
ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଅଞ୍ଚଳରେ ଆଜି ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ପାଳିତ ହୋଇଯାଇଛି। ଏହି ଅବସରରେ ଅଞ୍ଚଳର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ଜାତୀୟ ପତାକା ଉତ୍ତୋଳନ କରାଯାଇ ଦେଶର ବୀର ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।

ଆଜିର ଏହି ପବିତ୍ର ଦିବସରେ ସ୍ଥାନୀୟ ୟୁପି ସ୍କୁଲ, ଏମଆଇ ସ୍କୁଲ, ହାଇସ୍କୁଲ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସମେତ ସ୍ୱାସ୍ଥ୍ୟ କେନ୍ଦ୍ର, ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ, ପୋଲିସ ଷ୍ଟେସନ ଏବଂ ବିଭିନ୍ନ ବ୍ୟାଙ୍କ ପରିସରରେ ପତାକା ଉତ୍ତୋଳନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ସମାରୋହରେ ଉପସ୍ଥିତ ଅତିଥି ଓ ଶିକ୍ଷକମାନେ ଦେଶର ସ୍ୱାଧୀନତା ପାଇଁ ନିଜର ପ୍ରାଣବଳି ଦେଇଥିବା ମହାପୁରୁଷମାନଙ୍କର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ।
ଶିକ୍ଷାନୁଷ୍ଠାନଗୁଡ଼ିକରେ ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଅଭିଭାବକମାନଙ୍କ ଗହଣରେ ସ୍ୱାଧୀନତା ସଂଗ୍ରାମର ଅନେକ ବୀରତ୍ୱ ଗାଥା ଓ ସ୍ମୃତି ଚାରଣ କରିଥିଲେ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିବା ପାଇଁ ବିଭିନ୍ନ ସ୍ଥାନରେ ଉପହାର ପ୍ରଦାନ କରାଯିବା ସହ ମିଷ୍ଟାନ୍ନ (ବୁନ୍ଦିଆ) ବଣ୍ଟନ କରାଯାଇଥିଲା। ଦେଶଭକ୍ତିପୂର୍ଣ୍ଣ ସଙ୍ଗୀତ ଓ ‘ଭାରତ ମାତା କି ଜୟ’ ଧ୍ୱନିରେ ସମଗ୍ର ବୀରମିତ୍ରପୁର ଅଞ୍ଚଳ ପ୍ରକମ୍ପିତ ହୋଇଉଠିଥିଲା।
