥାବରି ସ୍କୁଲରେ ଘଟିଛି । ଆଜି ସ୍କୁଲ ପରିସରରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ପ୍ରଥମେ ଶିକ୍ଷକଙ୍କୁ ଗୁଳି ଚାଳନା କରି ସାରିବା ପରେ ନିଜକୁ ଗୁଳି କରିଦେଇଛି । ଫଳରେ ଏହି ଘଟଣାରେ ଶିକ୍ଷକଙ୍କ ସମେତ ଗୁଳିଚାଳନାକାରୀ ଛାତ୍ରଙ୍କର ମଧ୍ୟ ମୃତ୍ୟୁ ହୋଇଛି । ଏହି ଘଟଣାରେ ୬ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଯାହା ସ୍କୁଲ ପରିସରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।
ଅନ୍ୟପଟେ ଏହି ଘଟଣା ପରେ ଥାଇଲ୍ୟାଣ୍ଡର ଶିକ୍ଷା ମନ୍ତ୍ରୀ ପ୍ରସେର୍ଟ ଚାଣ୍ଟାରାରୁଆଙ୍ଗଥୋଙ୍ଗ ସ୍କୁଲ ଗୁଳିକାଣ୍ଡ ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଏବଂ ସହାୟତାର ପ୍ରତିଶ୍ରୁତି ଦେଇଛନ୍ତି ଏବଂ ସମ୍ବେଦନଶୀଳ ସୂଚନା ବାଣ୍ଟିବାରେ ସତର୍କତା ଅବଲମ୍ବନ କରିବାକୁ ଅନୁରୋଧ କରିଛନ୍ତି । ସମ୍ବେଦନଶୀଳ ଫଟୋ, ଭିଡିଓ କିମ୍ବା ସୂଚନା, ବିଶେଷକରି ମୃତ, ଆହତ, ଛାତ୍ର କିମ୍ବା ଘଟଣା ସହିତ ଜଡିତ ଲୋକଙ୍କୁ ଦର୍ଶାଉଥିବା ଫଟୋ, ଭିଡିଓ କିମ୍ବା ସୂଚନାକୁ ଫରୱାର୍ଡ କିମ୍ବା ପ୍ରସାର କରନ୍ତୁ ନାହିଁ ଏବଂ ଯାଞ୍ଚ ନ ହୋଇଥିବା ସୂଚନା ମଧ୍ୟ ସେୟାର ନକରିବାକୁ ମଧ୍ୟ ନିବେଦନ କରିଛନ୍ତି । ଏଥିସହ ସେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପ୍ରତି ମଧ୍ୟ ସମବେଦନା ପ୍ରକାଶ କରିଛନ୍ତି ।
