
ଭୁବନେଶ୍ବର: ଏୟାରପୋର୍ଟ ପରିସରରେ ହଙ୍ଗମା। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ପରିସରେ ଯାତ୍ରୀଙ୍କ ହାଇଡ୍ରାମା। ବିମାନ ବାତିଲ ହେଲା ବୋଲି ରଣକ୍ଷେତ୍ର ପାଲଟିଲା ଏୟାରପୋର୍ଟ। ଏପରିକି କମ୍ପ୍ୟୁଟର ଓ ସ୍କାନର ଭାଙ୍ଗିଦେଲେ। ଷ୍ଟାଫ୍ ଙ୍କୁ ଗାଳି ଦେବା ସହ CISFକୁ କଲେ ନାକେଦମ୍। ଆସବାବପତ୍ର ଭାଙ୍ଗିବା ସହ ଅଧିକାରୀଙ୍କ ସହ ଯୁକ୍ତିତର୍କ କଲେ କ୍ଷୁବ୍ଧ ଯାତ୍ରୀ। ଏହି ସବୁ ଘଟଣା ଘଟିଛି ଗୁରୁବାର ରାତିରେ। ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ସୂଚନା ଅନୁସାରେ କୋଲକାତା ଅଭିମୁଖେ ଉଡ଼ାଣ କରିବାକୁ ଥିବା ଇଣ୍ଡିଗୋ ବିମାନ ଶେଷ ମୁହୂର୍ତ୍ତରେ ବାତିଲ ହେବା ପରେ ଯାତ୍ରୀମାନେ ହଙ୍ଗାମା ଆରମ୍ଭ କରିଥିଲେ। ଆଲାହାବାଦରୁ ଭୁବନେଶ୍ୱର ଆସିଥିବା ସେହି ଇଣ୍ଡିଗୋ ବିମାନଟି ପୁନର୍ବାର କୋଲକାତା ଯିବାକୁ ଥିଲା। ତିନି ଘଣ୍ଟା ଧରି ଡିଲେ ପରେ ଯାନ୍ତ୍ରିକ ତ୍ରୁଟି କାରଣରୁ ପାଇଲଟ୍ ଶେଷ ମୁହୂର୍ତ୍ତରେ ଉଡ଼ାଣ ମନା କରିଦେଇଥିଲେ। ଯାହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ହୋହଲ୍ଲା କରିଥିଲେ।
ଦୀର୍ଘ ଅପେକ୍ଷା ପରେ କ୍ଷୁବ୍ଧ ଯାତ୍ରୀମାନେ ବିମାନବନ୍ଦର ଭିତରେ ହଙ୍ଗାମା କରିବା ସହ କମ୍ପୁଟର ଓ ସ୍କାନର ଭାଙ୍ଗିଦେଇଥିଲେ। ବିମାନବନ୍ଦର ଷ୍ଟାଫଙ୍କୁ ଗାଳିଗୁଲଜ୍ ମଧ୍ୟ କରିଥିଲେ। ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ସିଆଇଏସ୍ ଏଫ୍ କର୍ତ୍ତୃପକ୍ଷଙ୍କୁ ନାକେଦମ୍ ହେବାକୁ ପଡ଼ିଥିଲା। ବିମାନବନ୍ଦର ସମ୍ପତ୍ତି ନଷ୍ଟ କରିଥିବା ଜଣେ ଯାତ୍ରୀଙ୍କୁ ୬୫ ହଜାର ଟଙ୍କା ଜୋରିମାନା କରାଯାଇଛି।
